ବଲାଙ୍ଗୀରରୁ ଆସିଲା ଦାଦନ ବନିବାର ଦୁଃଖଦ କାହାଣୀ । କନକ ନ୍ୟୁଜରେ ବୟାନ ଦେଲେ, କେମିତି ସାଜିଲେ ଦାଦନ । ପଢ଼ନ୍ତୁ ଜଣେ ଦାଦନ ହେଲା କାହିଁକି?

756

କନକ ବ୍ୟୁରୋ: ବଲାଙ୍ଗିର ଜିଲ୍ଲାର ଏମିତି ଏକ ଚିତ୍ର ଯାହା ସମସ୍ତ ଚାଷୀ କୁଳକୁ କଷ୍ଟ ଦେଉଛି । ଜମି ଅଛି, ଚାଷ ଅଛି କିନ୍ତୁ ଚାଷୀ ଦାଦନ ଖଟୁଛି । ଦିନ ଥିଲା ଚାଷୀର ଏହି ତେଲ ଲୁଣର ସଂସାର ଚାଲୁଥିଲା ଆଖୁ ଚାଷରେ । ଆଖୁ ଚାଷ କରି ଯାହା ରୋଜଗାର କରୁଥିଲା ଚାଷୀ, ପରିବାର ଚଳୁଥିଲା , ପେଟ ପୋଷୁଥିଲା । କିନ୍ତୁ ଯେତେବେଳେ ଚିନି କଳ ବନ୍ଦ ହୋଇଗଲା , ଚାଷୀର ପେଟ ପୋଡିଲା । ଆଉ ଏହି ପେଟ ପାଇଁ ଦାନା ଗଣ୍ଡିକ ଯୋଗାଡ କରିବାକୁ ଚାଷୀ ବାହାରିଲା ଦାଦନ ଖଟିବାକୁ ।

ଦୀର୍ଘ ୭ ବର୍ଷ ହେବ ବନ୍ଦ ପଡିଛି ବିଜୟନନ୍ଦ ଚିନିକଳ । ଚିନି କଳ ବନ୍ଦ ପଡିବା ପରେ ହାତ ବାନ୍ଧି ବସିଛି ଚାଷୀ । ଆଉ କିଛି ଉପାୟ ନ ପାଇ ଚାଷୀ ଜମିରେ ଆଖୁକୁ ପୋଡିଦେଉଛି । ଜିଲ୍ଲା ଛାଡୁଛି, ରାଜ୍ୟ ଛାଡୁଛି, ଦାଦନ ଖଟୁଛି । ଏହି ଚିନି କଳ ଚାଲିଲେ ଚାଷୀ ରୋଜଗାରକ୍ଷମ ହୋଇପାରନ୍ତା । କିନ୍ତୁ ଏହା ସମ୍ଭବ ହୋଇପାରୁନି । ଏବେ ଚାଷୀଙ୍କ ନିବେଦନ, ପୁଣିଥରେ ଚିନି କଳକୁ ଚାଲୁ କରାଯାଉ ।

ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନାମରେ ଥିବା ବିଜୟାନନ୍ଦ ଚିନି କଳ ୧୯୯୧ ମସିହାରେ ଆରମ୍ଭ ହୋଇଥିଲା । ଏହି ଚିନି କଳ ଦ୍ୱାରା ବଲାଙ୍ଗିର ଜିଲ୍ଲାର ଦେଓ ଗାଁ, ବଲାଙ୍ଗିର ସଦର, ପାଟଣାଗଡ, ଆଖପାଖ ବରଗଡ ଓ ସୋନପୁର ଆଦି ଜିଲ୍ଲାର ଆଖୁଚାଷୀମାନେ ଉପକୃତ ହେଉଥିଲେ । କିନ୍ତୁ ଚିନି କଳ ବନ୍ଦ ହେବା ପରେ ଚାଷୀକୂଳ ନିରାଶ ହୋଇଯାଇଛି । ତେବେ ବର୍ତ୍ତମାନ ଦାଦନଙ୍କ ଘରବାହୁଡ଼ା ଏବଂ ପରିବାର ପାଇଁ ପେଟ ପୋଷିବା ନିହାତି ଆବଶ୍ୟକ ହୋଇପଡ଼ିଥିବାବେଳେ ଜଣେ ଚାଷୀ କହିଛି ସେ କାହିଁକି ଦାଦନ ଖଟିବାକୁ ଯାଉଛି ।