ଶିବମୋଗାରେ ଡିନାମାଇଟ ବିସ୍ଫୋରଣରେ ୮ ଜଣଙ୍କ ମୃତ୍ୟୁ : ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା

ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ଗଭୀର ଦୁଃଖପ୍ରକାଶ । ଆହତଙ୍କ ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ।

142

କନକ ବ୍ୟୁରୋ : ବିଳମ୍ବିତ ରାତିରେ କର୍ଣ୍ଣାଟକର ଶିବମୋଗା ଜିଲ୍ଲା ଅନ୍ତର୍ଗତ ହୁନାସୋଡୁ ଗ୍ରାମ ପାଖରେ ଥିବା ଏକ ରେଳବାଇ କ୍ରସ୍‌ର ପରିସରରେ ଡିନାମାଇଟ୍‌ ବିସ୍ଫୋରଣ । ଅନ୍ୟୂନ ୮ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା କଥା ଜିଲ୍ଲାପାଳ କେବି ଶିବକୁମାର ଗଣମାଧ୍ୟମକୁ କହିଛନ୍ତି । ଗେଙ୍ଗୁଟି ଓ ଡେଣୁଆ ଭଳି ପଥରଖଣ୍ଡ ଚୂନା କରାଯାଉଥିବା ପରିସର ପାଖରେ ରାତି ପ୍ରାୟ ୧୦.୩୦ରେ ଘଟିଥିବା ଏହି ପ୍ରଚଣ୍ଡ ବିସ୍ଫୋରଣ କେବଳ ଶିବମୋଗା ନୁହେଁ ନିକଟବର୍ତ୍ତୀ ଚିକ୍କମାଗଲୁରୁ ଏବଂ ଦବନଗେରେ ଜିଲ୍ଲା ମଧ୍ୟ ଦୋହଲି ଯାଇଥିବା କୁହାଯାଉଛି । ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଏହି ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ, ବହୁ ଘରର ଝରକା କାଚ ଭାଙ୍ଗି ଚୂନା ଚୂନା ହୋଇଯାଇଥିବା ବେଳେ ରାସ୍ତାଘାଟରେ ଫାଟ ମଧ୍ୟ ସୃଷ୍ଟି ହୋଇଛି ।

ଭୂମିକମ୍ପ ଯୋଗୁଁ ଏହି କମ୍ପନ ସୃଷ୍ଟି ହୋଇଛି ବୋଲି ପ୍ରଥମେ ଭ୍ରମ ସୃଷ୍ଟି ହୋଇଥିଲା । କିନ୍ତୁ, ଭୂତତ୍ତ୍ୱବିତ୍‌ମାନଙ୍କୁ ପଚରା ଯିବାରୁ ଏହା ଭୂମିକମ୍ପ ନୁହେଁ ବୋଲି ସେମାନେ କହିଥିଲେ । ଜଣେ ପୁଲିସ ଅଧିକାରୀଙ୍କ କହିବା ଅନୁସାରେ, ଏହା ଭୂମିକମ୍ପ ନୁହେଁ, ଗ୍ରାମୀଣ ଥାନା ଅନ୍ତର୍ଗତ ଶିବମୋଗା ଉପକଣ୍ଠସ୍ଥିତ ହୁନସୁରରେ ଘଟିଥିବା ଏକ ବିସ୍ଫୋରଣର ଶବ୍ଦ । ଅନ୍ୟ ଜଣେ ପୁଲିସ ଅଧିକାରୀ କହିଛନ୍ତି, ଜେଲାଟିନ୍‌ ଷ୍ଟିକ୍‌ ଯାଉଥିବା ଏକ ଲରି ଟ୍ରକ୍‌ରେ ଏହି ବିସ୍ଫୋରଣ ଘଟିଛି । ସେ ଟ୍ରକ୍‌ରେ ଥିବା ଛଅଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି ।

ଆଖପାଖ ଅଞ୍ଚଳରେ ଏହି ବିସ୍ଫୋରଣ ସୃଷ୍ଟ କମ୍ପନ ଅନୁଭୂତ ହୋଇଥିଲା । ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧିପାଇ ପାରେ। ଉକ୍ତ କ୍ରସର୍‌ ପରିସରରେ ସାଧାରଣତଃ ୫୦ ବାକ୍ସ ବିସ୍ଫୋରକ ସାମଗ୍ରୀ ଗଚ୍ଛିତ ଥାଏ । ଖବର ମିଳିବା ପରେ ଶିବମୋଗା ଏସ୍‌ପି ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଛନ୍ତି । ଜଣେ ସରକାରୀ ଅଧିକାରୀଙ୍କ କହିବା ଅନୁସାରେ, ସମ୍ପୃକ୍ତ ଅଞ୍ଚଳରେ କାଳେ ଆହୁରି ବିସ୍ଫୋରଣ ଘଟିବ, ସେ ଆଶଙ୍କା ଏଡ଼ାଇବାକୁ ଏକ ସ୍ୱତନ୍ତ୍ର ବମ୍‌ ସ୍କ୍ଵାଡ୍‌ ପଠାଯାଇଛି ।