ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା ପରେ ମୁହଁ ଖୋଲିଲେ ସହପାଠୀ । କହିଲେ, ଚାଲିଛି ଜୋରଦାର ରାଗିଂ । ଅନେକ ଛାତ୍ରଛାତ୍ରୀ ସହି ପାରୁନାହାନ୍ତି ନିର୍ଯାତନା ।

330

କନକ ବ୍ୟୁରୋ: ଚାଞ୍ଚଲ୍ୟ ଖେଳାଇ ଦେଇଛି ବିଜେବି କଲେଜ +୩ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା । ରାଗିଂ ମୁକ୍ତ ଶିକ୍ଷାନୁଷ୍ଠାନ ପାଇଁ କଡ଼ା ନିର୍ଦ୍ଦେଶ ରହିଥିଲେ ବି କେମିତି ବିଜେବି କଲେଜ ଭଳି ରାଜ୍ୟର ଏକ ପ୍ରମୁଖ କଲେଜରେ ରାଗିଂ ହେଉଛି, ତାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । କାରଣ ସୁଇସାଇଡ ନୋଟରେ ସିନିୟରଙ୍କ ନିର୍ଯାତନା ସହି ପାରିଲେ ନାହିଁ ବୋଲି ଲେଖିଛନ୍ତି ରୁଚିକା ।

ସୁଇସାଇଡ୍ ନୋଟରେ ସ୍ପଷ୍ଟ ଭାବେ ରୁଚିକା ଲେଖିଛନ୍ତି, ହଷ୍ଟେଲରେ ସିନିୟରମାନେ ବହୁତ ଟର୍ଚର କଲେ, ୩ ଜଣ ସିନିୟର ତାଙ୍କୁ ମାନସିକ ଯନ୍ତ୍ରଣା ଦେଲେ, ଏକଥା ଘର ଲୋକଙ୍କୁ ବି ସେ କହି ପାରିଲେ ନାହିଁ କି ସହିପାରିଲେ ନାହିଁ ବୋଲି ସୁଇସାଇଡ୍ ନୋଟରେ ଉଲ୍ଲେଖ କରିଛନ୍ତି ରୁଚିକା । ଆଉ ଏହାକୁ ଆଧାର କରି ଦାୟୀ ସିନିୟର ଛାତ୍ରୀଙ୍କୁ ଖୋଜୁଛି କମିସନରେଟ୍ ପୁଲିସ । ଛାତ୍ରୀ ନିବାସରେ ପୁଲିସ ପହଁଚି ଛାନଭିନ କରିବା ସହ ଅନ୍ତେବାସିନୀଙ୍କ ବୟାନ ରେକର୍ଡ କରାଯାଉଛି । ଏହାଛଡ଼ା ହଷ୍ଟେଲ ସୁପରିଟେଣ୍ଡେଣ୍ଟ, ୱାର୍ଡେନ, ଆସିଷ୍ଟାଣ୍ଟ, ଫ୍ଲୋର ଇନଚାର୍ଜ ଓ ହଷ୍ଟେଲ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ପଚରାଉଚରା କରିବା ସହ ବୟାନ ରେକର୍ଡ କରିଛି ପୋଲିସ । ୩ଟି ଟିମ୍ ଗଠନ କରି ତଦନ୍ତ କରୁଛି ପୁଲିସ ।

ପୁଲିସ କହିଛି କିଛି ଦିନ ହେଲା ଡିପ୍ରେସନରେ ଥିଲେ ରୁଚିକା । ୩ ସିନିୟର ଛାତ୍ରୀଙ୍କ ରାଗିଂ କଥା ରୁଚିକା ତାଙ୍କ ସୁଇସାଇଡ୍ ନୋଟରେ ଲେଖିଥିବାରୁ, ସେହି ୩ଜଣ ସିନିୟର କିଏ? କେବେଠୁ ରାଗିଂ କରୁଥିଲେ? କେଉଁ ପ୍ରକାର ରାଗିଂ ଯୋଗୁଁ ଅତିଷ୍ଟ ହୋଇ ପଡ଼ିଥିଲେ ରୁଚିକା? କାହାର ଚାପ ଯୋଗୁ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଲେ? ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ପୁଲିସ । ସୂଚନା ଅନୁସାରେ ୧୩୪ ଜଣ ଅନ୍ତେବାସିନୀଙ୍କ ବୟାନ ରେକର୍ଡ କରାଯିବ ।

ଏପଟେ ବିଜେବି କଲେଜ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ରାସ୍ତାକୁ ଓହ୍ଲାଇଛି ବିଭିନ୍ନ ଛାତ୍ର ସଂଗଠନ । ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମୃତ ଛାତ୍ରୀ ରୁଚିକା ମହାନ୍ତିଙ୍କ ବାପା-ମାଆଙ୍କ ସହ ରାଗିଂ ବିରୋଧରେ ନାରା ବାଜି କରିଛନ୍ତି ଛାତ୍ରଛାତ୍ରୀ । ରୁଚିକାଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

ଖାଲି ସେତିକି ନୁହେଁ ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟାକୁ ନେଇ ତେଜିଛି ରାଜନୀତି । ବିରୋଧୀ ଅଭିଯୋଗ କରିଛନ୍ତି, ବିଜେବି ସମେତ ରାଜ୍ୟର ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ମଧ୍ୟ ର୍ୟାଗିଂ ହେଉଛି । ହେଲେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି । ତେଣୁ ଏପରି ଘଟଣାର ପୁନରାବୃତ୍ତି ହେଉଛି । ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇବେ ବୋଲି କହିଛନ୍ତି ବିରୋଧୀ । ସେପଟେ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଇ କହିଛନ୍ତି, ତଦନ୍ତ ରିପୋର୍ଟ ହସ୍ତଗତ ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ରାଜ୍ୟ ମହିଳା କମିସନର ଅଧ୍ୟକ୍ଷା ମୀନତି ବେହେରାଙ୍କ ତିନି ଜଣିଆ ଟିମ୍ ମଧ୍ୟ ବିଜେବି କଲେଜ କାରୁବାକି ଛାତ୍ରୀ ନିବାସରେ ପହଁଚି ଛାତ୍ରୀ ଓ କଲେଜ କର୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ।