ବଡ ଦୁର୍ଘଟଣାରୁ ବର୍ତିଲା ବିଶାଖାପାଟଣା-କୋର୍ବା ଏକ୍ସପ୍ରେସ ! ଭାଙ୍ଗି ଯାଇଥିବା ଟ୍ରାକ ଉପରକୁ ଆସିବା ପୂର୍ବରୁ ଅଟକିଲା

36

କନକ ବ୍ୟୁରୋ : କୋରାପୁଟ ଜୟପୁରରେ ଅଳ୍ପକେ ବର୍ତିଲା ବଡ ଧରଣର ଟ୍ରେନ ଦୁର୍ଘଟଣା । ଗତକାଲି ବିଳମ୍ବିତ ରାତିରେ ବିଶାଖାପାଟଣା-କୋର୍ବା ଏକ୍ସପ୍ରେସ ଏକ ବଡ ଦୁର୍ଘଟଣାରୁ ବର୍ତି ଯାଇଛି । ଭଙ୍ଗା ଟ୍ରାକ ଉପରକୁ ଆସିବା ଆଗରୁ ଅଟକି ଯାଇଥିଲା ବିଶାଖାପାଟଣା-କୋର୍ବା ଏକ୍ସପ୍ରେସ । ଟ୍ରେନ ଗନ୍ତବ୍ୟସ୍ଥଳରେ ପହଞ୍ଚିବାର କିଛି ସମୟ ପୂର୍ବରୁ ଟ୍ରାକରେ ଏକ ଭୟଙ୍କର ଶବ୍ଦ ଶୁଣା ଯାଇଥିଲା । ସଙ୍ଗେ ସଙ୍ଗେ ରେଳ କର୍ମଚାରୀ ସେହି ସ୍ଥାନକୁ ଯାଇ ଟ୍ରାକଟି ଫାଟି ଯାଇଥିବାର ଦେଖିଥିଲେ । ପରେ କର୍ମଚାରୀ ମାନେ ରେଳବିଭାଗକୁ ଏହି ସୂଚନା ଦେବା ପରେ ଅଟକି ଯାଇଥିଲା ବିଶାଖପାଟଣା-କୋର୍ବା ଏକ୍ସପ୍ରେସ ।

train 1ରେଳ କର୍ମଚାରୀଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏକ ବଡ ଧରଣର ରେଳ ଦୁର୍ଘଟଣାରୁ ରକ୍ଷା ପାଇ ଯାଇଛନ୍ତି ଯାତ୍ରୀ । ଟ୍ରାକରେ ଫାଟ ସୃଷ୍ଟି ହେବା ପରେ ଯୁଦ୍ଧକାଳୀନ ଭିତ୍ତିରେ ଏହାର ମରାମତି କରାଯାଇଥିଲା । ମରାମତି କାର୍ଯ୍ୟ ସମାପ୍ତ ହେବା ପର୍ଯ୍ୟନ୍ତ ଷ୍ଟେସନରେ ଅଟକି ଥିଲା ଟ୍ରେନ । ଅଢେଇ ଘଣ୍ଟାର ଟ୍ରାକ ମରାମତି ପରେ ବିଶାଖାପାଟଣା- କୋର୍ବା ମୁନିଗୁଡା ଷ୍ଟେସନ ଛାଡିଥିଲା । ତେବେ ଏତେ ବଡ ଘଟଣା ଘଟିଥିଲେ ମଧ୍ୟ ଯାତ୍ରୀ ମାନେ ଏହାର ଟିକିଏ ବି ସୁରାକ ପାଇ ନଥିଲେ । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ବାରମ୍ବାର ରେଳ ଦୁର୍ଘଟଣା ହେଉଛି କଣ ପାଇଁ । ସାଧାରଣ ଲୋକଙ୍କ ପାଇଁ ରେଳଯାତ୍ରା କେତେ ସୁରକ୍ଷିତ ତାହାକୁ ନେଇ ପ୍ରଶ୍ନ ଉଠିଛି ।