ପ୍ରାଥମିକ ଶିକ୍ଷାରେ ସମାନତା ପାଇଁ ବଡ ପଦକ୍ଷେପ। ୬ ବର୍ଷରେ ପଢିବେ ପ୍ରଥମ ପାଠ।

287

କନକ ବ୍ୟୁରୋ: ଏଣିକି ପ୍ରଥମ ଶ୍ରେଣୀରେ ନାମଲେଖାଇବାକୁ ହେଲେ ପିଲାଙ୍କ ବୟସ ଅତିକମରେ ୬ ବର୍ଷ କିମ୍ବା ତା’ଠାରୁ ଅଧିକ ହେବା ଆବଶ୍ୟକ । ଏହା ପୂର୍ବରୁ ପିଲାଙ୍କ ନାମଲେଖା ହୋଇପାରିବ ନାହିଁ । ନୂଆ ଶିକ୍ଷାନୀତି ଅନୁସାରେ ଏପରି ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ । ଏ ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଜଣାଇଦିଆଯାଇଛି । ନୂଆ ଜାତୀୟ ଶିକ୍ଷା ନୀତି ବା ଏନଇପି ଅନୁଯାୟୀ, ପିଲାଙ୍କ ପାଇଁ ୫ ବର୍ଷର ଶିକ୍ଷଣ ସୁଯୋଗ ୩ରୁ ୮ ବର୍ଷ ମଧ୍ୟରେ ରହିଛି । ଏଥିରେ ତିନି ବର୍ଷର ପ୍ରାକ୍-ସ୍କୁଲ ଶିକ୍ଷା ଏବଂ ଏହା ପରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଅନ୍ତର୍ଭୁକ୍ତ । ଏହି ନୀତି ପ୍ରି-ସ୍କୁଲରୁ ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ନିରବିଚ୍ଛନ୍ନ ଶିକ୍ଷଣ ଓ ବିକାଶକୁ ପ୍ରୋତ୍ସାହିତ କରୁଛି । ମାନସିକ ସ୍ୱାସ୍ଥ୍ୟ ଦୃଷ୍ଟିରୁ୍ କମ୍ ବୟସରୁ ସ୍କୁଲକୁ ପଠାଇବା ଅନୁଚିତ । ବୟସରେ ସମାନତା ନଥିବାରୁ ଅନ୍ୟ ରାଜ୍ୟ ଓ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅସୁବିଧା

ସେପଟେ କେନ୍ଦ୍ରର ଏଭଳି ନିୟମକୁ ଶିକ୍ଷାବିତ ସ୍ୱାଗତ କରିଛନ୍ତି । ଶିକ୍ଷାବିତଙ୍କ କହିବା କଥା ହେଲା,୬ ବର୍ଷରେ ଯାହା ପଢା ହୁଏ ପିଲା ଭଲଭାବେ ଗ୍ରହଣ କରିଥାଏ । ୬ ବର୍ଷ ପରେ ପିଲାର ଚିନ୍ତା ଶକ୍ତି ବଢିଥାଏ । ଶାରୀରିକ ଗଠନ ଦୃଷ୍ଟିରୁ ସ୍କୁଲ ଯିବା ପାଇଁ ଉପଯୁକ୍ତ ସମୟ । ବୟସ କମାଇ ନାମ ଲେଖାଇବା ବନ୍ଦ ହେବ । ନିଯୁକ୍ତି ସମୟରେ ବୟସ ଲୁଚାଇବା ସମ୍ଭବ ହୋଇପାରିବ ନାହିଁ ।

ବର୍ତମାନ ବିହାର, ଉତ୍ତରପ୍ରଦେଶ ସମେତ ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସ୍କୁଲ ଆଡମିଶନ ୬ ବର୍ଷ ରହିଛି । କିନ୍ତୁ ଦିଲ୍ଲୀ, ଗୁଜରାଟ ଓ କେରଳ ଭଳି ରାଜ୍ୟରେ ଏହି ସୀମା ପାଞ୍ଚରୁ ସାଢେ ପାଞ୍ଚବର୍ଷ ରହିଛି । ପିଲାଙ୍କ ମାନସିକତା ଓ ମାନସିକ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସେମାନଙ୍କୁ ଖୁବ୍ କମ୍ ବୟସରୁ ସ୍କୁଲକୁ ପଠାଇବା ଅନୁଚିତ ବୋଲି ଗତବର୍ଷ ସୁପ୍ରିମକୋର୍ଟ ମଧ୍ୟ କହିଥିଲେ । ବର୍ତମାନ ଏହି ନିୟମ ୨୦୨୩-୨୦୨୪ ଶିକ୍ଷାବର୍ଷରୁ ଲାଗୁହେବ ।