ନେତା ଅବତାରରେ ପାୱାରଫୁଲ ବାବୁ: ଭୁବନେଶ୍ୱର କ୍ଲବ ସଭାପତି ପାଇଁ ଅସିତ-ବିଜୟଙ୍କ ମଧ୍ୟରେ ମହାଲଢ଼େଇ

229

କନକ ବ୍ୟୁରୋ: ଆସନ୍ତା ୨୫ ଏବଂ ୨୬ରେ ଭୁବନେଶ୍ୱର କ୍ଲବ ପାଇଁ ପଡିବ ଭୋଟ୍ । ହାଇପ୍ରୋଫାଇଲ ଲୋକଙ୍କୁ ନେଇ ରାଜଧାନୀର ପୋସ୍ ଏରିଆରେ ଥିବା କ୍ଲବର ନିର୍ବାଚନ ଉପରେ କ୍ଷମତାଶାଳୀ ଗୋଷ୍ଠୀଙ୍କ ନଜର ରହିଛି, କାରଣ ଦୀର୍ଘ ବର୍ଷ ପରେ ସଭାପତି ପଦ ପାଇଁ ଏଠି ଭୋଟ୍ ପଡିବାକୁ ଯାଉଛି । ସାମ୍ବାସାମ୍ନି ହୋଇଛନ୍ତି ଅସିତ୍ ତ୍ରିପାଠୀ ଏବଂ ବିଜୟ ପଟ୍ଟନାୟକ ।
ଠିକ୍ ନେତାଙ୍କ ଭଳି ଏହି ନିର୍ବାଚନ ପାଇଁ ବି ପ୍ରତିଶ୍ରୁତି ଦିଆଯାଉଛି । ପୂର୍ବତନ ମୁଖ୍ୟଶାସନ ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅସିତ ତ୍ରିପାଠୀ ସଦସ୍ୟଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି,
-କ୍ଲବର ରୂପାନ୍ତରଣ ପାଇଁ ସେ ଓ ତାଙ୍କ ଟିମ୍ ସଦସ୍ୟ କାର୍ଯ୍ୟ କରିବେ
-ବର୍ତ୍ତମାନ କ୍ଲବ ଯେଉଁ ସ୍ଥିତିରେ ରହିଛି ତାର ଉନ୍ନତୀକରଣ ହେବ
-ଘାଟିକିଆ ନିକଟରେ ତିଆରି ହେଉଥିବା ନୁଆ କ୍ଲବ ପାଇଁ ଆଗୁଆ ପଦକ୍ଷେପ ନିଆଯିବ
-ସହର ମଝିରେ ଥିଲେ ବି କ୍ଲବ ଚେହେରା ଅତି ଦୟନୀୟ, ଏଥିରେ ଉନ୍ନତି ଆସିବ
-ମେଟ୍ରୋ ସହରରେ ଥିବା କ୍ଲବ ଭଳି ଭୁବନେଶ୍ୱର କ୍ଲବର ରୂପରେଖ ହେବ

କିଛି ଏଭଳି ପ୍ରତିଶ୍ରୁତି ସହ ପାଖାପାଖି ୨୫୦୦ ସଦସ୍ୟଙ୍କ ଭରସା ଜିତିବାକୁ ଚେଷ୍ଟା କରିଛନ୍ତି ଅସିତ୍ ତ୍ରିପାଠୀ । ଏକଦା ଶାସନ କଳର ସବୁଠାରୁ ଶୀର୍ଷରେ ଥିବା ଏହି ଅଧିକାରୀ ଏବେ କ୍ଲବର ଶୀର୍ଷ ଆସନ ଦଖଲ କରିବାକୁ ଚେଷ୍ଟା ଚଳାଇଛନ୍ତି ।

ଅସିତଙ୍କ ସାମ୍ନାରେ ରହିଛି ବିଜୟ ଚ୍ୟାଲେଞ୍ଜ । ଏକଦା ପାୱାରଫୁଲ ଅଫିସର୍ ଥିବା ବିଜୟ ପଟ୍ଟନାୟକ ମଧ୍ୟ ସଦସ୍ୟଙ୍କ ଭୋଟ୍ ପାଇବା ପାଇଁ ଉଦ୍ୟମ ଚଳାଇଛନ୍ତି । କ୍ଲବ ମେମ୍ବରଙ୍କୁ ମେସେଜ୍ ପଠାଇ ସେ ଲେଖିଛନ୍ତି, ଭୁବନେଶ୍ୱର କ୍ଲବ ହୃଦୟର ଅତି ନିକଟତର । ଏହି କ୍ଲବକୁ ଏକ ଆକର୍ଷଣୀୟ ସ୍ଥାନ କରିବାକୁ ସେ ତାଙ୍କ ସମୟ ଉତ୍ସର୍ଗ କରିବେ । ସଭାପତି ଭାବେ ତାଙ୍କୁ ନିର୍ବାଚିତ କରିବାକୁ ବିଜୟ ଅପିଲ୍ କରିଛନ୍ତି ।

ଅସିତଙ୍କ ଭଳି ବିଜୟ ପ୍ରତିଶ୍ରୁତିର ପାହାଡ ଦେଇନାହାନ୍ତି, ହେଲେ କ୍ଲବ ପ୍ରତି ଥିବା ତାଙ୍କ ଭଲପାଇବାକୁ ଦର୍ଶାଇବା ସହ ସଦସ୍ୟଙ୍କ ସହଯୋଗ ଲୋଡିଛନ୍ତି । ପ୍ରଶାସନିକ ଅଭିଜ୍ଞତାରେ ପ୍ରତିପକ୍ଷଙ୍କ ଠାରୁ ଆଗରେ ଥିବା ବିଜୟ, ଏହି ରେସରେ ବାଜି ମରୁଛନ୍ତି କି ନାହିଁ, ତା ଉପରେ ନଜର ରହିଛି ।

କେବଳ ସଭାପତି ପଦ ପାଇଁ ଲଢେଇ ରୋଚକ ସ୍ଥିତିରେ ରହିଛି ତାହା ନୁହେଁ, ବରଂ ଉପ ସଭାପତି, ସମ୍ପାଦକଙ୍କ ଠାରୁ ଆରମ୍ଭ କରି କମିଟି ସଦସ୍ୟ ଯାଏଁ ଚାଲିଛି ଜୋରଦାର କ୍ୟାମ୍ପେନିଂ । ସଂପାଦକ ରେସରେ ଅଛନ୍ତି, ଅର୍ଥ ସଚିବ ବିଶାଳ ଦେବ, ପାର୍ଥସାରଥୀ ପାଣିଗ୍ରାହୀ, ଦେବାଶଙ୍କର ତ୍ରିପାଠୀଙ୍କ ସମେତ ୬ ଜଣ । ସେହିଭଳି ଉପ-ସଭାପତି ପାଇଁ ୫ ଜଣ, ଯୁଗ୍ମ ସଂପାଦକ ପଦ ପାଇଁ ୩ ଜଣ, କମିଟି ସଦସ୍ୟ ପାଇଁ ୨୨ ଜଣ ରେସରେ ଅଛନ୍ତି ।

ନିଜ କାର୍ଯ୍ୟକାଳ ସମୟରେ ଦୁଇ ପୁର୍ବତନ ମୁଖ୍ୟ ଶାସନ ସଚିବ ଅନେକ ନିର୍ବାଚନ ପରିଚାଳନା ବି କରିଛନ୍ତି । ହେଲେ ଏବେ ଉଭୟେ ନିର୍ବାଚନ ରେସକୁ ଓହ୍ଲାଇଛନ୍ତି । ଶୁଣିବାକୁ ମିଳୁଛି, ନିଜ ଅନୁଗତଙ୍କୁ ନେଇ ତୁହାକୁ ତୁହା ବୈଠକ କରୁଛନ୍ତି, କାରଣ ସମ୍ମାନର ଏହି ଲଢେଇରେ କେହି ପଛରେ ରହିବାକୁ ଚାହୁଁନାହାନ୍ତି ।