ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍ । ନୋ ଫ୍ଲାଇଂ ଜୋନରେ ଡ୍ରୋନ ଉଡାଇ ସୋସିଆଲ ମିଡିଆରେ ପୋଷ୍ଟ କଲେ ବଙ୍ଗୀୟ ୟୁ-ଟ୍ୟୁବର ।

3,569

କନକ ବ୍ୟୁରୋ: ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ଶ୍ରୀମନ୍ଦିରର ନୋ-ଫ୍ଲାଇଙ୍ଗ୍ ଜୋନରେ ଉଡିଛି ଡ୍ରୋନ୍ । କିଛିଦିନ ତଳେ ଶ୍ରୀମନ୍ଦିର ଭିତରକାଠ ନିକଟ ଫଟୋ ଉଠାଇ ଜଣେ ଯୁବକ ଗିରଫ ହୋଇଥିବାବେଳେ, ପୁଣିଜଣେ ବଙ୍ଗୀୟ ୟୁ-ଟ୍ୟୁବର, ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇଛନ୍ତି । ୟୁନିଫାଏଡ ଅନିମେଶ ନାମରେ ସୋସିଆଲ ମିଡିଆ ଆକାଉଣ୍ଟରୁ ୫ ମିନିଟ ୪୩ ସେକେଣ୍ଡର ଭିଡିଓ ସେୟାର କରାଯାଇଛି । ଯେଉଁଥିରେ ଶ୍ରୀମନ୍ଦିରର ସଂପୂର୍ଣ୍ଣ ମ୍ୟାପିଂ କରାଯାଇଛି । ଶ୍ରୀମନ୍ଦିର ନୀଳଚକ୍ରରୁ ସିଂହଦ୍ୱାର ଯାଏଁ ଅବସ୍ଥିତିକୁ କ୍ୟାମେରାରେ କଏଦ କରାଯାଇଛି ।

ସଂପୂର୍ଣ୍ଣ ଶ୍ରୀମନ୍ଦିର ଚାରିପଟେ ଉଡି ଡ୍ରୋନ କ୍ୟାମେରା ଏସବୁ ଭିଡିଓକୁ କଏଦ କରିଛି । ତେଣୁ ପ୍ରଶ୍ନ ଉଠୁଛି ନୋ-ଫ୍ଲାଇଂ ଜୋନରେ କିଭଳି ଏହି ଭିଡିଓ ରେକର୍ଡ କରାଗଲା ଓ ଏଥିପାଇଁ କିଏ ଅନୁମତି ଦେଲା । ତେବେ ଭିଡିଓର ପ୍ରାରମ୍ଭରେ ଏହି ଭିଡିଓ କରିବାକୁ ଅନୁମତି ଦେଇଥିବାରୁ ପୋଲିସକୁ ଧନ୍ୟବାଦ ଦିଆଯାଇଛି । ଅର୍ଥାତ ପୋଲିସଠାରୁ ଅନୁମତି ନେଇ ବ୍ୟକ୍ତି ଜଣକ ଏହି ଭିଡିଓ କରିଛନ୍ତି କି ? ଯଦି ଅନୁମତି ନେଇନାହାନ୍ତି ତାହାହେଲେ ପୋଲିସ ଏଯାଏଁ କାହିଁକି ଚୁପ ରହିଛି । ଆହୁରି ସାଂଘାତିକ କଥା ହେଲା ବ୍ୟକ୍ତି ଜଣକ ତାଙ୍କ ପାଖରେ ରାତି ସମୟର ଶ୍ରୀମନ୍ଦିରର ଆଉ କିଛି ଭିଡିଓ ଥିବା ଦାବି କରିଛନ୍ତି । ତାକୁ ଠିକଣା ସମୟରେ ପୋଷ୍ଟ କରିବେ ବୋଲି ଉଲ୍ଲେଖ କରିଛନ୍ତି । ଏପରିକି ସଂପୂର୍ଣ୍ଣ ଭିଡିଓ ଚାହୁଁଥିବା ବ୍ୟକ୍ତି ତାଙ୍କୁ ଅର୍ଥଦେଇ ଏହାକୁ କିଣିପାରିବେ ବୋଲି ମଧ୍ୟ ଅଫର ଦେଇଛନ୍ତି । ଯାହାକୁ ନେଇ ଜଗନ୍ନାଥପ୍ରେମୀଙ୍କ ଭିତରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି ।