ଯକୃତ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାସାୟୀ ଘରର ରୋଜଗାରିଆ ପୁଅ। କେମିତି ଚଳିବ ପରିବାର, କେମିତି ହେବ ଚିକିତ୍ସା ଚିନ୍ତାରେ ପରିବାର 

ଯକୃତ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାସାୟୀ ଘରର ରୋଜଗାରିଆ ପୁଅ। କେମିତି ଚଳିବ ପରିବାର, କେମିତି ହେବ ଚିକିତ୍ସା ଚିନ୍ତାରେ ପରିବାର 

କନକ ବ୍ୟୁରୋ: ଅର୍ଥ ଅଭାବରୁ ହୋଇପାରୁନି ଚିକିତ୍ସା । ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଚିଲିକା ଅଞ୍ଚଳର କାହ୍ନୁ ବେହେରା । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଅନ୍ତର୍ଗତ ସାନ ନଇରି ଗ୍ରାମ ପାଲା ପଡିଆ ସାହିରେ ତାଙ୍କ ଘର । ଘରର ମେରୁଦଣ୍ଡ ତଥା ଜଣେ ମାତ୍ର ରୋଜଗାରିଆ ପୁଅ ଏବେ ଘରେ ଶଯ୍ୟାସାୟୀ  ଅବସ୍ଥାରେ ପଡ଼ିରହିଛନ୍ତି । ଦିନ ଥିଲା କାହ୍ନୁ ଚିଲିକାରେ ଡଙ୍ଗା ଚଳାଇ ମାଛ ମାରି ନିଜ ପରିବାର ପ୍ରତିପୋଷଣ କରୁଥଲେ । ବେଶ ହସ ଖୁସିରେ ଚଳୁଥିଲା ତାଙ୍କ ପରିବାର । ସ୍ତ୍ରୀ, ଛୁଆ, ବାପା ଓ ମା’ଙ୍କୁ ନେଇ ଖୁସିର ଚଳୁଥିଲେ । ହସଖୁସିର ସଂସାର ଉପରେ ଘୋଟିଗଲା କଳା ବାଦଲ । ୫ବର୍ଷ ତଳେ ହଠାତ ଲିଭର ଜନିତ ରୋଗରେ ଆକ୍ରାନ୍ତ ହୋଇ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ଅଂଚଳର ବିଭିନ୍ନ ଚିକିତ୍ସାଳୟ ଯାଇ ଚିକିତ୍ସା କରାଇସାରିଲେଣି । ଚିକିତ୍ସା ପାଇଁ ନିଜ ଘର ଓ ଡଙ୍ଗା ବନ୍ଧା ପଡ଼ିଥିବା ବେଳେ ଘରେ ଥିବା ସମସ୍ତ ଅଳଙ୍କାର ବିକ୍ରି କରିସାରିଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ବିଜୁ ସ୍ୱାସ୍ଥ୍ୟ ବୀମାକୁ ବ୍ୟବହାର କରିସାରିଛନ୍ତି । କଟକ ବଡ ମେଡିକାଲରେ ଅପରେସନ୍ ହୋଇସାରିଥିବା ବେଳେ ସେଥିରୁ କୌଣସି ସୁଫଳ ମିଳିନାହିଁ । ଡାକ୍ତରଙ୍କ ପରାମର୍ଶ କ୍ରମେ କାହ୍ନୁ ଦୀର୍ଘ ୬ ମାସ ହେଲା ନିଜ ଘରେ ରହି ଚିକିତ୍ସା ହେଉଛନ୍ତି । ଦୈନିକ ଦୁଇରୁ ତିନି ହଜାର ଟଙ୍କା ଖର୍ଚ୍ଚ କରି ଅକ୍ସିଜେନ ଓ ମେଡ଼ିସିନ୍ ନେଉଛନ୍ତି । ଏବେ ଚିକିତ୍ସା ହେବା ଏକ ପ୍ରକାର କଷ୍ଟକର ହୋଇପଡ଼ିଲାଣି । ନିଜର ବୃଦ୍ଧ, ବାପା, ମା, ସ୍ତ୍ରୀ ଓ ଶିଶୁ କନ୍ୟା ଅଧିକାଂଶ ସମୟ ଭୋକରେ ରହି କାହ୍ନୁଙ୍କର ଚିକିତ୍ସା କରୁଥିବା ବେଳେ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ ଓ କୌଣସି ବଦାନ୍ୟ ବ୍ୟକ୍ତି ସହାୟତାର ହାତ ବଢାଇଲେ କାହ୍ନୁ ବଞ୍ଚିଯିବା ସହିତ ନିଜ ପରିବାରକୁ ବଞ୍ଚାଇବ ବୋଲି ପରିବାର ପକ୍ଷରୁ ଆକୁଳ ନିବେଦନ କରିଛନ୍ତି । ତାଙ୍କୁ ସାହାଯ୍ୟ କରିବାକୁ ଚାହୁଥିଲେ କାହ୍ନୁ ବେହେରା । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ । ତାଙ୍କ ଆକାଉଂଟ ନମ୍ବର ହେଲା ୪୦୦୮୬୧୪୫୦୮୫ । ଆଇଏଫଏସସି କୋଡ- ଏସବିଆଇଏନ୦୦୦୩୩୧୭ । ଏହି ନମ୍ବରରେ ସହାୟତା କରିପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe