କନକ ବ୍ୟୁରୋ: ରାସ୍ତାରେ ଯାଉଥିବା ବେଳେ ହଠାତ୍ ସାମ୍ନାରେ ଯଦି ଭାଲୁ ଆସିଯିବ, ତାହେଲେ ମନରେ ଭୟ ଆସିବା ସ୍ୱାଭାବିକ । କିଛି ଏଭଳି ଦୃଶ୍ୟ ଆସିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରୁ । ଗାଁରେ ଦୁଇଟି ଭାଲୁରୁ ଉପସ୍ଥିତିକୁ ଦେଖି ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଅଭିଭାବକ ଅରାଜି ଥିବା ବେଳେ ବନ ବିଭାଗ ଏହା ଉପରେ ତୀକ୍ଷ୍ମ ନଜର ରଖିଛି ।

Advertisment

ସପ୍ତାହେ ହେଲାଣି ଗାଁରେ ଉତ୍ପାତ କରୁଛି ଭାଲୁ । ବିଦ୍ୟାଳୟ ଯିବାକୁ ଅମଙ୍ଗ ହେଉଛନ୍ତି ଛାତ୍ରଛାତ୍ରୀ। ଏଭଳି ଦୃଶ୍ୟ ଆସିଛି କୋରାପୁଟ ଜିଲ୍ଳା ବୋରଗୁମ୍ମା ବ୍ଲକର ମୁଞ୍ଜା ପଞ୍ଚାୟତରୁ । ପଞ୍ଚାୟତର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ୨୦ରୁ ୩୦ ଛାତ୍ରଛାତ୍ରୀ ପ୍ରତିଦିନ ଏହି ରାସ୍ତା ଦେଇ ବିଦ୍ୟାଳୟକୁ ଯିବା ଆସିବା କରନ୍ତି । ତେବେ ସେହି ରାସ୍ତାରେ ହଠାତ୍ ଭାଲୁ ଦେଖିବା ପରେ ଭୟଭୀତ ହୋଇପଡ଼ିଛନ୍ତି ପିଲା । ଏପରିକି ଭାଲୁର ଉପସ୍ଥିତିକୁ ଦେଖି ଭୟଭୀତ ହୋଇପଡ଼ିଛନ୍ତି ଅଭିଭାବକ । ତୁରନ୍ତ ଭାଲୁକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି କରିଛନ୍ତି ।

ସେପଟେ ଖବର ପାଇ ଭାଲୁର ଗତିବିଧି ଉପରେ ନଜର ରଖିଛି ବନ ବିଭାଗ । ବର୍ଷା ଦିନରେ ଖାଦ୍ୟ ଅଭାବରୁ ଗାଁ ମୁହାଁ ହୋଇଥାନ୍ତି ଭାଲୁ । ତେଣୁ ଭାଲୁକୁ ଦେଖିବା ମାତ୍ରକେ ତୁରନ୍ତ ବନ ବିଭାଗକୁ ଖବର ଦେବାକୁ ପରାମର୍ଶ ଦେଇଛନ୍ତି ଜୟପୁର ଡିଏଫଓ। ବର୍ତ୍ତମାନ ଭାଲୁଙ୍କର ମିଳନ ସମୟ ଥିବାରୁ ସେମାନେ ଟିକିଏ ହିଂସ୍ର ହୋଇଥାନ୍ତି । ତେଣୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । କେବଳ ବୋରିଗୁମ୍ମା ନୁହେଁ, ଆଉ କିଛି ସ୍ଥାନରେ ମଧ୍ୟ ଭାଲୁର ଉପସ୍ଥିତିକୁ ନେଇ ଲୋକଙ୍କ ମନରେ ଭୟ ଦେଖା ଦେଇଛି ।