ଗୋବିନ୍ଦଙ୍କ ସହଯୋଗୀ ରାଧେଙ୍କ ଘରୁ ମିଳିଲା ବ୍ୟାଗ: ମମିତାଙ୍କ ମୋବାଇଲ ନେଇ ସନ୍ଦେହ

278

କନକ ବ୍ୟୁରୋ: ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହଯୋଗୀ ରାଧେଶ୍ୟାମଙ୍କ ଘରୁ ଏକ ବ୍ୟାଗ ମିଳିଛି । ବ୍ୟାଗରେ ମୋବାଇଲ, ପୋଷାକ ଥିବାରୁ ଏହା ମମିତାଙ୍କ ମୋବାଇଲ ବୋଲି ସନ୍ଦେହ କରାଯାଉଛି । ଆଉ ସତରେ ଏହା ମମିତାଙ୍କ ମୋବାଇଲ ହୋଇଥିଲେ ପୁଲିସ ତଦନ୍ତର ମୋଡ ବଦଳିବ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ଅଭିଯୁକ୍ତ ଗୋବିନ୍ଦ ସାହୁ ପୁଲିସ ହେପାଜତରୁ ଫେରାର ପରେ କଲେଜ ଆସି ସିସିଟିଭି ଫୁଟେଜ ଡିଲିଟ କରିଥିବା କୁହାଯାଉଛି ।

ରାଧେଶ୍ୟାମ ଘର ମିଳିଥିବା ମୋବାଇଲ, ଯଦି ମମିତାର ମୋବାଇଲ ହୋଇଥିବ, ତେବେ ଘଟଣାର ସତ ଜାଣିବା ପାଇଁ ପୁଲିସକୁ ବେଶି ଆଉ କସରତ କରିବାକୁ ପଡିବ ନାହିଁ । ଯେଉଁ କାରରେ ମମିତାଙ୍କ ହତ୍ୟା କରାଯାଇଥିଲା, ସେହି କାରର ପଛ ସିଟରେ ଏହି ବ୍ୟାଗ ପଡିଥିଲା ବୋଲି କୁହାଯାଉଛି ।

ଅପରାଧ ଘଟାଇବା ପରେ ଅପରାଧୀ ଯାହା କରିଥାଏ ସେୟା ହିଁ କରିଛି ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । କୁହାଯାଉଛି, ପୋଲିସ ହେପାଜତରୁ ଫେରାର ହେବା ପରେ ମହାଲିଙ୍ଗ କଲେଜକୁ ଆସିଥିଲା ଅଭିଯୁକ୍ତ । ଆଉ ମମିତା ମେହରଙ୍କ ଅଫିସ୍ରେ ଲାଗିଥିବା ସିସିଟିଭି ଫୁଟେଜ ଓ କଲେଜକୁ ଆସିଥିବା ପ୍ରଭାବଶାଳୀ ବ୍ୟକ୍ତଙ୍କ ଭିଡିଓ ମଧ୍ୟ ଡିଲିଟ୍ କରିଥିବା ସୂଚନା ମିଳିଛି ।

ଆଉ ଏକ ବଡ କଥା ହେଉଛି, ଗୋବିନ୍ଦ ସାହୁର କଲ ରେକର୍ଡ ଯାଂଚ ବେଳେ ପୋଲିସ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଥିବା କୁହାଯାଉଛି । ମମିତାଙ୍କୁ ହତ୍ୟା କରିବା ପରେ ଦୁଇ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଫୋନ୍ କରିଥିଲେ ଗୋବିନ୍ଦ । ସେମାନଙ୍କ ସହ ୨ମିନିଟ୍ରୁ ଅଧିକ ସମୟ କଥା ହୋଇଥିବା ସୂଚନା ମିଳିଛି ।

ସେପଟେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଟୁଇଟ କରି ସନ୍ଦେହ ପ୍ରକାଶ କରିଛନ୍ତି, ସେହି ପ୍ରଭାବଶାଳୀ ବ୍ୟକ୍ତି, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନୁହଁନ୍ତି ତ । ଏଣୁ ମନ୍ତ୍ରୀଙ୍କ କଲ ଡିଟେଲ୍ସ ଯାଂଚ କରିବା ପାଇଁ ସେ ଦାବି କରିଛନ୍ତି । ଏଥିରୁ ଅନେକ କିଛି ସ୍ପଷ୍ଟ ହୋଇପାରିବ ବୋଲି ସେ କହିଛନ୍ତି ।