ମରିକି ବି ଅମର ହେଇଗଲା କୁନି ଝିଅ । ନିଜେ ସିନା ଚାଲିଗଲା ହେଲେ ୫ ଜଣଙ୍କୁ ଜୀବନ ଦେଇଗଲା । 

241

କନକ ବ୍ୟୁରୋ : ମରିକି ବି ଅମର ହେଇଗଲା କୁନି ଝିଅ ଧନିଷ୍ଠା । ନିଜେ ସିନା ଚାଲିଗଲା ହେଲେ ୫ ଜଣଙ୍କୁ ଅଙ୍ଗଦାନ କରି ଜୀବନ ଦେଇଗଲା । ଏଭଳି ମହତ କାମ କରି ସାରା ଦୁନିଆ ପାଇଁ ଉଦାହରଣ ପାଲଟିଛି କୁନି ଝିଅ ।

ମରିକି ବି ଅମର ହେଇଗଲା କୁନି ଝିଅ । ନିଜେ ସିନା ଚାଲିଗଲା ହେଲେ ୫ ଜଣଙ୍କୁ ଜୀବନ ଦେଇଗଲା । ଜୀବନ କଣ ଜାଣିନଥିବା କୁନି ଝିଅ ମୃତ୍ୟୁର କୋଳକୁ ଚାଲିଯିବା ଆଗରୁ ଯେଉଁ ମହତ କାମ କରିଯାଇଛି ତାହା ସାରା ଦୁନିଆ ପାଇଁ ଉଦାହରଣ ପାଲଟିଛି । ନିଜ ଶରୀର ଅଙ୍ଗଦାନ କରି ଏବେ ସର୍ବକନିଷ୍ଠ ଅଙ୍ଗଦାତା ହୋଇଛି ଏହି କୁନି ଝିଅ ।

ଏହି ଫଟୋରେ ଥିବା କୁନି ଝିଅଟି ହେଉଛି ଦିଲ୍ଲୀର ଧନିଷ୍ଠା । ବୟସ ମାତ୍ର ଦେଢ ବର୍ଷ । ଏହି କୁନି ଝିଅଟି ଜଣକୁ କି ଦି ଜଣକୁ ନୁହେଁ ୫ ଜଣଙ୍କୁ ଅଙ୍ଗ ଦାନ କରି ନୂଆ ଜୀବନ ଦେଇଛି । ହେଲେ ଦୁଃଖର କଥା ସମସ୍ତଙ୍କ ପ୍ରାଣରେ ଜୀବନ ଫୁଙ୍କିଥିବା ଏ କଅଁଳ କଢି ଆଉ ଏ ଦୁନିଆରେ ନାହିଁ । କିନ୍ତୁ ତା କାମ ଏବେ ଚାରିଆଡେ ଚର୍ଚ୍ଚା ସୃଷ୍ଟି କରିଛି ।

ଜାନୁଆରି ୮ ତାରିଖରେ ଧନିଷ୍ଠା ଦିଲ୍ଲୀର ରୋହିଣୀ ଅଞ୍ଚଳରେ ପ୍ରଥମ ମହଲାରୁ ଖସି ପଡ଼ି ଅଚେତ ହୋଇଯାଇଥିଲା। ଏହାପରେ ପରିବାରଲୋକ ତାକୁ ଚିକିତ୍ସା ପାଇଁ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ଡାକ୍ତରମାନେ ଧନିଷ୍ଠାର ସଙ୍ଗେସଙ୍ଗେ ଚିକିତ୍ସା ଆରମ୍ଭ କରି ଚେତା ଆଣିବାକୁ ଚେଷ୍ଟା କରିଥିଲେ। ଡାକ୍ତରମାନେ ବହୁ ଚେଷ୍ଟା କରିବା ପରେ ଜାନୁଆରି ୧୧ ତାରିଖରେ ଧନିଷ୍ଠାକୁ ବ୍ରେନ ଡେଡ ଘୋଷଣା କରିଥିଲେ।

ଏହାଶୁଣି ଧନିଷ୍ଠାଙ୍କ ମାତା-ପିତାଙ୍କ ସମେତ ଅନ୍ୟ ପରିବାରଲୋକ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଏହାରି ଭିତରେ ସେମାନେ ଧନିଷ୍ଠାକୁ ସବୁଦିନ ପାଇଁ ବଞ୍ଚାଇ ରଖିବା ପାଇଁ ଶିଶୁର ଅଙ୍ଗଦାନ ପାଇଁ ନିଷ୍ପତ୍ତି ନେଇଥିଲେ। ଏହାପରେ ଡାକ୍ତରଙ୍କୁ ନିଜର ଏଭଳି ନିଷ୍ପତ୍ତି ବିଷୟରେ ଜଣାଇଥିଲେ ଧନିଷ୍ଠାର ମାତା-ପିତା। ଡାକ୍ତର ବି ଧନିଷ୍ଠାର ଚିକିତ୍ସା ପରେ ତାର ଅଙ୍ଗଦାନ କରାଯାଇପାରିବ ବୋଲି କହିଥିଲେ। ଶେଷରେ ଧନିଷ୍ଠାର ଶରୀରରୁ ହୃଦୟ, ଲିଭର, ଦୁଇଟି କିଡନୀ ଏବଂ କୋର୍ନିଆ ବାହାର କରାଯାଇଥିଲା। ଧନିଷ୍ଠାର ଏସବୁ ଅଙ୍ଗ ୫ ଜଣଙ୍କଠାରେ ପ୍ରତ୍ୟାରୋପଣ କରାଯାଇଥିଲା। ୨୦ମାସର ଶିଶୁ ଆଖିବୁଜିବା ପୂର୍ବରୁ ଏକାସାଙ୍ଗରେ ୫ଜଣଙ୍କ ଜୀବନ ବଞ୍ଚାଇ ଦେଇ ଚାଲିଯିବା ଘଟଣାକୁ ଯିଏ ଶୁଣୁଛନ୍ତି ତାଙ୍କ ଆଖିରେ ଲୁହ ଭରି ଯାଉଛି ।