କନକ ବ୍ୟୁରୋ: ରାଜଧାନୀରେ ବିକ୍ରି ହୋଇଥିବା ନବଜାତ ଶିଶୁକୁ ଚାଇଲଡ ଲାଇନ ଉଦ୍ଧାର କରିବା ପରର ଏ ହେଉଛି ଦୃଶ୍ୟ । ମାତ୍ର ୨୪ ଘଂଟା ମାଆ ହେବାକୁ ସୁଯୋଗ ପାଇଥିଲେ ସାମେଦ୍ଦୁନ ବିବି । ହେଲେ ଚାଇଲଡ ଲାଇନ୍ ଛୁଆକୁ ନେଇଯିବା ପରେ ପୁଣି ତାଙ୍କ କୋଳ ଖାଲି ହୋଇଯାଇଛି । ସାମେଦ୍ଦୁନ କୋଳରେ ଥିବା ଏହି ୧୦ ଦିନର ନବଜାତକକୁ ୧୦ ହଜାର ଟଙ୍କାରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି ।

Advertisment

ରାଜଧାନୀ ଭୁବନେଶ୍ୱରରେ ଛୁଆ ବିକ୍ରି ଘଟଣାରେ ସାମ୍ନାକୁ ଆସିଛି ଦୁଇଟି ମାଆର ଭିନ୍ନ କାହାଣୀ । ଏପଟେ ଜନ୍ମଦାତ୍ରୀ ମାଆ, ଦାରିଦ୍ର୍ୟର ତାଡ଼ନା ଯୋଗୁଁ କୁନି ପୁଅର ଲାଳନପାଳନ ଦାୟିତ୍ୱ ତୁଳାଇବାକୁ ଅସମର୍ଥ । ସେ ଭିକ୍ଷାବୃତି କରନ୍ତି, ଦୁଇ ଓଳା ପେଟ ଭରି ଖାଇବା ମଧ୍ୟ ସବୁ ଦିନ ମିଳେନି । ଫଳରେ ମାତୃତ୍ୱର ଆନନ୍ଦ ତାଙ୍କ ପାଇଁ ଫିକା ପଡ଼ିଯାଇଛି । ଅନ୍ୟପଟେ ମାତୃତ୍ୱ ପାଇଁ ବିକଳ ହେଉଥିବା ସାମେଦ୍ଦୁନଙ୍କୁ ୧୦ ହଜାର ଟଙ୍କା ଦେଇ ନବଜାତକକୁ ଘରକୁ ନେଇଯାଇଥିଲେ ।

ସୋସିଆଲ ମିଡିଆରେ ଶିଶୁ ବିକ୍ରିର ଭିଡିଓ ଭାଇରାଲ ପରେ ଚାଇଲଡ ଲାଇନକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ । ରାଜଧାନୀର ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ମାଳିସାହିରୁ ଶିଶୁ ପୁତ୍ରକୁ ଉଦ୍ଧାର କରିଥିଲା ଟିମ୍ । ଆଇନ ଆଖିରେ ବିକ୍ରି କରିଥିବା ମାଆ ଓ କିଣିଥିବା ମାଆ ଉଭୟ ଦୋଷୀ । ଆଇନ ଓ ମାଆର ଆବେଗ ଦୁଇଟି ଭିନ୍ନ ଭିନ୍ନ କଥା । କାରଣ ଆଇନ ଅନୁଯାୟୀ ପୋଷ୍ୟ ଶିଶୁ ଗ୍ରହଣ ନକଲେ ପିଲାର ଭବିଷ୍ୟତ ବିଭିନ୍ନ ଆଶଙ୍କା ଭିତରେ ଗତି କରେ ।