ଯେବେ ‘ଫୋନି’ ଭୟରେ ଥରୁଥିଲେ ପୁରୀବାସୀ, ଚଟାଣ ଭଳି ଦୃଢ଼ତାର ସହ ସାମ୍ନା କଲେ ୯୫ ବର୍ଷୀୟ ବୃଦ୍ଧା ପାର୍ବତୀ ।

239

କନକ ବ୍ୟୁରୋ: ସାରା ଓଡ଼ିଶାବାସୀଙ୍କ ଛାତି ଥରାଇ ଫେରିଗଲା ପ୍ରଳୟଙ୍କାରୀ ବାତ୍ୟା ‘ଫୋନି’ । ଆଉ ଏହି ‘ଫୋନି’ର କରାଳ ଗର୍ଜନରେ ଯେତେବେଳେ ଅଧିକ ମାତ୍ରାରେ ଥରୁଥିଲା ପୁରୀ ସେତେବେଳେ ତାକୁ ସାମ୍ନା କରିବାକୁ ଗୋଟିଏ ଛପର ଘର ତଳେ ଦୃଢ଼ତାର ସହ ଛିଡ଼ା ହୋଇଥଲେ ୯୫ ବର୍ଷୀୟ ବୃଦ୍ଧା ପାର୍ବତୀ ଦେବୀ । ଯାହା ଏବେ ସାରା ଅଞ୍ଚଳ ସହ ଜାତୀୟସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ମୁତାବକ, ଗତ ୩ ତାରିଖରେ ଯେତେବେଳେ ‘ଫୋନି’ ପୁରୀକୁ ଆଡ଼କୁ ଧିରେ ଧିରେ ଫଣା ମେଲାଇ ଆସିଥଲା ତାହାର ଗର୍ଜନରେ ଥରି ଉଠିଥିଲେ ପୁରୀବାସୀ । ହେଲେ ପୁରୀ ଟାଉନଠାରୁ ୪୦ କିଲୋମିଟର ଦୂରରେ ଥିବା ଶ୍ରୀମୁକୁନ୍ଦପୁର ଗାଁର ୯୫ ବର୍ଷୀୟ ବୃଦ୍ଧା ପାର୍ବତୀ ଦେବୀ ଏହି ବାତ୍ୟାକୁ ଖାତିର କରିନଥିଲେ । ବରଂ ଏହାକୁ କିଭଳି ଦୃଢ଼ତାର ସହ ମୁକାବିଲା କରିବେ ପ୍ରସ୍ତୁତ ରହିଥିଲେ । ଯେତେବେଳେ ‘ଫୋନି’ର ସଅଁ ସଅଁ ଗର୍ଜନ ତାଙ୍କ କାନରେ ବାଜିଲା ସେ ଘରର କବାଟ ଝରକା ବନ୍ଦ କରି ସାହସର ସହ ସାମ୍ନା କରିଥିଲେ । ଆଉ  ବାତ୍ୟା ଫୋନି ତାଙ୍କ ମନୋବଳ ଭାଙ୍ଗିନପାରି ଶେଷରେ ତାଙ୍କ ଘରକୁ ଛାରଖାର କରିଦେଲା । ଆଉ ତାଙ୍କୁ କ୍ଷତି ପହଁଚାଇବାେ ପୂର୍ବରୁ ଗାଁର ଜଣେ ଯୁବକ ପାର୍ବତୀଙ୍କ କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରିଥିଲେ ।

ସେପଟେ ଏଭଳି ଛାତିଥରା ମହୁର୍ତ୍ତକୁ ନେଇ ପାର୍ବତୀଙ୍କ ଉତ୍ତର ଶୁଣିଲେ ଆପଣଙ୍କ ହୃଦୟ ହୁଏତ ମ୍ରୀୟମାଣ ହୋଇପଡ଼ିବ । କାରଣ ପାର୍ବତୀ କହିଛନ୍ତି କି, “ମୁଁ ଫୋନିକୁ ଭୟ କରିନଥିଲି କାରଣ ମୋ ପାଇଁ ବାତ୍ୟା କିଛି ନୂଆ କଥା ନୁହେଁ, ଦୀର୍ଘ ୯୫ ବର୍ଷ ଭିତରେ ଡଜନ ଘୂଣ୍ଣିଝଡ଼କୁ ପାଖରୁ ଦେଖିଛି । ଆଉ ସବୁବେଳେ ଏହି ଘର କିଭଳି ସୁରକ୍ଷିତ ରହିବ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଥାଏ । ତେଣୁ ଏଥର ମଧ୍ୟ ‘ଫୋନି’କୁ ମୁକାବିଲା କରିବା ପାଇଁ ଚଟାଣ ଭଳି ସାହସ ଜୁଟାଇ ଛିଡ଼ା ହୋଇଥିଲି ।

ଅନ୍ୟପଟେ ପାର୍ବତୀ କୋହଭରା କଣ୍ଠରେ କହିଛନ୍ତି କି, ୧୯୯୯ ମହାବାତ୍ୟା ସମୟରେ ମୋ ସ୍ୱାମୀଙ୍କ ଦେହାନ୍ତ ହୋଇଥିଲା । ସେବେଠାରୁ ଏହି ଘର ମୋର ସବୁକିଛି । ମୋ ପିଲାମାନେ ଭୁବନେଶ୍ୱର ଓ ପୁରୀ ଟାଉନରେ ରହୁଛନ୍ତି । ମୋତେ ପାଖରେ ରଖିବାକୁ ଚାହୁଁଛନ୍ତି କିନ୍ତୁ ଯେଉଁ ଘରେ ମୋ ସ୍ୱାମୀ ଶେଷ ନିସ୍ୱାଶ ତ୍ୟାଗ କରିଛନ୍ତି ତାକୁ ଛାଡ଼ି କୁଆଡ଼େ ଯିବିନାହିଁ । ଆଉ ଏଭଳି ବାତ୍ୟା ଆସିଲେ ମୋ ମନୋବଳକୁ ଭାଙ୍ଗି ପାରିବ ନାହିଁ ବୋଲି କହିଛନ୍ତି ପାର୍ବତୀ । ଶେଷରେ ତାଙ୍କୁ ଉଦ୍ଧାର କରିଥିବା ଯୁବକକୁ କୃତଜ୍ଞତା ଜଣାଇଛନ୍ତି