ରାଜାର କାହାଣୀ: ମାଛ ବିକି ପରିବାର ଚଳାଉଛି, ପାଠ ବି ପଢୁଛି

213

କନକ ବ୍ୟୁରୋ: ଯେଉଁ ବୟସରେ ପିଲାମାନେ ଖେଳକୁଦ କରି ପାଠ ପଢିବା କଥା, ସେହି ବୟସରେ କିନ୍ତୁ ରାଜା କାନ୍ଧରେ ପରିବାରର ବୋଝ । ନିଜ ପରିବାର ମୁହଁରେ ଦି ଓଳି ଦି ମୁଠା ଦାନା ଦେବା ପାଇଁ ମାଛ ବିକୁଛି ଏହି କୁନି ପୁଅ । ଏ ଗାଁରୁ ସେ ଗାଁ, ସାଇକେଲରେ ମାଛ ବିକି ନିଜ ଭବିଷ୍ୟତ ଗଢିବାକୁ କସରତ କରୁଛି, ପାଠ ପଢିବା ସହ ମାଛ ବିକି ନିଜ ପରିବାର ପାଇଁ ଆଶାର ଆଲୋକ ସାଜିଛି ।

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ କଢିମାଳ ଗାଁ ସନାତନ ମଲ୍ଲିକଙ୍କ ପୁଅ ରାଜା ମଲ୍ଲିକ । ରାଜା ସ୍ଥାନୀୟ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଛି । ପରିବାରର ଆର୍ଥିକ ସ୍ଥିତି ଖରାପ ଥିବାରୁ ମାଛ ବିକୁଛି ଏହି କୁନି ପୁଅ । ସ୍କୁଲ ବନ୍ଦଥିବା କାରଣରୁ ପରିବାରକୁ ସହାୟତା କରିବା ପାଇଁ ସାଇକେଲରେ ମାଛ ବାନ୍ଧି ଗାଁ ଗାଁ ବିକ୍ରି କରୁଛି । ବାପା ମାଛ ଧରୁଥିବା ବେଳେ ବିକ୍ରି କରିବାର ଦାୟିତ୍ୱ କିନ୍ତୁ ରାଜା ନିଜ କାନ୍ଧକୁ ନେଇଛି ।

ସକାଳ ପାଇଲେ ମାଛକୁ ଏକ ଟ୍ରେରେ ରଖି ସାଇକେଲ୍ ପଛରେ ବାନ୍ଧି ରାଜା ବାହାରି ଯାଏ ମାଛ ବିକ୍ରି କରିବାକୁ । ମାଛ ବିକି ଘରକୁ ଫେରିବା ବେଳକୁ ଦିନ ୧୧ଟା ବାଜେ । ତା ବୟସର ପିଲାମାନେ ପାଠପଢା ଏବଂ ଖେଳକୁଦ କରୁଥିବା ବେଳେ ରାଜା କିନ୍ତୁ ସେସବୁକୁ ପରିବାର ପାଇଁ ଜଳାଞ୍ଜଳି ଦେଇ ଦେଇଛି । ଯେଉଁ ହାତ କଲମ ଧରିବା କଥା ସେହି ହାତରେ ଆଜି ସେ ନିକିତି ଧରି ମାଛ ଓଜନ କରୁଛି । ରାଜା କେବଳ ନିଜ ପରିବାର ପାଇଁ ନୁହେଁ ବରଂ ନିଜ ପାଠପଢା ପାଇଁ ମଧ୍ୟ ଅଣ୍ଟା ଭିଡିଛି ।

ରାଜାର ମାଛ କିଣିବା ପାଇଁ ମଧ୍ୟ ଗାଁ ଲୋକେ ବେଶ ଉତ୍ସାହ ଦେଖାଇଥାନ୍ତି । ରାଜାଠାରୁ ମାଛ କିଣିବାକୁ ସେମାନେ ତାକୁ ଅପେକ୍ଷା କରି ରହିଥାନ୍ତି । ନିଜେ ପରିଶ୍ରମ କରି ନିଜ ପରିବାର ଚଳାଇବା ସହ ପାଠ ପଢା ଭଳି ମହତ କାମ କରୁଥିବାରୁ ଏବେ ରାଜାକୁ ସ୍ଥାନୀୟ ଲୋକମାନେ ବେଶ ପ୍ରଶଂସା କରିଛନ୍ତି । ଆଉ ତା ପାଠ ପଢା ଖର୍ଚ୍ଚ ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ।