ବାଲେଶ୍ୱରର କୁନି ବୈଜ୍ଞାନିକ । ବାପାଙ୍କ କଷ୍ଟ ଦେଖି ତିଆରି କଲେ ନୂଆ କୃଷି ଯନ୍ତ୍ର । ବିଲରେ ଏକାସାଙ୍ଗରେ ମେସିନ କରିପାରିବ ୬ ପ୍ରକାର କାମ

1,192

କନକ ବ୍ୟୁରୋ: କୁନି ହାତରେ ବଡ ଉଦ୍ଭାବନ । କୃଷକଙ୍କ କଷ୍ଟ ଦୂର କରିବାକୁ ତିଆରି କଲେ କୃଷି ଯନ୍ତ୍ରପାତି । ନୂତନ ଜ୍ଞାନକୌଶଳରେ ନିର୍ମିତ ଏହି ଯନ୍ତ୍ରପାତି ଏକା ସାଙ୍ଗରେ ୬ଟି ଚାଷ କାମ କରିପାରିବ । ଚାଷୀଙ୍କ ପରିଶ୍ରମକୁ ହାଲକା କରିବାକୁ ଏଭଳି ଏକ ଯନ୍ତ୍ର ନିର୍ମାଣ କରିଛନ୍ତି ସପ୍ତମ ଶ୍ରେଣୀର ଛାତ୍ର । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଧୁପୁରା ଗାଁର ୧୨ ବର୍ଷର କୁନି ପୁଅ ବିପ୍ଳବ ଘୋଷ ଚାଷୀଙ୍କ ସୁବିଧା ପାଇଁ ଏମିତି ଏକ ଭିନ୍ନ ଯନ୍ତ୍ର ତିଆରି କରି ଏବେ ସାରା ବସ୍ତା ଅଞ୍ଚଳରେ କୁନି ବୈଜ୍ଞାନିକ ଭାବେ ଚର୍ଚ୍ଚିତ ହୋଇଛନ୍ତି ।

ତେବେ ବିପ୍ଳବ କରିଥିବା ଏହି ଯନ୍ତ୍ର ସାହାଯ୍ୟରେ ଅଳ୍ପ ସମୟରେ ଅନେକ ଚାଷ କାମ କରିହେବ । ମେସିନ ସାହାଯ୍ୟରେ ଏକାସାଙ୍ଗରେ ବିଲରେ ହଳ କରିହେବ, ବିହନ ବୁଣିହେବ, ଆଉ ମହି ଦେଇଦେବ । ଏଥି ସହ ବିଲରେ ପାଣି ସିଞ୍ଚନ ସହ କୀଟନାଶକ ଓ ସାର ପ୍ରୟୋଗ ବି କରିହେବ । ଏହି ମେସିନ ମଜୁରୀ କମ ଖର୍ଚ୍ଚ କରିବ ବୋଲି ବିପ୍ଳବ କହିଛନ୍ତି ।

ସବୁଠାରୁ ବଡ କଥା ହେଉଛି ନିଜ ବିଲରେ ନିଜ ବାପାଙ୍କ କଷ୍ଟ ଦେଖି ପୁଅ ବିପ୍ଳବ ଏଭଳି ଏକ ଯନ୍ତ୍ର ତିଆରି କରିବାକୁ ମନସ୍ଥ କରିଥିଲେ । ଆଉ ଶିକ୍ଷକଙ୍କ ସହାୟତାରେ ଶେଷରେ ସେ ଏ ମେସିନ ତିଆରି କରିପାରିଛନ୍ତି । ତେବେ ଏହି ମେସିନ ପ୍ରଦର୍ଶନ କରି ବିପ୍ଳବ ରାଜ୍ୟ ସ୍ତରରୁ, ଜାତୀୟ ସ୍ତରରେ ମଧ୍ୟ ପୁରସ୍କାର ପାଇଛନ୍ତି । ଆଗାମୀ ମାସରେ ନିଜ ପ୍ରୋଜେକ୍ଟକୁ ଦିଲ୍ଲୀରେ ପ୍ରଦର୍ଶିତ କରିବାକୁ ଥିବା ବେଳେ ରାଷ୍ଟ୍ରପତିଙ୍କ ସହ ଟି-ପାର୍ଟିରେ ଯୋଗଦେବେ । ସେପଟେ ଆଜିର ଯୁବ ସମାଜ ଚାଷ ପ୍ରତି ଇଚ୍ଛା ପ୍ରକାଶ କରୁ ନଥିବା ବେଳେ ପାଠ ପଢି କୃଷି ବୈଜ୍ଞାନିକ ହେବାକୁ ବିପ୍ଳବ ଲକ୍ଷ୍ୟ ରଖିଛନ୍ତି ।