ପୂରଣ ହେଲା ୪୨ବର୍ଷର ସ୍ୱପ୍ନ : ଇନ୍ଦ୍ରାବତୀ ବିଜୁଳିରେ ଝଲସିବ କଳାହାଣ୍ଡି, ଭିଡିଓ କନଫରେନ୍ସିଂରେ ଶକ୍ତି ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ; ଉପକୃତ ହେବେ ୪୫ ହଜାର ଉପଭୋକ୍ତା

189

କନକ ବ୍ୟୁରୋ : କଳାହାଣ୍ଡି ବାସୀଙ୍କର ପୂରଣ ହୋଇଛି ଦଶନ୍ଧୀ ଦଶନ୍ଧୀର ସ୍ୱପ୍ନ । ଗାନ୍ଧି ଜୟନ୍ତୀରେ ଲୋକାର୍ପଣ ହୋଇଛି ଜିଲ୍ଲାର ୩ ବଡ ଶକ୍ତି ପ୍ରକଳ୍ପ । ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଲୋକାର୍ପଣ  କରଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଏହି ଅବସରରେ ଲୋକାର୍ପଣ ଉତ୍ସବରେ ଯୋଗ ଦେଇଥିଲେ ଶକ୍ତି ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର । ଏବେ ଇନ୍ଦ୍ରାବତୀ ବିଜୁଳିରେ ଝଲସିବ କଳାହାଣ୍ଡି ।  ଇନ୍ଦ୍ରାବତୀ ପ୍ରକଳ୍ପର ପରିକଳ୍ପନା ୧୯୪୨ ମସିହାରେ କଳାହାଣ୍ଡିର ତତ୍କାଳୀନ ମହାରାଜ ପ୍ରତାପ କେଶରୀ ଦେଓ କରିଥିଲେ । 

ଏଥିପାଇଁ ୧୯୭୮ରେ ଶିଳାନ୍ୟାସ ହୋଇଥିଲା । ପ୍ରକଳ୍ପରୁ ବିଦ୍ୟୁତ ଉତ୍ପାଦନ ୧୯୯୯ ମସିହାରୁ ଆରମ୍ଭ ହୋଇଥିଲେ ବି ଏଠାରୁ ଜିଲ୍ଲାବାସୀଙ୍କୁ ମିଳୁନଥିଲା ବିଜୁଳି । ଏବେ ତିନୋଟି ଶକ୍ତି ପ୍ରକଳ୍ପର ଲୋକାର୍ପଣ ସହିତ କଳାହାଣ୍ଡିବାସୀ  ଆଜି ଠାରୁ ବିଜୁଳି ମିଳିଛି । ଜୟପାଟଣା ବ୍ଲକ ବାନେରଠାରେ ନିର୍ମିତ ୨୨୦ କେଭିର ଗ୍ରୀଡର ଶୁଭ ଉଦଘାଟନ ହୋଇଛି । ଏହାଦ୍ୱାରା ପ୍ରାଥମିକ ପର୍ଯ୍ୟାୟରେ ଜୟପାଟଣା, କୋକସରା ଓ କଲମପୁର ବ୍ଲକର ୪୫ ହଜାର ଉପଭୋକ୍ତା ଉପକୃତ ହେବେ ।

ବାନେରରେ ୨୨୦ କେଭି ଗ୍ରୀଡର କାମ ୨୯ ଏକର ପରିବ୍ୟାପ୍ତ ଅଂଚଳରେ  ୮୯ କୋଟି ବ୍ୟୟ ଅଟକଳରେ ୨୦୧୬ ମସିହାରୁ ଆରମ୍ଭ ହୋଇଥିଲା । ଏହି ଗ୍ରୀଡ ହେବାପରେ  ଗତ ଜାନୁଆରୀ ମାସରୁ ଇନ୍ଦ୍ରାବତୀ  ମେଗା ଲିଫ୍ଟକୁ ସଂଯୋଗ ଦିଆଯାଇ ପରୀକ୍ଷାମୂଳକ ଭାବେ ୬ ହଜାର ହେକ୍ଟର ଜମିରେ ଜଳସେଚନ ଆରମ୍ଭ ହୋଇଛି । ଏଠାରୁ ୬ ଶହ ମେଗାୱାଟ ବିଜୁଳି ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି । ପ୍ରକଳ୍ପ ଲୋକାର୍ପଣ ପରେ ସ୍ଥାନୀୟ ଅଂଚଳରେ ଖୁସି ଖେଳିଯାଇଛି ।