କନକବ୍ୟୁରୋ:୬୫ ବର୍ଷ ବୟସରେ ଅସହାୟ ଅବସ୍ଥାରେ ଭଙ୍ଗା କୁଡିଆରେ ରହୁଛନ୍ତି ସତ୍ୟରାଣୀ । ଦିନେ ସ୍ୱାମୀ, ଦୁଇ ପୁଅ ଓ ଗୋଟିଏ ଝିଅଙ୍କୁ ନେଇ ସତ୍ୟରାଣୀଙ୍କର ଏକ ସୁନ୍ଦର ସଂସାର ଥିଲା । ହେଲେ ଏବେ ତାଙ୍କ ପାଖରେ କିଛି ନାହିଁ, କେହି ନାହାନ୍ତି । ସେ ଏକା ଏବଂ ସଂପୂର୍ଣ୍ଣ ଅସହାୟ । ସ୍ୱାମୀ ଆରପାରିରେ, ଝିଅ ବାହା ହୋଇ ଶାଶୁଘରେ, ବଡ ପୁଅ ବାହା ହୋଇ ଅନ୍ୟତ୍ର ରହୁଛି, ସାନ ପୁଅ ୫ ବର୍ଷ ହେଲା ଦାଦନ ଖଟିବାକୁ ଯାଇଛି ଯେ, ଆଉ ଫେରିନି । ସଂସାର ଛାରଖାର ହୋଇଯିବା ପରେ ଅନ୍ଧାର କିଟକିଟ ଭଙ୍ଗା ଦଦରା ଘରେ ମାନସିକ ଦୁଶ୍ଚିନ୍ତାରେ କାଳ କାଟୁଛନ୍ତି ବିଧବା ବୃଦ୍ଧା ସତ୍ୟରାଣୀ । ଅସ୍ୱାସ୍ଥ୍ୟକର ପରିବେଶରେ ରହିରହି ବୃଦ୍ଧାଙ୍କ ମାନସିକ ସ୍ଥିତି ବିଗିଡି ଗଲାଣି ।

Advertisment

ବିଧବା ଭତା ମିଳୁଥିଲେ ମଧ୍ୟ ବ୍ୟାଙ୍କକୁ ଯାଇ ଟଙ୍କା ଆଣୁନାହାନ୍ତି । ରାସନ କାର୍ଡ ଥିଲେ ବି ପଂଚାୟତକୁ ଯାଇ ଚାଉଳ ଆଣିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି କହିଛନ୍ତି ଗ୍ରାମବାସୀ । ଗ୍ରାମବାସୀଙ୍କ ହାତ ଟେକାରେ ଜୀବନ ସିନା ବଂଚିଛି, ହେଲେ ପ୍ରଶାସନିକ ସ୍ତରରେ ପକ୍କା ଘରଟିଏ ଏଯାଏଁ ମିଳିନି । ବିଜେଡି ସରକାର ଅମଳରେ ତ ମିଳିଲା ନାହିଁ, ନୂଆ ସରକାରରେ ସତ୍ୟରାଣୀଙ୍କ ଭାଗ୍ୟ ବଦଳିବ, ଏବଂ ପକ୍କା ଘରଟିଏ ମିଳିବ ବୋଲି ଆଶା ରଖିଛନ୍ତି ଗ୍ରାମବାସୀ ।ରାଜ୍ୟରେ ଡ଼ବଲ ଇଂଜିନ ସରକାର ଶାସନ କ୍ଷମତାକୁ ଆସିଥିବାରୁ ଲୋକଙ୍କ ମନରେ ବିଶ୍ୱାସ ଜନ୍ମିଛି । ଏହି ଅସହାୟ ବିଧବା ମହିଳାଙ୍କ ଦୁଃଖ ବୁଝି ଘରଟିଏ ଯୋଗାଇ ଦେଲେ ବାକି ଜୀବନ ଶାନ୍ତିରେ କଟନ୍ତା ବୋଲି କହିଛନ୍ତି ସ୍ଥାନୀୟ ଗ୍ରାମବାସୀ ।