କନକ ବ୍ୟୁରୋ: ଏବେବି ଚାଲିଛି ଚିଟଫଣ୍ଡ ଲୁଟ୍ । ଦୁଇ ଗୁଣା ଟଙ୍କା ପାଇବା ଲୋଭରେ ଜମାକାରୀ ଟଙ୍କା ଲଗାଉଛନ୍ତି ଏବଂ ଠକେଇର ଶିକାର ହେଉଛନ୍ତି । ଏମିତି ଏକ ଚିଟଫଣ୍ଡ ଠକେଇ ଘଟଣାରେ ଭୁବନେଶ୍ୱରର ମୋହନ ପରିଡ଼ାଙ୍କୁ ବାନ୍ଧିଛି ଇଓଡବ୍ଲୁ । ୱେ ଟୁ ଆଡ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ନାଁରେ ୩ମାସରେ ଦୁଇଗୁଣା ଟଙ୍କା ଦେବାକୁ କହି ଲୁଟୁଥିଲା ଅଭିଯୁକ୍ତ ମୋହନ । ୨୦୨୦ରୁ ୨୦୨୩ମଧ୍ୟରେ ହୋଇଛି ଠକେଇ ।

Advertisment

ଚିଟଫଣ୍ଡ ଠକର ସାଙ୍ଗାତିକ କାରନାମା । ଚାନ୍ଦବାଲିର ଏହି ଚିଟଫଣ୍ଡ ଠକର କାହାଣୀ ଅର୍ଥତତ୍ୱ, ସିସୋର କମ୍ପାନୀ ଠାରୁ ବି ଭୟଙ୍କର । ଏ ହେଉଛି ସେହି ଚିଟଫଣ୍ଡ ଠକ ମୋହନ କୁମାର ପରିଡା । ୨୦୨୦ ମସିହାରୁ ୨୦୨୩ ମଧ୍ୟରେ ମୋହନ ୱେ ଟୁ ଆଡ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ସଂସ୍ଥା ନାଁରେ ଲୋକଙ୍କୁ ଚୁନା ଲଗାଇଥିଲା । ପୋଞ୍ଜି ସ୍କିମ ଏବଂ ପିରାମିଡିକ ବାଇନାରି ଷ୍ଟ୍ରକ୍ଚର ଭଳି ଦୁଇଟି ସ୍କିମ ଜରିଆରେ ଜମାକାରୀଙ୍କୁ ଲୁଟି ଚାଲିଥିଲା । ବିଶେଷକରି ଜମାକାରୀଙ୍କ ମୂଳ ଟଙ୍କାର ୨୬ ପ୍ରତିଶତ ସୁଧ ଦେବାକୁ କହି ଲୋକଙ୍କ ଠାରୁ ନେଇଥିଲା ଟଙ୍କା । ଯଦି କୈାଣସି ବ୍ୟକ୍ତି ୩ ଜଣ ଜମାକାରୀ ଏକାଠି କରନ୍ତି ତାଙ୍କୁ ଆହୁରି ୨ ପ୍ରତିଶତ ଅଧିକ ଟଙ୍କା ଫେରାଇବାର ପ୍ରତିଶୃତି ଦେଉଥିଲା । ଲୋକଙ୍କ ବିଶ୍ୱାସ ଭାଜନ ହେବା ପାଇଁ ପ୍ରାଥମିକ ଭାବରେ ଟଙ୍କା ବି ଫେରସ୍ତ କରିଥିଲା । ଏହିଭଳି ପ୍ରଲୋଭନ ଦେଖାଇ ଓଡିଶାର ୨ ହାଜର ଲୋକଙ୍କ ଠାରୁ ୫୦ କୋଟି ଟଙ୍କା ଠକି ନେଇଥିଲା ଏହି ଧୁର୍ତ ।

କେମିତି ଥିଲା ଏହି ଠକର ମାୟାଜାଲ? ଆସନ୍ତୁ ନଜର ପକାଇବା ।
- ସଂସ୍ଥାର ସମସ୍ୟ ହେବା ପାଇଁ ୨୫୦୦ ଟଙ୍କା ଡିପୋଜିଟ କରିବାର ନିୟମ ଥିଲା
- ଟଙ୍କା ପଇଠ କରିସାରିବା ପରେ, ଏକ ଲଗ-ଇନ ଆଇଡି ମିଳିଯାଉଥିଲା
- ଆଇଡି ମିଳିବା ପରେ, ବ୍ୟକ୍ତି ଜଣକ ଆହୁରି ୩ ଜଣଙ୍କୁ ଏଥିରେ ସାମିଲ କରିପାରିବେ
- ଯେଉଁଥିପାଇଁ ତାଙ୍କୁ ମଧ୍ୟ ଅଧିକ ବୋନସର ବ୍ୟବସ୍ଥା ରହିଥିଲା
- ଏହାସହ ୫୦୦ ଟଙ୍କାର ଆୟୁର୍ବେଦିକ ଔଷଧ ମଧ୍ୟ ମଳୁଥିଲା
- ଏହି ସଂସ୍ଥା ବିଶେଷକରି ଅନଲାଇନ ରିଚାର୍ଜ, ଡିଟୁଏଚ୍, ଏୟାର ଟିକେଟ, ବସ ଟିକେଟ ଇତ୍ୟାଦି ଡିଲ କରୁଥିଲା
- ମୋଟା ଅଙ୍କର ଟଙ୍କା ପାଇବା ପରେ, ସେବୁକୁ ବନ୍ଦ କରି ଛୁ’ ମାରିଥିଲା

ଲୋକଙ୍କ ଟଙ୍କା ଆତ୍ମସାତ କରିଥିବା ଏହି ଠକ ୫୦ କୋଟି କେଉଁଠି ବିନିଯୋଗ କରିଛି? କୁଆଡେ ଗଲେ ଏହି ଠକର ସଂପର୍କରେ ଥିବା ବ୍ୟକ୍ତି ବିଶେଷ? ଲୋକଙ୍କ ଜମାଟଙ୍କା ଫେରାଇବା ପାଇଁ ବ୍ୟାଙ୍କ ଆକାଉଁଟର ଖୋଳତାଡ ଆରମ୍ଭ କରିଛି ଅର୍ଥନୈତିକ ଅପରାଧ ଶାଖା ।