ସୀମା ଟପିଲା ବର୍ବରତା: ବାପା ଆଗରେ ୫ ବର୍ଷର ଶିଶୁକୁ ପଥରରେ ଛେଚି ହତ୍ୟା, ମୃତ ଶିଶୁର ହାତ ଗୋଡ କାଟି ଗାଁ ଦାଣ୍ଡରେ ବୁଲିଲା ଅଭିଯୁକ୍ତ

483

କନକ ବ୍ୟୁରୋ: ନବରଙ୍ଗପୁର ଡାବୁଗାଁ ଥାନା ଅଂଚଳରେ ଏପରି ଏକ ହତ୍ୟାକାଣ୍ଡ ଘଟିଛି, ଯାହା ଆପଣଙ୍କ ଛାତି ଥରାଇ ଦେବ । ଜଣେ ୫ ବର୍ଷର ଶିଶୁକୁ ପଥରରେ ଛେଚି ହତ୍ୟା କରିବା ପରେ ହାତ ଗୋଡ଼ କାଟି ଫିଙ୍ଗି ଦେଇଛି ଜଣେ ଯୁବକ । ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ବେଳେ କାହିଁକି ଏପରି ବୀଭତ୍ସ ଭାବେ ଶିଶୁକୁ ହତ୍ୟାକଲା, ତାହା ସାମ୍ନାକୁ ଆସିପାରିନାହିଁ । ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ପୁଲିସ ।

ଚନ୍ଦନ ପୂଜାରୀ
ବାପା – ସନାଧର ପୂଜାରୀ
ବୟସ – ୫ ବର୍ଷ

ଏହି ନିଷ୍ପାପ ଶିଶୁକୁ କେହି ଅତି ଜଘନ୍ୟ ଭାବେ ହତ୍ୟା କରିବ, ଏହାକୁ ବିଶ୍ୱାସ କରିବା ଯେତିକି କଷ୍ଟ, ସେତିକି ହୃଦୟ ବିଦାରକ । ଏଭଳି ଛାତିଥରା ଘଟଣା ଘଟିଛି ଡାବୁଗାଁ ଥାନା ବୋରିଗାଁ ପଂଚାୟତର ମେଣ୍ଡରା ଗାଁରେ ।

ଗୁରୁବାର ସକାଳ ପ୍ରତିଦିନ ପରି ପୂଜା କରିବାକୁ ଗ୍ରାମ ନିକଟରେ ଏକ ଛୋଟ ପାହାଡ ଉପରେ ଥିବା ସରଧେଶ୍ୱର ଶିବ ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ ସନାଧର ପୂଜାରୀ । ବାପାଙ୍କ ସହ ଯିବାକୁ ଅଳି କରିବାରୁ ଅଜାଙ୍କ ସହ ମନ୍ଦିରକୁ ଯାଇଥିଲା କୁନିପୁଅ ଚନ୍ଦନ । ପୂଜାରେ ବ୍ୟସ୍ତ ଥିଲେ ବାପା ସନାଧର, ମନ୍ଦିର ଆଗରେ ଖେଳୁଥିଲା ଚନ୍ଦନ । କେହି ଜାଣିନଥିଲେ, କାଳ ଅପେକ୍ଷା କରି ରହିଛି ଏହି ସମୟକୁ । ଅଚାନକ ଚନ୍ଦନ ମୁଣ୍ଡକୁ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରିଥିଲା ସେହି ମେଣ୍ଡରା ଗାଁର ୨୩ ବର୍ଷୀୟ ଯୁବକ ଜଳ ସାନ୍ତା । ପୁଅର ଅବସ୍ଥା ଦେଖି ଅଚେତ ହୋଇ ଯାଇଥିଲେ ସନାଧର । ଏପଟେ ରକ୍ତମୁଖା ହୋଇ ଉଠିଥିବା ଅଭିଯୁକ୍ତ, ମୃତ ଚନ୍ଦନର ହାତ ଗୋଡ଼ କାଟି ଗାଁ ଦାଣ୍ଡରେ ବୁଲିଥିଲା ଅଭିଯୁକ୍ତ । ସନାଧରଙ୍କ ଚେତା ଆସିବା ପରେ ସବୁ କିଛି ଶେଷ ହୋଇ ସାରିଥିଲା ।

ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ପରିବାର ଉପରେ ଭାଙ୍ଗି ପଡିଥିଲା ଦୁଃଖର ପାହାଡ଼ । ଅତି ସମ୍ବେଦଶୀଳ ଘଟଣା ହୋଇଥିବାରୁ ସାଇଂଟିଫିକ୍ ଟିମ୍ ସହ ନବରଙ୍ଗପୁର ଏସପି ରୋହିତ ବର୍ମା, ଉମରକୋଟ ଏସଡିପିଓ ମଧୁସିକ୍ତା ମିଶ୍ର, ଡାବୁଗାଁ ଥାନା ଅଧିକାରୀ ସୁନିଲ କୁମାର ପ୍ରଧାନ ପ୍ରମୁଖ ଗାଁରେ ପହଁଚିଥିଲେ । ମୃତଦେହ ଜବତ କରିବା ସହ ଅଭିଯୁକ୍ତ ଜଳ ସାନ୍ତାକୁ ଗିରଫ କରିଛି ଡାବୁଗାଁ ପୁଲିସ । କାହିଁକି ଜଣେ ୫ବର୍ଷର କୋମଳମତି ଶିଶୁକୁ ଅତି ନୃଶଂସ ଅଭିଯୁକ୍ତ ହତ୍ୟା କଲା, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ବିଭିନ୍ନ ଦିଗକୁ ଦୃଷ୍ଟିରେ ତଦନ୍ତ କରୁଛି ଡାବୁଗାଁ ପୁଲିସ ।