କନକ ବ୍ୟୁରୋ: ଅଜଣା ରୋଗରେ ଆକ୍ରାନ୍ତ ଶିଶୁ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ଶିଶୁଟିର ପେଟ ଦିନକୁ ଦିନ ଫୁଲି ଯାଉଛି । ପୁଅ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଗରିବ ବାପାଙ୍କ ଆର୍ଥିକ ଅନଟନ ଚିକିତ୍ସାରେ ବାଧା ସୃଷ୍ଟି କରିଛି । ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ କହ୍ନେଇମୁଣ୍ଡା ଗାଁର ଦାମ ନାୟକଙ୍କ ୫ ବର୍ଷର ପୁଅ ଚନ୍ଦ୍ର ନାୟକ । ଖେଳିବା ବୁଲିବା ବୟସରେ ବିଛଣାରେ ପଡି ଯନ୍ତ୍ରଣାରେ ଛଟପଟ ହେଉଛି । ଶିଶୁଟିର ପେଟ ଅସହ୍ୟ ଭାବରେ ବଢି ଚାଲିଛି । ପୁଅକୁ ସୁସ୍ଥ କରିବା ପାଇଁ ବାପା ବଡ-ବଡ ଡାକ୍ତରଖାନାକୁ ଯାଇଛନ୍ତି, ପାଖରେ ଥିବା ସବୁ ସମ୍ବଳ ସାରିଲେଣି । କଟକରେ ୧ ମାସ ଧରି ଚିକିତ୍ସା ହେଉଥିବା ବେଳେ ଘରେ  ଗୋଟିଏ ଝିଅର ଦେହାନ୍ତ ହୋଇଛି । ଝିଅର ଶୁଦ୍ଧିକ୍ରିୟା କରିବା ପାଇଁ ଘରକୁ ଆସିଥିଲେ । ହେଲେ ଏବେ ଆଉ ଡାକ୍ତରଖାନା ଯିବା ପାଇଁ ପାଖରେ ଟଙ୍କାଟିଏ ନାହିଁ । ତେଣୁ ନିରୁପାୟ ହୋଇ ପୁଅକୁ ଡାକ୍ତରଖାନା ନନେଇ ଭଗବାନଙ୍କୁ ଭରସା କରି ଘରେ ରଖିଛନ୍ତି ।

Advertisment

ବାପା ପାଖରେ ସମ୍ବଳ ନଥିବାରୁ ଘରେ ରହି ଯନ୍ତ୍ରଣା ଭୋଗୁଛି କୁନି ପୁଅ । ଦିନକୁ ଦିନ ଅବସ୍ଥା ବିଗିଡି ଯାଉଛି । ତେଣୁ ତାଙ୍କ ଚିକିତ୍ସା ପାଇଁ ସହାୟତା ଲୋଡିଛନ୍ତି ପରିବାର ଲୋକ ଓ ଗ୍ରାମବାସୀ । ଅନ୍ୟପଟେ ପରିବାର ପାଖରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଥିବା ବେଳେ ସଚେତନତା ଅଭାବରୁ ତାହା କାର୍ଯ୍ୟରେ ଆସିପାରୁନାହିଁ । ଖବର ପାଇ ରାଷ୍ଟ୍ରୀୟ ବାଲ ବିକାଶ ଯୋଜନାର ବିଭାଗୀୟ ଅଧିକାରୀମାନେ ପହଂଚି ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଦେଖି ତାର ସମସ୍ତ ଚିକିତ୍ସା କରିବା ନେଇ ସୂଚନା ଦେଇଛନ୍ତି  । ଏପରି ଗରିବ ଅସହାୟ ପରିବାର ପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଚିକିତ୍ସା ସୁବିଧା ଯୋଗାଇ ଦେଲେ ଶିଶୁଟିର ଯନ୍ତ୍ରଣା ଦୂର ହୋଇପାରନ୍ତା ।