କନକ ବ୍ୟୁରୋ: ଚିକିତ୍ସା ବିଜ୍ଞାନର ଆଉ ଏକ ସଫଳତା । ମହିଳାଙ୍କ ପେଟରୁ ବାହାରିଲା ୪୨ କେଜି ଟ୍ୟୁମର । ୪ ଜଣିଆ ଡାକ୍ତରୀ ଟିମ୍ଙ୍କ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ମହିଳା । କନ୍ଧମାଳ ଜିଲ୍ଲା ଚକାପାଦ ନିକଟ ନନ୍ଦନୀ ଗାଁର କଇଁତା ମଲ୍ଲିକ କିଛି ବର୍ଷ ହେବ ପେଟ ରୋଗରେ ଥିଲେ ପିଡ଼ୀତ । ଜିଲ୍ଲା ହସ୍ପିଟାଲ ଠାରୁ ଆରମ୍ଭ କରି ଭୁବନେଶ୍ୱର ଆଉ କଟକର ବଡ଼ ବଡ଼ ହସ୍ପିଟାଲରେ ଚିକିତ୍ସା ପାଇଁ ଯାଇ ମାରିଥିଲେ ଫେଲ । ଶେଷରେ କଇଁତା କୁହୁଡ଼ି ଠାରେ ଥିବା ସାଇ ସଦନ ହସ୍ପିଟାଲର ସହାୟତା ନେଇଥିଲେ । ଗତକାଲି ମହିଳାଙ୍କ ଅପରେସନ ସଫଳ ହୋଇଛି । ଯେଉଁଠି ବଡ଼ ବଡ଼ ହସ୍ପିଟାଲ କଇଁତାରଙ୍କ ଅପରେସନ କରିବାକୁ କୁଣ୍ଠାବୋଧ କରିଥିଲେ ସେଠି ଗ୍ରାମାଂଚଳରେ ଥିବା ସେବା ସଦନ ମହିଳାଙ୍କୁ ଦେଇଥିଲେ ନୂଆ ଜନ୍ମ । ୪ ଜଣିଆ ଡାକ୍ତରୀ ଟିମ୍ ୪ ଘଂଟା ଧରି ମହିଳାଙ୍କ ଅପରେସନ କରି ୪୨ କେଜିର ଟ୍ୟୁମର କାଢ଼ିଥିଲେ । ଛାତି ଠାରୁ ୟୁଟସ ପର୍ଯ୍ୟନ୍ତ ମାଡ଼ିଯାଇଥିିବା ଏହି ଟ୍ୟୁମରର ଅପରେସନ ଥିଲା ଡାକ୍ତରଙ୍କ ପାଇଁ ବଡ଼ ଚ୍ୟାଲେଂଜ । ଡାକ୍ତର ସହଦେବ ସାହୁ ଓ ଋତୁପର୍ଣ୍ଣ ବିଶ୍ୱାଳ, ଦିପେଶ ପଢ଼ିଆରୀ, ସମ୍ବିତ ମିଶ୍ର ମହିଳାଙ୍କ ଅପରେସନ କରିଥିଲେ ।