କାହା ପାଇଁ ଏ ବ୍ୟବସ୍ଥା ? ଡାକ୍ତରଖାନାରେ ଡାକ୍ତର ନଥିଲେ ବୋଲି ଚାଲିଗଲା ୪ ବର୍ଷ ଶିଶୁର ଜୀବନ । ଅଭିଯୋଗ ପରେ ବି ଶୁଣିଲେନି ପୋଲିସ ବାବୁ । କେନ୍ଦ୍ରାପଡାରୁ ଆସିଲା କରୁଣ କାହାଣୀ

1,314

କନକ ବ୍ୟୁରୋ: ଘରେ ପଡ଼ିଛି କାନ୍ଦ ବୋବାଳି । ୪ ବର୍ଷର ଶିଶୁକନ୍ୟାର ଅକାଳ ମୃତ୍ୟୁ ପରେ ପରିବାର ଉପରେ ଭାଙ୍ଗି ପଡ଼ିଛି ଦୁଃଖର ପାହାଡ଼ । ଗୋଟିଏ ପଟେ ଝିଅକୁ ହରାଇବାର ଦୁଃଖ ଆଉ ଅନ୍ୟପଟେ ଆମ ବ୍ୟବସ୍ଥାର ପାଇଁ ସାରା ପରିବାର ପେଶି ହେବାର ଦୁଃଖ । ପାଣିରେ ବୁଡିଯାଇଥିବା କୁନି ଝିଅକୁ ବଂଚାଇବା ପାଇଁ ପରିବାର ଲୋକ ଗୋଟିଏ ଡାକ୍ତରଖାନାରୁ ଆଉ ଗୋଟିଏ ଡାକ୍ତରଖାନାକୁ ବୁଲି ନିରାଶ ହେଉଥିବା ବେଳେ ଶିଶୁର ମୃତ୍ୟୁ ପରେ ଲିଖିତ ଅଭିଯୋଗ କରିବା ପାଇଁ ଥାନା ପରେ ଥାନା ଘୁରି ନୟାନ୍ତ ହୋଇଛନ୍ତି ।

ଶନିବାର ସକାଳେ ଦାନ୍ତ ଘଷୁଥିବା ସମୟରେ ପୋଖରୀରେ ଖସିପଡ଼ିଲେ ସୁବ୍ରତ ଗିରିଙ୍କ ୪ ବର୍ଷର ଝିଅ ଶୁଭଲକ୍ଷ୍ମୀ । ପୋଖରୀ ଭିତରୁ ତାଙ୍କୁ ବେହୋସ ଅବସ୍ଥାରେ ଉଦ୍ଧାର କରିଥିଲେ ପରିବାର ଲୋକ । ଝିଅର ଏପରି ଅବସ୍ଥା ଦେଖି ନିକଟସ୍ଥ ଡାଙ୍ଗମାଳ ଡାକ୍ତରଖାନାକୁ ତୁରନ୍ତ ନେଇ ଯାଇଥିଲେ । ହେଲେ ସେଠାରେ ଡାକ୍ତର ନଥିଲେ, ଡାକ୍ତରଖାନାରେ ତାଲା ଝୁଲୁଥିଲା । ଏଏନଏମ୍ ଦିଦିଙ୍କ ପରାମର୍ଶରେ ଜଣେ କ୍ୱାକ୍ ନିକଟକୁ ନେଇ ଯାଇଥିଲେ ଘରଲୋକ ।

ତେବେ ଅନ୍ୟ କିଛି ଉପାୟ ନପାଇ ୪୦ କିଲେମିଟର ଦୂର ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ପରିବାର । ସେଠାରେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ ଡାକ୍ତର । ଝିଅର ମୃତ୍ୟୁ ହୋଇଥିବା ଜାଣିବା ପରେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ପରିବାର । ଏ ନେଇ ରାଜନଗର ଥାନାକୁ ଅବଗତ କରିଥିଲେ ଡାକ୍ତରଖାନା କର୍ତୃପକ୍ଷ । ଆଉ ଲିଖିତ ଭାବେ ଅଭିଯୋଗ କରିବା ପାଇଁ ରାଜନଗର ଥାନାରେ ପହଁଚିଥିଲେ ମୃତ ଶୁଭଲକ୍ଷ୍ମୀଙ୍କ ସଂପର୍କୀୟ । ତେବେ ଅଭିଯୋଗ ରଖିବା ପାଇଁ ରାଜି ହୋଇନଥିଲେ ଥାନା ଅଧିକାରୀ । ରାଜନଗର ଥାନା ଅଂଚଳରେ ଆସୁନାହିଁ, ତାଳଚୁଆ ଥାନାରେ ଜଣାଇବାକୁ ପରିବାର ଲୋକଙ୍କୁ କହିଥିଲା ପୋଲିସ । ଝିଅକୁ ହରାଇ ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଥିବା ପରିବାର ପ୍ରତି ସମ୍ବେଦନଶୀଳ ବ୍ୟବହାର ମଧ୍ୟ କରୁନାହାନ୍ତି ଥାନା ଅଧିକାରୀ ।

ପ୍ରଥମେ ଚିକିତ୍ସା ପାଇଁ ଡାକ୍ତରଖାନାରୁ ଡାକ୍ତରଖାନାକୁ ବୁଲିବା ପରେ ଝିଅର ମୃତ ଦେହ ଧରି ଏ ଥାନାରୁ ସେ ଥାନାକୁ ବୁଲିଥିଲେ ଘରଲୋକ । ପୁଣି ୪୦ କିଲୋମିଟର ଆସି ତାଳଚୁଆ ଥାନାରେ ପହଁଚିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ପୋଲିସ ।

ତେବେ ସରକାରୀ ସେବାକୁ ଲୋକଙ୍କ ନିକଟରେ ପହଁଚାଇବା ପାଇଁ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ୫ ଟି ଜରିଆରେ ଥାନା ଓ ଡାକ୍ତରଖାନାରେ ଚାଲିଥିବା ସେବାର ତଦାରଖ କରାଯାଉଛି । ହେଲେ ଗ୍ରାମାଂଚଳର ଏପରି ସ୍ଥିତି, ଆମ ବ୍ୟବସ୍ଥାର ବିକଳ ଚିତ୍ରକୁ ସ୍ପଷ୍ଟ ଭାବେ ବୟାନ କରୁଛି ।