କନକ ବ୍ୟୁରୋ: ଇଚ୍ଛାଥିଲା ପାଠପଢି ବଡ ଚାକିରି କରିବେ ଏବଂ ଘରର ଅଭାବ ଦୁର କରିବେ, ସେଥିପାଇଁ ଦିନ ରାତି ଏକ କରି ପଠା ପଢୁଥିଲେ। ମାତ୍ର +୨ ପାସ କରିବା ପରେ ଅଜଣା ରୋଗରେ ପୀଡିତ ହୋଇ ଶର୍ଯ୍ୟାସାୟୀ ବାଲେଶ୍ୱର ବସ୍ତା ବ୍ଲକ ପାଲସାହି ଗ୍ରାମର ଅନନ୍ତ ପାତ୍ର । ପୁଅର ଏଭଳି ଅବସ୍ଥା ଦେଖି ବାପା ମାଆଙ୍କ ଆଖିରୁ ଶୁଖୁନି ଲୁହ ।

Advertisment

ବିଛଣାରେ ସମାଧି ନେଇଛି ସ୍ୱପ୍ନ। ଯନ୍ତ୍ରଣାରେ ଛଟପଟ ହେଉଛି ଭେଣ୍ଡିଆ ପୁଅ। କାନ୍ଦିକାନ୍ଦ ବାପାମା’ଙ୍କ ଆଖିରୁ ଶୁଖିଲାଣି ଲୁହ। ବାଲେଶ୍ୱର ବସ୍ତା ବ୍ଲକ ପାଳସାହିର ଦୈତାରୀ ପାତ୍ରଙ୍କ ପୁଅ ଅନନ୍ତ ପାତ୍ର। ଜଣେ ମେଧାବୀ ଛାତ୍ର। ପାରିବାରିକ ଆର୍ଥିକ ଅନଟନ ଭିତରେ +୨ ପାସ କରି ଉଚ୍ଚଶିକ୍ଷା ପାଇଁ ସ୍ୱପ୍ନ ଦେଖିବା ବେଳେ ଅନନ୍ତଙ୍କ ଜୀବନକୁ ମାଡ଼ି ଆସିଲା ଅଜଣା ରୋଗ।ହଠାତ୍ ଅଚଳ ହୋଇଗଲା ହାତଗୋଡ଼। ଜମି ବାଡ଼ି ବିକି, ପୁଅର ଚିକିତ୍ସାରେ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଛନ୍ତି ବାପା। ଏବେ ଆଉ ପାଖରେ କାଣି କଉଡିଟିଏ ନାହିଁ । ତେଣୁ ଭାଗ୍ୟକୁ ଆଦରି ପୁଅକୁ ଘରେ ରଖିଛନ୍ତି ।

ଡାକ୍ତର ଜାଣିପାରୁନାହାନ୍ତି ଅନନ୍ତଙ୍କୁ କେଉଁ ରୋଗ ହୋଇଛି, ସେପଟେ ମୁଲ ଲାଗି ପରିବାର ପୋଷୁଥିବା ବାପା ନିରୁପାୟ। ଚିକିତ୍ସା ପାଇଁ ପୁଅକୁ ବାହାରକୁ ନେବାକୁ ଅସମର୍ଥ। ପୁଅ ପାଇଁ ଔଷଧ କିଣି ପାରୁ ନାହାନ୍ତି । ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ଅନନ୍ତ। ଗୋଡ ହାତ ପତଳା ହେବା ସହ ମୁହଁ ଫୁଲୁଛି। କାନ୍ଦି କାନ୍ଦି ପୁଅର ଜୀବନ ବଞ୍ଚାଇବା ପାଇଁ ନେହୁରା ହେଉଛନ୍ତି ବୁଢା ବାପା ମାଆ ।

ଅଜଣା ରୋଗରେ ପୀଡିତ ଅନନ୍ତଙ୍କୁ ସରକାରୀ ସହାୟତା କିଛି ମିଳିନାହିଁ। ୩୫ କେଜି ଚାଉଳ ଏବଂ ବ୍ୟଟେରୀ ଚାଳିତ ତିନି ଚକିଆ ସାଇକେଲ ପାଇଁ ବାରମ୍ବାର ପ୍ରଶାସନ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଯଦି ସରକାର ଅନନ୍ତଙ୍କ ଚିକିତ୍ସା ଖର୍ଚ୍ଚ ଯୋଗଇ ଦିଅନ୍ତେ ତେବେ ଜଣେ ଯୁବକଙ୍କ ଜୀବନ ବଞ୍ଚି ପାରନ୍ତା ।
ଅନନ୍ତ ପାତ୍ର
ଘର- ବସ୍ତା ବ୍ଲକ ପାଲସାହି
ଫୋନ ପେ ନଂ-୬୩୭୦୦୨୧୪୮୭
ଫୋନ ନଂ-୭୩୭୭୭୭୫୯୫୫