ସୋରରେ ସାଇଁ ସାଇଁ ଗଡୁଛି ଜୀବନଙ୍କ ସାଇକେଲ: ପରିବେଶକୁ ପ୍ରଦୂଷଣ ମୁକ୍ତ କରିବାକୁ ଛାତ୍ର ଜୀବନ ଜ୍ୟୋତି ତିଆରି କଲେ ବ୍ୟାଟେରୀ ଚାଳିତ ସାଇକେଲ ।

288

କନକ ବ୍ୟୁରୋ: ସାକାର ହେଲା ପିଲା ବେଳର ସ୍ୱପ୍ନ । ପରିବେଶକୁ ନେଇ ଦେଖିଥିବା ସ୍ୱପ୍ନକୁ ସାକାର କଲେ ଛାତ୍ର । ପରିବେଶକୁ ପ୍ରଦୂଷଣ ମୁକ୍ତ କରିବାକୁ ପିଲାଟି ବେଳରୁ ଯେଉଁ ପଣ କରିଥିଲେ ପାଠ ପଢି ତାହା କରି ଦେଖାଇଲେ ଜୀବନ  । ବ୍ୟାଟେରୀ ଚାଳିତ ସାଇକେଲ ନିର୍ମାଣ କରି ଏବେ ସାରା ବାଲେଶ୍ୱର ଜିଲ୍ଲା ପାଇଁ ଉଦାହରଣ ସାଜିଛନ୍ତି ଜୀବନ ଜ୍ୟୋତି ନାୟକ ।

ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ସାଜନପୁର କସବା ଗାଁର ଗଜେନ୍ଦ୍ର ନାୟକଙ୍କ ପୁଅ ଜୀବନ ସ୍କୁଲରେ ପାଠ ପଢିଲା ବେଳେ ନିଜ ସାଇକେଲକୁ ସମ୍ପୂର୍ଣ୍ଣ ଖୋଲିଦେଇ ପୁଣି ଥରେ ତିଆରି କରିଥିଲେ । ସେବେଠାରୁ ସେ ବ୍ୟାଟେରୀ ଚାଳିତ ସାଇକେଲ ତିଆରି କରିବାକୁ ଇଚ୍ଛା କରିଥିଲେ । ତେବେ ଯୁକ୍ତ ୩ ପଢୁଥିବା ଜୀବନ ଅଳ୍ପ ବୟସରୁ ଏଭଳି ଏକ ସାଇକେଲ ତିଆରି କରିଥିବାରୁ ସ୍ଥାନୀୟ ଅଞ୍ଚଳ ପାଇଁ ସେ ଉଦାହରଣ ସୃଷ୍ଟି କରିଛନ୍ତି ।

ତେବେ ଏହି ବ୍ୟାଟେରୀ ଚାଳିତ ସାଇକେଲକୁ ୩ ଘଣ୍ଟା ଯାଏଁ ଚାର୍ଜ କରିଦେଲେ ୩୫ରୁ ୪୦ କିଲୋମିଟର ପର୍ଯ୍ୟନ୍ତ ଆରାମରେ ଚାଲେ । ଯଦି ବାଟରେ ଯାଉ ଯାଉ ଚାର୍ଜ ସରିଯାଏ ତେବେ ପ୍ୟାଡେଲ ମାରି ବି ଆଗକୁ ଯାଇହେବ । ସାଇକେଲରେ ଗିଅର, ଏକ୍ସିଲେଟର, ବ୍ରେକ, ହେଡଲାଇଟ ସହ ହର୍ଣ୍ଣ ବି ଲାଗିଛି । ତେବେ ମୋବାଇଲ ଚାର୍ଜ ପାଇଁ ମଧ୍ୟ ଏକ ପଏଣ୍ଟ ତିଆର କରିଛନ୍ତି ଜୀବନ ।

ବ୍ୟାଟେରୀ ଚାଳିତ ଏହି ସାଇକେଲରେ ମୋଟ ୧୩ ହଜାର ୫୦୦ ଟଙ୍କା ଖର୍ଚ୍ଚ ହୋଇଛି । ତେବେ ଆଗାମୀ ଦିନରେ ଜୀବନ ବ୍ୟାଟେରୀ ଚାଳିତ ସ୍କୁଟି ଓ ବାଇକ ତିଆରି କରିବାକୁ ଲକ୍ଷ୍ୟ ରଖିଥିବା ବେଳେ କମ୍ ବୟସରେ ଜୀବନଙ୍କ ଏହି ପ୍ରତିଭା ପାଇଁ ତାଙ୍କୁ ସବୁ ଆଡୁ ଶୁଭେଚ୍ଛା ମିଳୁଛି ।