ବଡ ଖବର : କରୋନାରେ ୩ମାସ ଶିଶୁର ମୃତ୍ୟୁ; ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା

752

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ ନେଇ ସ୍ୱାସ୍ଥ୍ୟ ବିଭାଗ ଯେଉଁ ତଥ୍ୟ ଦେଇଛି ତାହା ଚମକାଇ ଦେଲା ଭଳି । ଦୈନିକ କରୋନା ସଂକ୍ରମଣର ହିସାବ ଦେଲା ବେଳେ ସ୍ୱାସ୍ଥ୍ୟ ବିଭାଗ ଆଜି ଆଉ ୬୬ ଜଣଙ୍କ କରୋନା ମୃତ୍ୟୁର ହିସାବ ଦେଇଛି । ଜାଣିଲେ ଆଶ୍ଚର୍ଯ୍ୟ ହେବେ ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ ତିନି ମାସର କଅଁଳ ଶିଶୁ । ବଲାଙ୍ଗିରରେ ତିନି ମାସର କନ୍ୟ ସନ୍ତାନଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ କରୋନାର ସାମ୍ଭବ୍ୟ ତୃତୀୟ ଲହରରେ ଅଧିକ ଶିଶୁ ଆକ୍ରାନ୍ତ ହେବେ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ପ୍ରତିଦିନ ରାଜ୍ୟରେ ଶହେରୁ ଅଧିକ ଶିଶୁ ଆକ୍ରନ୍ତ ହେଉଥିବା ବେଳେ ଆଜି ପୁଣି ୧୩୦ ଜଣ ଶିଶୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷରୁ କମ ବୟସର ପିଲାଙ୍କୁ ଏପର୍ଯ୍ୟନ୍ତ ଟକା ଦିଆଯାଇ ନ ଥିବାରୁ ଏହାକୁ ନେଇ ଚିନ୍ତା ପ୍ରକାଶ ପାଇଛି । ମୋଟ ଉପରେ ଦେଖିବାକୁ ଗଲେ ଓଡ଼ିଶାରେ ୧୮ ବର୍ଷରୁ କମ ବୟସର ୮୪ ହଜାରରୁ ଅଧିକ ପିଲା ଆକ୍ରନ୍ତ ହୋଇଛନ୍ତି ।

ତେବେ ଆହୁରୀ ସାଙ୍ଘାତିକ କଥା ହେଲା ବାଲେଶ୍ୱରରେ ୧୦ ଶିଶୁ କରୋନା ଆକ୍ରାନ୍ତ ହୋଇଛନ୍ତି । ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ ଏମାନଙ୍କ ଭିତରେ ୪ ନବଜାତ ଶିଶୁ ଅଛନ୍ତିି । ଗୋଟିଏ ପଟେ ତୃତୀୟ ଲହରରେ ଅଧିକ ଶିଶୁ ଆକ୍ରାନ୍ତ ହୋଇପାରନ୍ତି ବୋଲି ବିଶେଷଜ୍ଞଙ୍କ ମତ ଅନ୍ୟ ପଟେ ଅଧିକ ଶିଶୁ ଆକ୍ରାନ୍ତ ହେବା ଖବରକୁ ନେଇ ଚିନ୍ତା ବଢିବାରେ ଲାଗିଛି ।