କନକ ବ୍ୟୁରୋ : ଗୃହ ପୃଥକବାସରେ ରହି ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କୁ ବିଏମ୍ସି ଚିକିତ୍ସା ଯୋଗାଇ ପାରୁ ନଥିବା ଏବଂ ଆକ୍ରାନ୍ତଙ୍କ ପାଖରେ ଠିକ୍ ସମୟରେ ଆମ୍ବୁଲାନ୍ସ ପହଞ୍ଚୁ ନଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା । ଏହା ପାଇବା ପରେ ବିଏମ୍ସି ପକ୍ଷରୁ ତତ୍ପରତା ଦେଖାଦେଇଛି। ବିଏମ୍ସି କମିସନର୍ ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ ଗୃହ ପୃଥକବାସରେ ରହି ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେଲେ ତାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ରାତି ସମୟରେ କିଛି ସମସ୍ୟା ଉପୁଜୁଥିଲା। ତେଣୁ ରାତିରେ କ୍ୟାପିଟାଲ ହସ୍ପିଟାଲରେ ୭ଟି ଆମ୍ବୁଲାନ୍ସ ରଖିବା ପାଇଁ ନିଷ୍ପତ୍ତି ହୋଇଛି। ଏହାବାଦ୍ ଭୁବନେଶ୍ବର ଅପରେସନ୍ ସେଣ୍ଟର୍ରେ ଖୋଲିଥିବା ୧୯୨୯ କଣ୍ଟ୍ରୋଲ ରୁମ୍କୁ ଶୁକ୍ରବାରଠାରୁ ୨୪ ଘଣ୍ଟିଆ କରାଯିବ।
ଏଥିପାଇଁ ୧୦ଜଣ ଅଧିକ କର୍ମଚାରୀଙ୍କୁ ଏଠାରେ ନିୟୋଜିତ କରାଯିବ। ସେମାନେ ଆକ୍ରାନ୍ତ ବା ସମ୍ପର୍କୀୟଙ୍କ ଫୋନ୍ ପାଇଲେ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଏନେଇ ଥିବା ଡାକ୍ତରଙ୍କୁ ଫୋନ୍ ଲଗାଇ କନଫରେନ୍ସ କରିବେ। ଡାକ୍ତର ଆକ୍ରାନ୍ତଙ୍କୁ ଆବଶ୍ୟକ ପରାମର୍ଶ ଦେବେ। ଏହାସହ ଆବଶ୍ୟକ ଥିଲେ, ଆକ୍ରାନ୍ତଙ୍କୁ କେଉଁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ, ସେନେଇ ଆମ୍ବୁଲାନ୍ସ ପଠାଇବେ। ଏଥିପାଇଁ ସ୍ବତନ୍ତ୍ର ଭାବେ ୭ଟି ଆମ୍ବୁଲାନ୍ସ ରହିବ ଏବଂ ଡାକ୍ତର ରହିବେ। ରାଜଧାନୀର କେଉଁ ହସ୍ପିଟାଲରେ କେତେ ଶଯ୍ୟା ଖାଲି ଅଛି, ତା’ର ଅପ୍ଟୁଡେଟ୍ ତଥ୍ୟ ଭୁବନେଶ୍ବର ଅପରେସନ୍ ସେଣ୍ଟର୍ ଓ କ୍ୟାପିଟାଲ ହସ୍ପିଟାଲରେ ରହିବ। ଏହାଦ୍ବାରା ଗୁରୁତର ଆକ୍ରାନ୍ତଙ୍କୁ ତୁରନ୍ତ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇପାରିବ।