କାଳ ସାଜିଲା ଖେଳ ନିଶା...ପୁଣି ଜୀବନ ନେଲା ଫ୍ରି-ଫାୟାର ! ଅନଲାଇନ ଖେଳରେ ହାରିଯିବାରୁ ବିଷ ପିଇ ଆତ୍ମହତ୍ୟା କଲେ ଯୁବକ

Advertisment
କାଳ ସାଜିଲା ଖେଳ ନିଶା...ପୁଣି ଜୀବନ ନେଲା ଫ୍ରି-ଫାୟାର ! ଅନଲାଇନ ଖେଳରେ ହାରିଯିବାରୁ ବିଷ ପିଇ ଆତ୍ମହତ୍ୟା କଲେ ଯୁବକ

କନକ ବ୍ୟୁରୋ: ଅନଲାଇନ ଖେଳ ଯୁବପିଢ଼ିଙ୍କୁ ଆକୃଷ୍ଟ କରିଚାଲିଥିବାବେଳେ ଅନେକ ସମୟରେ ଏହି ଖେଳକୁ ନେଇ ବହୁ ଘଟଣା ଦୁର୍ଘଟଣା ଘଟିଚାଲିଛି। ଏଭଳି ଏକ ଘଟଣା ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ଅଧୀନ ପଥରପୁଞ୍ଜି ଗାଁରେ ଘଟିଛି। ଅନଲାଇନ୍ ଖେଳରେ ହାରିଯିବାରୁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି।

ଏହି ଯୁବକ ହେଲେ, ନିରଞ୍ଜନ ଷଡ଼ଙ୍ଗୀଙ୍କ ପୁଅ ମନୋରଞ୍ଜନ ଷଡ଼ଙ୍ଗୀ ଓରଫ ତୋଫାନ (୧୯) । ତୋଫାନ ପୁରୀ ତାଳବଣିଆସ୍ଥିତ ଏକ ଆଇଟିଆଇ କଲେଜରେ ପଢ଼ୁଥିଲେ। ତେବେ ଲକଡାଉନ ଯୋଗୁ କଲେଜ ବନ୍ଦ ହେବାରୁ ଦୀର୍ଘ ୧୦ ମାସ ଧରି ନିଜ ଗାଁରେ ରହିଆସୁଥିଲେ। ହେଲେ ଇତିମଧ୍ୟରେ ଅତି ମାରାତ୍ମକ ଫ୍ରି-ଫାୟାର ନାମକ ଏକ ଅନଲାଇନ ଖେଳକୁ ଅଭ୍ୟାସରେ ପରିଣତ କରିଥିଲେ। ଏପରିକି ଏଥିରେ କିଛି ଅର୍ଥ ଉପାର୍ଜନ ହେଉଥିବାରୁ ଏହି ଖେଳକୁ ଦିନକୁ ଦିନ ଆପଣେଇ ନେଇଥିଲେ। କିଛିଦିନ ହେଲା ତୋଫାନ ଖେଳରେ ହାରିଯାଉଥିବାରୁ ଶେଷରେ ନିରାଶ ହୋଇପଡ଼ିଥିଲେ।

ତେବେ ସେ ଶୁକ୍ରବାର ସନ୍ଧ୍ୟାରେ ନିକଟତମ ଜଙ୍ଗଲରେ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। କିନ୍ତୁ ସେଠାରେ ସେ ଛାତି ଓ ପେଟରେ ମାତ୍ରାଧିକ କଷ୍ଟ ଅନୁଭବ କରିବାରୁ କୌଣସିମତେ ଘରକୁ ପଳେଇ ଆସିଥିଲେ। ପୁଅର ଏଭଳି ଅବସ୍ଥା ଦେଖି ଘର ଲୋକେ ପ୍ରଥମେ ପ୍ରାଥମିକ ଚିକିତ୍ସା ପାଇଁ ରଣପୁର ହସ୍ପିଟାଲ୍ ଓ ପରେ ଭୁବନେଶ୍ବର ସ୍ଥାନାନ୍ତର କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ରବିବାର ଦିନ ତୋଫାନଙ୍କର ମୃତ୍ୟୁ ଘଟିଛି। ଏ ନେଇ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe