କବାଡ଼ି ଖାନାକୁ ଯିବ ସରକାରୀ ସଂସ୍ଥାରେ ଥିବା ୧୫ ବର୍ଷର ପୁରୁଣା ଗାଡ଼ି । ମାର୍ଚ୍ଚ ୩୧ ସୁଦ୍ଧା ପୁରୁଣା ଗାଡ଼ିକୁ ସ୍କ୍ରାପିଙ୍ଗ୍ କରିବାକୁ ନିର୍ଦ୍ଦେଶ ।

148

କନକ ବ୍ୟୁରୋ: କବାଡ଼ି ଖାନାକୁ ଯିବ ସରକାରୀ ସଂସ୍ଥାରେ ଥିବା ୧୫ ବର୍ଷର ପୁରୁଣା ଗାଡ଼ି । ମାର୍ଚ୍ଚ ୩୧ ସୁଦ୍ଧା ପୁରୁଣା ଗାଡ଼ିକୁ ସ୍କ୍ରାପିଙ୍ଗ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏନେଇ ସବୁ ବିଭାଗର ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, କମିସନରଙ୍କୁ ଚିଠି ଲେଖିଛନ୍ତି ପରିବହନ ସଚିବ ଉଷା ପାଢ଼ୀ । ରାଜ୍ୟ ସରକାର, ସ୍ୱାୟତ୍ତ ଶାସନ ସଂସ୍ଥା, ସରକାରୀ ଉଦ୍ୟୋଗ ଓ ନିଗମ ଅଧୀନରେ ଥିବା ପୁରୁଣା ଗାଡ଼ିକୁ ସ୍କ୍ରାପିଂ କରାଯିବ । ଯେଉଁ ଗାଡ଼ିଗୁଡ଼ିକ ପଞ୍ଜିକୃତ ହୋଇଥିବା ତାରିଖରୁ ୧୫ ବର୍ଷ ପୂରଣ କରୁଥିବ, ସେଗୁଡ଼ିକ ସ୍କ୍ରାପିଂ ପଲିସି ଅନୁଯାୟୀ ପଞ୍ଜିକୃତ ସ୍କ୍ରାପିଂ କେନ୍ଦ୍ରକୁ ପଠାଇ ଦିଆଯିବ । ଏପରିକି ଯେଉଁ ଗାଡ଼ିଗୁଡିକ ୧୫ ବର୍ଷ ପରେ ନବୀକରଣ ହୋଇଥିବ, ତାକୁ ମଧ୍ୟ ବାତିଲ କରିବାକୁ ଚିଠିରେ ଉଲ୍ଲେଖ ରହିଛି । ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଗାଡ଼ିଗୁଡ଼ିକ ସ୍କ୍ରାପିଂ କରାଯିବ । ସ୍କ୍ରାପିଂ ପରେ ଗାଡ଼ିଗୁଡ଼ିକର ରେଜିଷ୍ଟ୍ରେସନ ବାତିଲ କରିବାକୁ ସ୍ଥାନୀୟ ଆରଟିଓଙ୍କୁ ଅବଗତ କରାଯିବାକୁ କୁହାଯାଇଛି । ଏହି ପ୍ରକ୍ରିୟାକୁ ସହଜ କରିବା ପାଇଁ ପରିବହନ ବିଭାଗର ଯୁଗ୍ମ କମିସନର ସଂଜୟ କୁମାର ବିଶ୍ୱାଳଙ୍କୁ ନୋଡାଲ୍ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି । ସଡ଼କ ସୁରକ୍ଷା ଓ ପ୍ରଦୂଷଣ ରୋକିବା ପାଇଁ ପୁରୁଣା ଗାଡ଼ିଗୁଡିକ ହଟାଇବା ପାଇଁ ସ୍କ୍ରାପିଂ ପଲିସି ଆଣିଛନ୍ତି ସରକାର ।