ଜୀବନ ସହ ଖେଳ ଖେଳିଲା ରକ୍ତଭଣ୍ଡାର! ରକ୍ତଭଣ୍ଡାରରୁ ରକ୍ତ ନେଇ ୧୩ ବର୍ଷର ପୁଅ ଏଚଆଇଭି ପଜିଟିଭ୍

1,071

କନକ ବ୍ୟୁରୋ: ନାଁ ନିଖିଲ ସାହୁ । ବୟସ – ମାତ୍ର ୧୩ ବର୍ଷ । ଯେଉଁ ବୟସରେ ପାଠ ପଢି, ବଡ ମଣିଷ ହେବାକୁ ସ୍ୱପ୍ନ ଦେଖିବା କଥା । ସେ ବୟସରେ ଏଚଆଇଭି ପଜିଟିଭ୍ ହେଇ, ସେ ରୋଗ ସହ ଲଢୁଛନ୍ତି । ଆଉ ତାଙ୍କୁ ଏ ରୋଗ ଦେଇଛି ଖୋଦ୍ ବାଲେଶ୍ୱରର ବ୍ଲଡ୍ ବ୍ୟାଙ୍କ ।

ବାଲେଶ୍ୱର ରେମୁଣା ବ୍ଲକ୍ ବେଗମପୁରରେ ରହୁଥିବା ବାପା ସତ୍ୟରଞ୍ଜନ ସାହୁ ଆଉ ମା ସେହ୍ନଲତାଙ୍କର ବଡ ପୁଅ ହେଉଛନ୍ତି ନିଖିଲ । ପିଲାଟି ଦିନରୁ ସେ ଥାଲାସେମିଆ ଭଳି ରୋଗରେ ପୀଡିତ । ଯେଉଁ କାରଣରୁ ଜୀବନ ବଞ୍ଚାଇବା ପାଇଁ ତାଙ୍କୁ ପ୍ରତି ମାସରେ ରକ୍ତ ନେବାକୁ ପଡିଥାଏ । ତେବେ ସେହି ରକ୍ତ ଏବେ ତାଙ୍କ ଯନ୍ତ୍ରଣାକୁ ଦୁଇଗୁଣା ବଢାଇ ଯାଇଛି । ବ୍ଲଡ୍ ବ୍ୟାଙ୍କରୁ ରକ୍ତ ନେଉ ନେଉ ସଂକ୍ରମିତ ରକ୍ତ ନେଇ ସେ ହେଇଯାଇଛନ୍ତି ଏଚଆଇଭି ପଜିଟିଭ୍ ।

ଗତ ମାସ ଜୁନ୍ ୩୦ ତାରିଖ ଆଉ ଜୁଲାଇ ୧ ତାରିଖରେ ବାଲେଶ୍ୱର ରକ୍ତ ଭଣ୍ଡାରରୁ ବ୍ଲଡ୍ ନେଇଥିଲେ ନିିଖିଲ । ବାସ୍, ଏହାର ଦିନକ ପରେ ତାଙ୍କୁ ଜ୍ୱର ହେବା ସହିତ ସେ ଗୁରୁତର ହେଇପଡିଥିଲେ । ତେବେ ଯେତେବେଳେ ତାଙ୍କ ଟେଷ୍ଟ ହେଇଥିଲା । ସେତେବେଳେ ସେ ଏଚଆଇଭି ପଜିଟିଭ୍ ଥିବା ଜଣାପଡିଥିଲା । ଆଉ ଏବେ ପୁଅର ଏଚଆଇଭି ହେବା ନେଇ ବ୍ଲଡ ବ୍ୟାଙ୍କକୁ ଦୋଷ ଦେଇଛନ୍ତି ଉଭୟ ବାପା, ଆଉ ମାଆ ।

ଜଣେ ୧୩ ବର୍ଷର ପିଲା ପାଖରେ ପିଲାଟି ଦିନରୁ ଏଚଆଇଭିର କୌଣସି ଲକ୍ଷଣ ନଥିଲା । ଆଉ ବ୍ଲଡ୍ ବ୍ୟାଙ୍କରୁ ରକ୍ତ ନେବା ପରେ ସେ ଏଚଆଇଭି ପଜିଟିଭ୍ ବାହାରିବା ଏବେ ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

  • ବାଲେଶ୍ୱରର ବ୍ଲଡ୍ ବ୍ୟାଙ୍କରେ କେମିତି ରହିଥିଲା ଏଚଆଇଭି ସଂକ୍ରମିତ ରକ୍ତ?
  • ରକ୍ତ ସଂଗ୍ରହ ପୂର୍ବରୁ ହେଉନି କି ରକ୍ତର ପରୀକ୍ଷା?
  • ନିଖିଲ ଏଚଆଇଭି ସଂକ୍ରମିତ ହେବା ପଛରେ ଦାୟୀ କିଏ?