ବାବୁ ! ଫଳ ନିଅନ୍ତୁ… ଫଳ ନେଲେ ମୋ ବାପାଙ୍କ ପାଇଁ ଔଷଧ କିଣିବି… କ୍ୟାନ୍ସର ପିଡୀତ ବାପାଙ୍କ ଚିକିତ୍ସା ପାଇଁ ପାଠ ଛାଡି ଫଳ ବିକୁଛି କୁନି ହାତ । ପରିବାର ପେଟରେ ଦାନା ଦେବାକୁ ବିଶ୍ୱଜିତ ବୋହୁଛି ପରିବାର ବୋଝ । ସରକାର ! ବିଶ୍ୱଜିତ କଣ ବସ୍ତାନୀ ଧରି ପାରିବନି…? ତା ପାଇଁ କଣ ବ୍ୟବସ୍ଥା ନାହିଁ…??

362

କନକ ବ୍ୟୁରୋ: ରାସ୍ତା କଡର ଏ ଡାକ ଶୁଣି ଆପଣ ଚାଲି ଯାଆନ୍ତୁନି, କାନରେ କୁନି ପିଲାର ଡାକ ପଡିବା ପରେ ବି ନଶୁଣିଲା ପରି ପଳେଇ ଯାଆନ୍ତୁନି । ଆପଣ ଫଳ କିଣନ୍ତୁ, ତାକୁ ସାହାଯ୍ୟ କରନ୍ତୁ । କାରଣ ଆପଣ ଫଳ କିଣିଲେ ତା ପରିବାର ଚଳିବ, ତା ରୋଗୀଣା ବାପା ପାଇଁ ଔଷଧ କିଣାହେବ । ଘରେ ଥିବା ୬ ପ୍ରାଣୀଙ୍କ ପେଟରେ ଦାନା ଗଣ୍ଡେ ପଡିବ ।

ପାଠପଢା ବୟସରେ ଏ କୁନି ପୁଅ କଣ ପାଇଁ ଫଳ ବିକୁଛି ? ସେଓ ନିଅ, ଅଙ୍ଗୁରୁ ନିଅ ବୋଲି କଣ ପାଇଁ ରାସ୍ତାକଡୁ ଗଳା ଫଟେଇ ଡାକ ପକାଉଛି ? କାରଣ ଏ ଡାକ ପଛରେ ରହିଛି ଏକ ଦାରୁଣ ଦୁଃଖ, ଜଣେ ବାପା ପାଇଁ ପୁଅର ପ୍ରାଣମୂଚ୍ଛା ସଙ୍ଘର୍ଷ…

କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଗିରିବନ୍ଧ ଗାଁର ୧୧ ବର୍ଷର କୁନି ପୁଅ ବିଶ୍ୱଜିତ ରାଉତ । ପରିବାର ପାଇଁ ରାସ୍ତା କଡରେ ଫଳ ବିକୁଛି । ବର୍ଷେ ହେଲା ବାପା କ୍ୟାନ୍ସର ପୀଡିତ ଥିବାରୁ ବିଶ୍ୱଜିତ ପରିବାରର ବୋଝ ବହୁଛି । ଆଉ ବାପାଙ୍କ ଔଷଧ ଖର୍ଚ୍ଚ ବହନ କରିବାଠୁ ପୂରା ପରିବାରର ଦାୟିତ୍ୱ ନେଇଛି ।

ଲକ୍ଷ୍ମୀଧର ରାଉତ ୩ ଝିଅ, ଗୋଟିଏ ପୁଅ ଓ ସ୍ତ୍ରୀଙ୍କ ସହ ଭଲରେ ଚଳୁଥିଲେ । ମାତ୍ର ବର୍ଷେ ହେବ କର୍କଟ କବଳକୁ ଆସିବା ପରେ ବଦଳିଯାଇଛି ପରିବାରର ସ୍ଥିତି । ଦେହ ଅସୁସ୍ଥ ରହୁଥିବାରୁ ଅପରେସନ ପରେ ଘରେ ବସିଛନ୍ତି । ସେପ୍ଣଙ୍କ ଅପରେସନରେ ସବୁତକ ଟଙ୍କା ସରିଯିବା ପରେ ଏବେ ଚଳିବା ମୁସକିଲ । ତେଣୁ ପରିବାର ଚଳାଇବାକୁ କୁନି ପୁଅ ବିଶ୍ୱଜିତ୍ ଘରୁ ଗୋଡ କାଢିଥିଲା ଆଉ ଫଳ ଦୋକାନ କରି ଗୁଜୁରାଣ ମେଣ୍ଟାଉଛି ।

ତେବେ ପରିବାର ପେଟରେ ଦାନା ଦେବାକୁ ପଞ୍ଚମରୁ ପାଠରେ ଡୋରୀ ବାନ୍ଧିିଥିବା ବିଶ୍ୱଜିତର ପାଠ ପଢିବାକୁ ଇଚ୍ଛା ଥିଲେ ବି ଦାୟିତ୍ୱ ପାଇଁ ନିଜ ସ୍ୱପ୍ନକୁ ନିଇତି ନିକିତିରେ ଓଜନ କରୁଛି ।

ସେପଟେ ଫଳ ନବିକିଲେ ଭୋକିଲା ରହିବ ପରିବାର । ତେଣୁ ପାଠର ସ୍ୱପ୍ନକୁ ଦୂରେଇ ଦେଇ ଫଳ ବିକୁଛି ବିଶ୍ୱଜିତ । କାରଣ ଭବିଷ୍ୟତ ଆଗରେ ଏଠି ଭୋକ ବଡ । ତେବେ ସତରେ କଣ ଏ କୁନି ପିଲାକୁ କେହି ସହାୟ ହେବେନି । ଫଳ ବ୍ୟବସାୟରେ ବ୍ରେକ ଲଗାଇ ତା ପରିବାରର ଦାୟିତ୍ୱ ନେଇ କାନ୍ଧରେ ବସ୍ତାନୀ ଧରାଇ ତାକୁ ସ୍କୁଲ ପଠାଇବେନି ।