କନକ ବ୍ୟୁରୋ: ଆଖିରେ ଆଖିଏ ସ୍ୱପ୍ନ, ମନରେ ଅସୁମାରୀ ଆଶା । ସେ ସୁସ୍ଥ ହେବ, ସ୍କୁଲ ଯିବ ଆଉ ପୁଣି ଥରେ ପାଠ ପଢା ଆରମ୍ଭ କରି ବଡ ମଣିଷ ହେବ । ରୋଗକଷ୍ଟର ଖଟ ଉପରେ ଶୋଇ ଯନ୍ତ୍ରଣା ସହ ଯୁଦ୍ଧ କରୁଥିବା କୁନି ବାଳକ ଗଙ୍ଗାଧର ଖଟୁଆ ନିଜ ଭବିଷ୍ୟତକୁ ନେଇ ଏମିତି କିଛି ସ୍ୱପ୍ନ ଦେଖୁଛି । ଅଜଣା ରୋଗରେ ଆକ୍ରାନ୍ତ ହୋଇ ୩ ବର୍ଷ ହେବ ତା ପାଠ ପଢା ଅଧାରେ ରହିଥିଲେ ବି ଭଲ ହୋଇ ସେ ପୁଣି ସ୍କୁଲ ଯିବ ବୋଲି ଆଶା ରଖିଛି ।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତାଳଗୋରଡ ଗାଁର ଗଙ୍ଗାଧର ୩ ବର୍ଷ ହେବ ଅଜଣା ରୋଗରେ ଆକ୍ରାନ୍ତ । ଦଶମ ପରୀକ୍ଷା ପରେ ସାଙ୍ଗମାନଙ୍କ ସହ ଖେଲୁଥିବା ବେଳେ ହଠାତ ତଳେ ପଡିଯିବା ପରେ ସେ ଆଉ ଉଠି ପାରିନଥିଲା । ସେବେଠାରୁ ନା ସେ ଚାଲି ପାରୁଛି ନା ଠିକସେ ବସି ପାରୁଛି । ହାତଗୋଡ ଚଳପ୍ରଚଳ ହେଉନଥିବାରୁ ଦୀର୍ଘ ୩ ବର୍ଷ ହେବ ଏମିତି ଘରେ ପଡି ରହିଛି । ଖୁଆଇ ଦେଲେ ଖାଉଛି, ଶୁଆଇ ଦେଲେ ଶୋଉଛି ।
ତେବେ ପୁଅର ଏଭଳି ଅବସ୍ଥା ଦେଖି ବାପାମାଆ ପ୍ରଥମେ କାମାକ୍ଷାନଗର, ଢେଙ୍କାନାଳ ଓ ପରେ କଟକ ଆଣିଥିଲେ ବି ରୋଗର ସଠିକ ନିରୁପଣ ପାଇଁ ଆବଶ୍ୟକ ହେଉଥିବା ଟଙ୍କା ପାଖରେ ନଥିବାରୁ ପୁଅକୁ ଚିକିତ୍ସା ନକରାଇ ଘରକୁ ଫେରାଇ ଆଣିଥିଲେ । ସେପଟେ ମୁଲ ଲାଗିଲେ ଘରକୁ ଡାଲି ଚାଉଳ ଆସୁଥିବା ବେଳେ ଭଙ୍ଗା ଘରକୁ ଥା, ମା କରି ସଂସାର ଚଳାଉଥିବା ପରମାନନ୍ଦଙ୍କ ପାଇଁ ପୁଅର ଚିକିତ୍ସା କରାଇବା ଏକଦମ ଅସମ୍ଭବ ।
ସ୍କୁଲରେ ଗଙ୍ଗାଧର ଭଲ ପଢୁଥିବାରୁ ବାପାମାଆ ପୁଅର ହାତକୁ ଅପେକ୍ଷା କରିଥିଲେ । ପାଠ ପଢି ଚାକିରି ଖଣ୍ଡେ କରି ଦି ପଇସା ରୋଜଗାର କଲେ ଘର ଭଲରେ ଚଳିବ ବୋଲି ଆଶା ବାନ୍ଧିଥିଲେ । ହେଲେ ପୁଅର ଏଭଳି ପରିସ୍ଥିତିରେ ବାପାମାଆ ଭାଙ୍ଗି ପଡିଥିବା ବେଳେ ଗଙ୍ଗାଧର କିନ୍ତୁ ସୁସ୍ଥ ହୋଇ ସ୍କୁଲ ଯିବାର ସ୍ୱପ୍ନ ଦେଖୁଛି । ଆଉ ତା ରୋଗ ଭଲ କରିଦେବାକୁ ସେ ସରକାରଙ୍କୁ ଗୁହାରୀ କରିଛି । ତେବେ ପାଠ ପାଇଁ ଗୁହାରୀ କରୁଥିବା ଗଙ୍ଗାଧରକୁ ଖାଲି ସରକାର କାହିଁକି ସହୃୟଦ ବ୍ୟକ୍ତି ମଧ୍ୟ ସାହାଯ୍ୟ କରନ୍ତୁ ଆଉ ତା ସ୍ୱପ୍ନକୁ ସତ କରାନ୍ତୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/10/PATHA-1.jpg)
/kanak/media/post_attachments/wp-content/uploads/2019/10/Screen-Shot-2019-10-17-at-8.43.24-PM.png)
/kanak/media/post_attachments/wp-content/uploads/2019/10/Screen-Shot-2019-10-17-at-8.43.37-PM.png)
/kanak/media/post_attachments/wp-content/uploads/2019/10/Screen-Shot-2019-10-17-at-8.43.48-PM.png)