ବିଛଣାରୁ ଉଠୁନି କୁନିଝିଅ । ଆଖି ଖୋଲୁଛି, କଥା କହୁନି । ଗେହ୍ଲା ଝିଅ ପାଇଁ ବାପାମା’ଙ୍କ ଆଖିରୁ ଲୁହ ଶୁଖୁନି…

235

କନକ ବ୍ୟୁରୋ: ଡାକୁଛି ମାଆ, ଉଠୁନି ଛୁଆ । ଡାକୁଛନ୍ତି ବାପା ହେଲେ ଶୁଣୁ ନାହିଁ ତାଙ୍କ ସୁନାଧନ । ଝିଅ ଆଉ ଆଗ ପରି ବାପା ପାଖେ ଅଳି କରୁନି କି ମାଆକୁ ଆଉ ହଇରାଣ କରୁନି । କୁନି ଝିଅ ସେମିତି ଖଟ ଉପରେ ଶୋଇ ରହୁଛି । ଆଖି ମିଟିମିଟି କରି ଚାହୁଁଛି ହେଲେ ପାଟି ଖୋଲୁନି । ଦେହରେ ଜୀବନ ଅଛି ସତ ହେଲେ ୭-୮ ମାସ ହେବ ଏମିତି ବିଛଣା ଉପରେ ପଡି ରହିଛି । ଯେଉଁଥିପାଇଁ ବାପାମାଆଙ୍କ ଆଖିରୁ ଲୁହ ଶୁଖୁନି ।

ପ୍ରତୀକ୍ଷା ପ୍ରିୟଦର୍ଶିନୀ ସାହୁ, ବୟସ ୧୦ ବର୍ଷ । ବାପାମାଆଙ୍କର ଏକମାତ୍ର ଅଲିଅଳି ରାଜଜେମା । ପୁରୀ ବାଲିଘାଟ ଛକରେ ବାପା ପ୍ରଭାତ ସାହୁ ଛୋଟ ପରିବା ଦୋକାନଟିଏ କରି ଘର ଚଳାଉଥିଲେ । ହେଲେ ଏଇ ଛୋଟ ପରିବାରର ଖୁସି ଭିତରେ ପଶି ଆସିଲା ଦୁଃଖର କଳାବାଦଲ । ହଠାତ କୁନିଝିଅ ନେହାର ଛାତିରେ ଅସହ୍ୟ ଯନ୍ତ୍ରଣା ହେବାକୁ ଲାଗିଲା । ବାପା ପ୍ରଭାତ, ଝିଅକୁ ନେଇ ଦୌଡ଼ିଲେ ପୁରୀ ବଡ଼ ଡାକ୍ତରଖାନା । ସେଠୁ କଟକ ଶିଶୁ ଭବନ। ରୋଗ ନିରୂପଣ ହେଲା। ଆଉ ତାପରେ ଗୋଡ଼ ତଳୁ ମାଟି ଖସିଗଲା । ଝିଅକୁ ହାଇ ଡାଇବେଟିସ । ଦୁଇଟା ଯାକ କିଡନୀ ନଷ୍ଟ ହେବା ଉପରେ। ସାଙ୍ଗେ ସାଙ୍ଗେ ଆରମ୍ଭ ହେଲା ପ୍ରତୀକ୍ଷାର ଡାଇଲିଆସିସ୍। ପଡ଼ି ରହିଲା ସିଏ ହସ୍ପିଟାଲରେ ।

ହେଲେ ହଠାତ୍ ଦିନେ ଖଟ ଉପରେ ମତେ କିଛି ଦେଖା ଯାଉନି କହି ବେହୋସ ହୋଇପଡିଲା । ବାସ୍ ସେହି ଦିନଠାରୁ ଆଉ ଖଟ ଉପରୁ ଉଠିନି କୁନିଝିଅ । ଆଖି ଖୋଲୁଛି ହେଲେ ପାଟି ଖୋଲୁନି । ଦୀର୍ଘ ୭ରୁ ୮ ମାସ ହେବ ଏକ ପ୍ରକାର କୋମାକୁ ଚାଲିଯାଇଛି କୁନିଝିଅ । ବାପା ବୋଲି ଡାକୁନି କି ବୋଉ ବୋଲି କହୁନି । ପ୍ରତୀକ୍ଷା ପାଇଁ ପ୍ରତୀକ୍ଷାରେ ସରୁଛି ବାପାମାଆଙ୍କ ଦିନ…

ଡାକ୍ତରମାନେ ପରାମର୍ଶ ଦେଲେ ଝିଅକୁ ଦିଲ୍ଲୀ ଏମସ ନେବାକୁ । ହେଲେ ଏତେ ଟଙ୍କା ବା ଆସିବ କେଉଠୁ । ଧାର ଉଧାର, କରଜ କରି, ୟା ତା’ ପାଖରେ ହାତପାତି ଯିଏ ଝିଅକୁ କଟକ ନେଇଛି । ସେ ବା କେଉଁଠୁ ଆଣିବ ଏତେ ଟଙ୍କା । କେମିତି ଦିଲ୍ଲୀ ନେବ ତା ଝିଅକୁ । ଭଗବାନଙ୍କୁ ଡ଼ାକିଡ଼ାକି ବେହୋସ୍ ଝିଅକୁ ଘରକୁ ଫେରାଇ ଆଣିଲା ଜଣେ ଅସହାୟ ବାପା ।

ଘରେ ବିଛଣାରେ ପଡି ପଡି ବେଡସୋରରେ ଆକ୍ରାନ୍ତ ହେଲା ନେହା । ପିଠି ଯାକ ବେଡ୍ ଶୋର ହେଇ ଗଲା। ୟା ଭିତରେ ସାତ ଆଠ ମାସ ବିତି ଗଲାଣି । ଝିଅ ଆଉ ଅଳି କରୁନି କି ବୋଉକୁ ଡାକୁନି । ସେଥିପାଇଁ ବାପାମାଆଙ୍କ ଆଖିରୁ ଲୁହ ବି ଶୁଖୁନି । ଏବେ ପଞ୍ଚାୟତ ନିର୍ବାଚନର ସମୟ । ନେତା ମାନେ ଭୋଟ ଖଣ୍ଡେ ପାଇଁ ଗାଁ ଗାଁରେ ଟଙ୍କା ବାଣ୍ଟୁଛନ୍ତି, ହାତଗୁଞ୍ଜା ଦେଉଛନ୍ତି । ହେଲେ ଭରସାର ଭୋଟ ମାଗୁଥିବା ନେତାଟିଏ, ପ୍ରାର୍ଥୀଟିଏ ଶୁଣିବେ କି ପ୍ରତୀକ୍ଷାର ପ୍ରାର୍ଥନା ? ଅସମୟରେ ଅସହାୟ ବାପାମାଆଙ୍କୁ କରିବେ କି ସାହାଯ୍ୟ ? ଯେଉଁ ଅର୍ଥରେ ନିର୍ବାଚନ ଜିତିବାକୁ ଖର୍ତ୍ତ କରୁଛନ୍ତି ନେତା ସେ ଟଙ୍କା ଏ କୁନି ଝିଅର ଚିକିତ୍ସାରେ ଖର୍ଚ୍ଚ କରିବାକୁ ଆଗେଇ ଆସିବେ କି ହୃଦୟବାନ ପ୍ରାର୍ଥୀ ?

ଯଦି ସରକାର କିମ୍ବା ସହୃଦୟ ବ୍ୟକ୍ତି କୁନିଝିଅକୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଲେଖି ରଖନ୍ତୁ ତାଙ୍କ ମାଆଙ୍କ ଆକାଉଣ୍ଟ ନମ୍ବର