୮ଟା ବାଜିଲା, ନାଇଟ୍ କର୍ଫ୍ୟୁ ଲାଗିଲା । ଦୁର୍ଗାପୂଜା ପାଇଁ ଆଜିଠୁ ଆରମ୍ଭ ହେଲା ୧୦ ଦିନିଆ କଟକଣା । ରାସ୍ତାରେ ଆରମ୍ଭ ହେଲା କଡାକଡି ଚେକିଂ।

419

କନକ ବ୍ୟୁରୋ: ଟ୍ୱିନ୍ ସିଟି ପାଇଁ ଆଜି ରାତି ୮ଟାରୁ ଲାଗୁ ହୋଇଛି କଡ଼ା ନିୟମ । ଦୁର୍ଗାପୂଜା ପାଇଁ କଟକ ଭୁବନେଶ୍ୱରରେ ଆଜିଠୁ ଲାଗଛି ୧୦ ଦିନିଆ କଟକଣା । ରାତି ୮ଟାରୁ ସକାଳ ୫ଟା ଯାଏଁ ଜାରି ହୋଇଛି ନାଇଟ୍ କର୍ଫ୍ୟୁ । ଆଜିଠାରୁ ଅର୍ଥାତ ଅକ୍ଟୋବର ୧୧ରୁ ଅକ୍ଟୋବର ୨୦ ତାରିଖ ଯାଏଁ କେବଳ ଏହି ୧୦ ଦିନ ସ୍ୱତନ୍ତ୍ର ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି ।

ପାର୍ବଣ ସମୟରେ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଏହି ସମୟରେ ଅମାନିଆ ହେଲେ ଲୋକଙ୍କ ଠାରୁ ଫାଇନ୍ କଟାଯିବ । ଆଉ ଅଧିକ ଅମାନିଆ ହେଲେ ଗିରଫ କରାଯିବ ବୋଲି ଚେତାଇ ଦେଇଛନ୍ତି ପୋଲିସ କମିଶନର । ସେପଟେ ପାର୍ବଣରେ ପ୍ରାକୃତିକ ରଙ୍ଗ ବ୍ୟବହାର ସହ ଥର୍ମାକୋଲ ବ୍ୟବହାର ନ କରିବାକୁ କଡା ନିର୍ଦ୍ଦେଶ ଦେଇଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ନିୟମ ଭାଙ୍ଗିଲେ ସମ୍ପୃକ୍ତ ପୂଜା କମିଟି ଉପରେ ଜୋରିମାନା ଓ ୨ ବର୍ଷ ପାଇଁ ପୂଜା ଉପରେ କଟକଣା ଲଗାଯିବ ବୋଲି ବୋର୍ଡ କହିଛି ।

ଦୁର୍ଗାପୂଜାରେ ଟିକିଏ ବ୍ୟତିକ୍ରମ ହେଲେ ସଂକ୍ରମଣ ବଢିବା ସମ୍ଭାବନା ରହିଛି । ତେଣୁ ପାର୍ବଣ ସମୟରେ ଆମ ସମସ୍ତଙ୍କୁ ଅଧିକ ସଚେତନ ରହିବାର ଆବଶ୍ୟକତା ରହିଛି । ପୂଜା ସମୟରେ ଯଦି ଭିଡ ଜମେ, ତେବେ ସଂକ୍ରମଣ ଅଧିକ ବଢିବ ବୋଲି କୁହାଯାଇଛି । ତେଣୁ ଏହି ସମୟରେ ସମସ୍ତେ ସରକାରଙ୍କ ନିୟମକୁ ମାନିବାକୁ ପରାମର୍ଶ ଦିଆଯାଇଛି ।