କନକ ବ୍ୟୁରୋ : ଆଜିଠୁ ଏସିଆ କପର ୧୫ତମ ସଂସ୍କରଣ । ୟୁଏଇରେ ଖେଳାଯିବାକୁ ଥିବା ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ । ଟି-୨୦ ଫର୍ମାଟରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତା ଏଥର କଡ଼ା ମୁକାବିଲା ହେବ ବୋଲି ଜଣାପଡିଛି । ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ବାଂଲାଦେଶ ମ୍ୟାଚ୍ ବେଶ ଦକ୍ଷ ରହିଛନ୍ତି ।

Advertisment

୬ ବର୍ଷ ପରେ ଏହି ଫର୍ମାଟର ଏସିଆ କପ୍‌ ଖେଳାଯିବାକୁ ଥିବାରୁ ସବୁ ଦଳ ମଧ୍ୟ ପ୍ରସ୍ତୁତ ଅଛନ୍ତି। ୭ ଥର ବିଜେତା ଭାରତ ନିଶ୍ଚିତ ଭାବେ ଚଳିତ ବର୍ଷର ବିଶ୍ବକପ୍‌ ପୂର୍ବରୁ ଏହାକୁ ଗୁରୁତ୍ବପୂର୍ଣ୍ଣ ପ୍ରତିଯୋଗିତା ଭାବେ ବିବେଚନା କରିଛି । ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଚଳିତ ବର୍ଷ ଆଇସିସି ଟ୍ବେଣ୍ଟି-୨୦ ବିଶ୍ୱକପ୍‌ ଖେଳାଯିବାକୁ ଥିଲେ ମଧ୍ୟ ସେଠାକାର ପାଣିପାଗ ୟୁଏଇ ଠାରୁ ଭିନ୍ନ ରହିବ । ଭାରତୀୟ ଦଳ କିନ୍ତୁ ଏହାର ୩ ତାରକା ବ୍ୟାଟର୍‌ ବିରାଟ କୋହଲି, ରୋହିତ ଶର୍ମା ଏବଂ କେଏଲ୍ ରାହୁଲଙ୍କ ଫର୍ମକୁ ନେଇ ଚିନ୍ତିତ ରହିଛି ।

ଏମାନେ ଏସିଆ କପ୍‌ ଅବସରରେ ଫର୍ମକୁ ଫେରନ୍ତୁ ବୋଲି ମଧ୍ୟ ଭାରତୀୟ ପ୍ରଶଂସକମାନେ ଆଶା କରିଛନ୍ତି । ରବିବାର ଭାରତ-ପାକିସ୍ତାନ ମୁକାବିଲାକୁ ନେଇ ମଧ୍ୟ ପ୍ରଶଂସକମାନେ ଅଧିକ ଉତ୍କଣ୍ଠାରେ ରହିଛନ୍ତି । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଶ୍ରୀଲଙ୍କା-ଆଫଗାନିସ୍ତାନ ଉଦ୍‌ଘାଟନୀ ମୁକାବିଲାରୁ ପ୍ରତିଯୋଗିତା ଆରମ୍ଭ ହେବ । ପ୍ରତି ମ୍ୟାଚ୍‌ ସଂଧ୍ୟା ୭.୩୦ରେ ଆରମ୍ଭ ହେବାକୁ ଥିବାବେଳେ ଷ୍ଟାର୍ ସ୍ପୋର୍ଟସ ପ୍ରସାରଣ ଦାୟିତ୍ୱରେ ରହିଛି ।