କାଲିଠାରୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ ମଦ ଦୋକାନ । ଇ-ଟୋକନ ବ୍ୟବସ୍ଥାରେ ସିଧାସଳଖ କାଉଣ୍ଟରରୁ ମଦ କିଣିବା ପାଇଁ ମିଳିଲା ଅନୁମତି । ସେପଟେ ଅନଲାଇନ ମଦବିକ୍ରିକୁ ନେଇ ଆସିଲା ବଡ଼ତଥ୍ୟ; ୩୫ଦିନରେ ଅନଲାଇନରେ ଲୋକେ କିଣି ନେଇଛନ୍ତି ୪୦ଲକ୍ଷ ଲିଟର ମଦ ।

457

କନକ ବ୍ୟୁରୋ: ଆସନ୍ତାକାଲିଠାରୁ କାଂଉଟରରେ ମିଳିବ ବିଦେଶୀ ମଦ । ଲକଡାଉନ ଆରମ୍ଭରୁ ମଦ ବିକ୍ରୀ ଉପରେ କଟକଣା ଲଗାଯାଇଥିଲା । ଏହାପରେ ମେ ତୃତୀୟ ସପ୍ତାହରେ ଅନଲାଇନରେ ମଦବିକ୍ରୀ ପାଇଁ ଓଡିଶା ସରକାର ଅନୁମତି ଦେଇଥିଲେ । ଏହାର ୫ ସପ୍ତାହ ପରେ ଆଜି ଓଡିଶା ସରକାର ପୁଣି କାଂଉଟରରେ ମଦ ବିକ୍ରୀ ପାଇଁ ଅନୁମତି ଦେଇଛନ୍ତି । କଟକଣା ଭିତରେ ମଦ ବିକ୍ରୀ ପାଇଁ ଅନୁମତି ଦିଆଯାଇଛି । ନିୟମ ଭାଙ୍ଗିଲେ ଜିଲ୍ଲାପାଳ ମଦ ଦୋକାନ ସିଲ ପାଇଁ ଆଦେଶ ଦେଇପାରିବେ ।

ଅନଲାଇନ୍ରେ ମଦ ବିକ୍ରି ପାଇଁ ଅନୁମତି ଦେବାର ପ୍ରାୟ ୫ ସପ୍ତାହ ପରେ ଏବେ ଅଫଲାଇନ୍ରେ ଅର୍ଥାତ ମଦଦୋକାନ କାଉଁଟର ଖୋଲି ଦେଇଛନ୍ତି ସରକାର । କରୋନା ମହାମାରୀ ପାଇଁ ପ୍ରାୟ ୨ ମାସ ଧରି ମଦ ଦୋକାନକୁ ସଂପୂର୍ଣ୍ଣ ବନ୍ଦ କରାଯିବା ପରେ ଗତ ମେ ଶେଷ ସପ୍ତାହରେ ଅନ୍ଲାଇନ୍ରେ ମଦ ବିକ୍ରି ପାଇଁ ଅନୁମତି ଦିଆଯାଇଥିଲା ।

ଜୁଲାଇ ପହିଲାରୁ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ମଦ ବିକ୍ରୀ ହେବ । “ଅନ”ସପ ଗୁଡିକରେ ମଧ୍ୟ ଅଫ ସପ ଭଳି ମଦ ବିକ୍ରୀ ହୋଇପାରିବ । ପୂର୍ବ ଭଳି ଅନଲାଇନରେ ମଦ ମଗାଇବା ବ୍ୟବସ୍ଥା ଜାରି ରହିବ । ଏବଂ ଦୋକାନରେ ସିଧାସଳଖ ମଧ୍ୟ ଯାଇ ମଦ କିଣିହେବ । କିନ୍ତୁ ସୁବିଧାରେ ମଦ କିଣିବା ପାଇଁ ଏଥର ଏକ ନୂଆ ବ୍ୟବସ୍ଥା କରାଯାଇଛି । ଓଡିଶା ରାଜ୍ୟ ମଦ ନିଗମର ୱେବସାଇଟକୁ ଯାଇ ଆପଣ ସ୍ଲଟ ବୁକିଂ କରିପାରିବେ । ଏଥିରେ ଆସିବାର ସମୟ ଦିଆଯିବ ଏବଂ ସେହି ସମୟରେ ଯାଇ ସୁବିଧାରେ ଜଣେ ମଦ ଆଣିପାରିବେ । ଏଥିପାଇଁ ଏକ ଇ-ଟୋକନର ବ୍ୟବସ୍ଥା କରାଯାଇଛି ।

ତେବେ ଗତ ୫ ସପ୍ତାହ ପୂର୍ବରୁ ଆରମ୍ଭ ହୋଇଥିବା ଅନଲାଇନ ବ୍ୟବସ୍ଥାରେ ଓଡିଶାରେ ପ୍ରଚୁର ପରିମାଣରେ ମଦ ବିକ୍ରୀ ହୋଇଥିବା ଜଣାପଡିଛି । ଗତ ୫ ସପ୍ତାହ ଭିତରେ ୧୭ ଲକ୍ଷ ୩୩ ହଜାର ହୋମ ଡେଲିଭରୀ ପାଇଁ ଅର୍ଡର ହୋଇଥିଲା । ଏହି ସମୟ ଭିତରେ ୨୦ ଲକ୍ଷ ୫୯ ହଜାର ଲିଟର ବିଦେଶୀ ମଦ ହୋମ ଡେଲିଭରୀ କରାଯାଇଛି । ସେହିପରି ୨୦ ଲକ୍ଷ ୮୧ ହଜାର ବିଅର ବୋତଲ ହୋମ ଡେଲିଭରି କରାଯାଇଛି ।