ତୃତୀୟଥର ପାଇଁ ସରକାର ଗଠନ କରିବ ଏନଡିଏ । ରବିବାର ସଂଧ୍ୟାରେ ପ୍ରଧାନମନ୍ତ୍ରୀଭାବେ ଶପଥ ନେବେ ମୋଦୀ

136

କନକ ବ୍ୟୁରୋ : ସେହି ସମୟ ଆସିବାକୁ ଯାଉଛି ଯେବେ ତୃତୀୟ ପାଇଁ ପ୍ରଧାନମନ୍ତ୍ରୀଭାବେ ଶପଥ ନେବେ ଏନଡିଏ ନେତା ନରେନ୍ଦ୍ର ମୋଦୀ । ଆଜି ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଥିଲା ଏନଡିଏମେଂଟ । ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି । ରାଷ୍ଟ୍ରପତିଙ୍କୁ ଭେଟିବା ପରେ ମୋଦୀ କହିଛନ୍ତି ଗତ ଦୁଇ ପାଳିରୁ ମିଳିଥିବା ଅନୁଭୁତି ଓ ଅଭିଜ୍ଞତା ତୃତୀୟ ପାଳିରେ କାମରେ ଆସିବ । ଗତ ୧୦ବର୍ଷର ଶାସନରେ ଦେଶ ଦ୍ରୁତ ଗତିରେ ବିକାଶ କରିଛି ଓ ଆଗକୁ ଏହି ଦିଶାରେ ଅଧିକ ବଢ଼ିବ । ରବିବାର ଅର୍ଥାତ ୯ ତାରିଖ ସଂଧ୍ୟା ୬ଟାରେ ଶପଥପାଠ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ସଂସଦର ସେଂଟ୍ରାଲ ହଲରେ ଏନଡିଏ ମେଂଟଭୁକ୍ତ ସଦସ୍ୟ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ଉପସ୍ଥିତିରେ ଏନଡିଏ ନେତାଭାବେ ନରେନ୍ଦ୍ର ମୋଦୀ ନିର୍ବାଚିତ ହୋଇଛନ୍ତି । ଏଥିପାଇଁ ସମସ୍ତ ଦଳକୁ ଧନ୍ୟବାଦ ଜଣାଇଥିଲେ । ଆଗାମୀ ଦିନରେ ଦେଶର ବିକାଶକୁ ତ୍ୱରାନିତ କରିବାକୁ ଏହି ବୈଠକରେ ମୋଦି ନିଜ ପ୍ରତିଶ୍ରୁତିକୁ ଦୋହରାଇଥିଲେ ।

ନିଜର ଏକଘଂଟାରୁ ଅଧିକ ସମୟ ଧରି ଅଭିଭାଷଣରେ ମୋଦୀ ଅର୍ନ୍ତଜାତୀୟ ସ୍ତରରେ ଗତ ୧୦ବର୍ଷ ଧରି ଭାରତର ନିରନ୍ତର ଭାଗିଧାରୀକୁ ଉଲ୍ଲେଖ କରିଥିଲେ । ସେହିଭଳି ପ୍ରତ୍ୟେକସ୍ତରରେ ସର୍ବସମ୍ମତି ଆଣିବାକୁ ମୋଦୀ ଗୁରୁତ୍ୱ ଦେଇଥିଲେ । ମାତ୍ର ନିଜର ଚିରାଚରିତ ଢ଼ଙ୍ଗରେ କଂଗ୍ରେସର ବର୍ଦ୍ଧିତ ଆସନକୁ କଟାକ୍ଷ କରିଥିଲେ

ଆଜି ଏନଡିଏ ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଅଭିଭାଷଣ ଦେଇ ମୋଦୀଙ୍କୁ ଭୁରି ଭୁରି ପ୍ରଂଶସା କରିଥିଲେ । କୌଣସି ପରିସ୍ଥିତିରେ ଏନଡିଏକୁ ଛାଡିବେ ନାହିଁ ବୋଲି ନୀତୀଶଙ୍କ ବୟାନ ବୈଠକରେ ହାସ୍ୟରୋଳ ଖୋରାକ ଯୋଗାଇଥିଲା ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନେ୍ଧ, ଜେଡିଏସ ନେତା କୁମାରସ୍ୱାମୀଙ୍କ ସହ ଏନଡିଏର ପ୍ରମୁଖ ନେତା ଉପସ୍ଥିତ ଥିଲେ । ଏହା ପରେ ମନ୍ତ୍ରୀମଣ୍ଡଳ ଗଠନ ନେଇ ଏନଡିଏର ତୁଙ୍ଗ ନେତାମାନଙ୍କ ମଧ୍ୟରେ ଆଲୋଚନା ହୋଇଛି ।