କରୋନା ଯୁଦ୍ଧ ଜିତିଲେ ୯୮ ବର୍ଷର ବୃଦ୍ଧା  । ଡାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଂଶସା କଲେ ପରିବାର । 

102

କନକ ବ୍ୟୁରୋ : କରୋନା ଏବେ ପୂରା ବିଶ୍ୱକୁ କରୁଛି କଲବଲ । ଆଉ ଭାରତ ଉପରେ ଏବେ କରୋନାର କୋପ ସବୁଠୁ ଅଧିକ  । ଗତବର୍ଷ ଅପେକ୍ଷା ଚଳିତ ବର୍ଷ କରୋନାରେ ଅଧିକରୁ ଅଧିକ ଲୋକଙ୍କ ଜୀବନ ଯାଉଛି । ଖାସକରି ଅଧିକ ସଂଖ୍ୟକ ଯୁବବର୍ଗ କରୋନା ସଂକ୍ରମଣରେ ପ୍ରାଣ ହରାଉଛନ୍ତି । ଯାହା ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି । ଆଉ ଏଭଳି ସ୍ଥଳେ ଭୟ ଓ ଆଶଙ୍କା ମଧ୍ୟରେ ସମ୍ କୋଭିଡ ହସ୍ପିଟାଲରୁ ଆସିଛି ଖୁସି ଖବର । ଯେଉଁଠି ଜଣେ ୯୮ ବର୍ଷିୟା ବୃଦ୍ଧା କରୋନାକୁ ମାତ୍ ଦେଇ ଫେରିଛନ୍ତି ।

ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଂଚଳର ଅନ୍ନପୂର୍ଣ୍ଣା  ବିଶ୍ୱାଳ ନାମକ ଏହି ବରିଷ୍ଠ ନାଗରିକ ଜଣକ ଗତ ମେ ୫ ତାରିଖରେ କରୋନା ସଂକ୍ରମିତ ହୋଇଥିଲେ । ବୟାସାଧିକ ଜନିତ ଅନେକ ବ୍ୟାଧି ଯେପରିକି ଫାଇଲେରିଆ, ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ  ପିଡିତ ଥିବାବେଳେ କରୋନା ସଂକ୍ରମିତ ହେବାପରେ ସେ ଅସୁସ୍ଥ ହୋଇପଡ଼ିଥିଲେ । ତୁରନ୍ତ ପରିବାର ଲୋକେ ତାଙ୍କୁ ସମ୍ କୋଭିଡ ହସ୍ପିଟାଲରେ ଭର୍ତି କରାଇଥିଲେ । ସମ୍ କୋଭିଡ୍ ହସ୍ପିଟାଲର ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମୀ ଓ କର୍ମକର୍ତାଙ୍କ ଅପ୍ରାଣ ଉଦ୍ୟମ, ସେବା, ଯତ୍ନ ଓ ଚିକିତ୍ସା ଫଳରେ ଅନ୍ନପୂର୍ଣ୍ଣା ସୁସ୍ଥ ହୋଇ ଘରକୁ ଫେରିଥିବାର ତାଙ୍କ ପୁଅ କୁଳମଣି ବିଶ୍ୱାଳ କହିଛନ୍ତି । ଜେଜେମା ଘରକୁ ଫେରିବା ପରେ ଖୁସିରେ ଆତ୍ମହରା ହୋଇଉଠିଛି ପୂରା ପରିବାର । କରୋନା ହେବା ପରେ ଜେଜେମା  ଆଉ ଘରକୁ ଫେରିବେ ବୋଲି ଆମେ ବିଶ୍ୱାସ କରିନଥିଲୁ କିନ୍ତୁ ସେ ସୁସ୍ଥ ହୋଇ ଫେରିବା ପରେ ଖୁସିରେ ଆତ୍ମହରା ହୋଇ ଉଠିଛୁ ବୋଲି କହିଛନ୍ତି ନାତି ରାକେଶ ।

ସେହିପରି ହସ୍ପିଟାଲର ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପରିବାର ତରଫରୁ ପ୍ରଂଶସା କରାଯାଇଛି । ଜେଜେମାଙ୍କର ଖୁବ୍ ସେବା କରାଯାଇଛି ଏବଂ ହେଲ୍ପଲାଇନ ପକ୍ଷରୁ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପରିବାରକୁ ଦିଆଯିବା ସହ ଅନେକ ସହଯୋଗ କରାଯାଉଥିବା ପ୍ରଶଂସା କରିଛନ୍ତି ନାତୁଣୀ ବୋହୂ ରାଜଶ୍ରୀ ।