ସତାନବେ ବୟସର ସରପଞ୍ଚ : ପରିଣତ ବୟସରେ ରାଜନୀତିର ମଇଦାନକୁ ଓହ୍ଲାଇ ସରପଞ୍ଚ ହେଲେ ୯୭ ବର୍ଷୀୟା ବୃଦ୍ଧା ବିଦ୍ୟା ଦେବୀ ।

136

ଆମ ଦେଶରେ ନିର୍ବାଚନ ଲଢିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ବୟସସୀମା ଧାର୍ଯ୍ୟ କରାଯାଇନାହିଁ । ଏହାରି ମଧ୍ୟରେ ୯୭ ବର୍ଷିୟା ଜଣେ ବୃଦ୍ଧ ମହିଳା ଲାଠି ଧରି ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ । ସବୁଠାରୁ ବଡ କଥା ହେଉଛି , ସମସ୍ତ ପ୍ରାର୍ଥୀଙ୍କୁ ମାତ୍ ଦେଇ ବିଜୟ ହାସଲ କରିଛନ୍ତି । ଏହାକୁ ନେଇ ସେଠାକାର ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଛି ।

ବୃଦ୍ଧ ମହିଳା ଜଣଙ୍କ ହେଲେ ୯୭ ବର୍ଷିୟା ବିଦ୍ୟା ଦେବୀ । ଘର ରାଜସ୍ଥାନର ସିକିରି । ବିଦ୍ୟା ଦେବୀ ନାମାଙ୍କନ ପତ୍ର ଦାଖଲ କରିବା ପରଠାରୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ପଞ୍ଚାୟତ ନିର୍ବାଚନ ଲଢି ସରପଞ୍ଚ ମଧ୍ୟ ହୋଇଥିଲେ । ପ୍ରତିଦ୍ୱନ୍ଦୀଙ୍କୁ ୨୦୭ ଭୋଟରେ ହରାଇ ସେ ଏହି ବିଜୟ ହାସଲ କରିଥିଲେ । ବିଦ୍ୟା ଦେବୀଙ୍କ ବିଜୟୀରେ ସାରା ଗାଁରେ ଖୁସିର ଲହରି ଦେଖିବାକୁ ମିଳିଛି । ପଞ୍ଚାୟତ ନିର୍ବାଚନରେ ସେ ନିଜ ଭାଗ୍ୟ ପରୀକ୍ଷା କରି ଜିତି ଯାଇଛନ୍ତି । ବିଦ୍ୟା ଦେବୀଙ୍କ ସ୍ୱାମୀ ଶିବରାମ ସିଂହ ପାଖାପାଖି ୫୫ ବର୍ଷ ପୂର୍ବେ ଅପ୍ରତିନ୍ଦ୍ୱନ୍ଦୀ ଭାବରେ ଗାଁର ସରପଞ୍ଚ ହୋଇଥିଲେ । ବିଦ୍ୟା ଦେବୀଙ୍କ ଶ୍ୱଶୁର ମଧ୍ୟ ୨ ବର୍ଷ ପର୍ଯ୍ୟନ୍ତ ଗାଁର ସରପଞ୍ଚ ଥିଲେ । ସାଧାରଣ ଏବଂ ମହିଳା ସଂରକ୍ଷଣ ସିଟ୍ ଥିବାରୁ ବିଦ୍ୟା ଦେବୀ ସେହି ଆସନରୁ ନିର୍ବାଚନ ଲଢିଥିଲେ । ନିର୍ବାଚନକୁ ନେଇ ସେ କହିଥିଲେ , ଗାଁର ବିକାଶ ଦିଗରେ ତାଙ୍କ ସ୍ୱାମୀ ଓ ଶ୍ୱଶୁରଙ୍କ ଅନେକ ଅବଦାନ ରହିଛି । ସେ ମଧ୍ୟ ଏହି ପରମ୍ପରାକୁ ଆଗକୁ ବଢାଇବେ ଓ ଗାଁର ଉନ୍ନତି କ୍ଷେତ୍ରରେ କାମ କରିବେ ।