୬୪ ଲକ୍ଷରୁ ଅଧିକ ଲୋକ ନେଲେଣି ଟିକା । କରୋନା ଟିକାକରଣରେ ୯୭% ସନ୍ତୁଷ୍ଟ । ମାର୍ଚ୍ଚ ୧ ସୁଦ୍ଧା ଶେଷ ହେବ ଆଗଧାଡିର କର୍ମୀଙ୍କ ଟିକାକରଣ
କନକ ବ୍ୟୁରୋ: କରୋନା ଭାଇରସ୍ ସଂକ୍ରମଣ ମାମଲାରେ ଏବେ ଦେଶର ସ୍ଥିତିରେ ଯଥେଷ୍ଟ ଉନ୍ନତି ହୋଇଛି। ବିଗତ ୫ ସପ୍ତାହରେ ଦୈନିକ ସଂକ୍ରମଣ ଯଥେଷ୍ଟ କମିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ୧୫୦ ତଳେ ରହୁଛି। ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଦେଶର ଟିକାକରଣ ପ୍ରକ୍ରିୟାରେ ୯୭ ପ୍ରତିଶତ ଲୋକ ସନ୍ତୁଷ୍ଟ ଅଛନ୍ତି। ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳରେ ୧ ମାର୍ଚ ସୁଦ୍ଧା ସମସ୍ତ ଆଗ ଧାଡ଼ିର କର୍ମୀଙ୍କୁ ଟିକା ଦେବା ପ୍ରକ୍ରିୟା ଶେଷ କରିବାକୁ ହେବ। ଦେଶରେ ୧୫ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳରେ ବିଗତ ୨୪ ଘଣ୍ଟା ମଧ୍ୟରେ ଗୋଟିଏ ବି କୋଭିଡ୍ ମୃତ୍ୟୁ ଖବର ଆସିନାହିଁ। ୭ଟି ରାଜ୍ୟରେ ବିଗତ ୩ ସପ୍ତାହରେ କୌଣସି କରୋନା ମୃତ୍ୟୁ ହୋଇନାହିଁ। ୩୩ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳରେ ସକ୍ରିୟ ମାମଲା ୫ ହଜାରରୁ କମ୍ ରହିଛି।
Kanak News is now on WhatsApp
Join and get latest news updates delivered to you via WhatsApp
ଦେଶରେ ମଙ୍ଗଳବାର ସୁଦ୍ଧା ୬୪ ଲକ୍ଷରୁ ଅଧିକ ସ୍ବାସ୍ଥ୍ୟକମୀ ତଥା ଆଗଧାଡ଼ିର କୋଭିଡ କର୍ମୀଙ୍କୁ ଟିକା ପ୍ରଦାନ କରାଯାଇଛି। ସେମାନଙ୍କ ପାଇଁ ଦ୍ବିତୀୟ ଡୋଜ୍ ୧୩ ଫେବ୍ରୁଆରିରୁ ଆରମ୍ଭ ହେବ। ଦେଶର ମୋଟ୍ ସଂକ୍ରମଣ ମାମଲାର ୪୫ ପ୍ରତିଶତ କେବଳ କେରଳରେ ଏବଂ ୨୫ ପ୍ରତିଶତ ମହାରାଷ୍ଟ୍ରରେ ରହିଛି। ଏହି ଦୁଇ ରାଜ୍ୟରେ କେନ୍ଦ୍ରୀୟ ଟିମ୍ ସ୍ଥିତି ଅନୁଧ୍ୟାନ କରି ସରକାରଙ୍କୁ କେତେକ ଜରୁରୀ ପଦକ୍ଷେପ ପାଇଁ ପରାମର୍ଶ କରିଛନ୍ତି।