ରାଉରକେଲା କ୍ରସର ୟୁନିଟ୍ ମାଲିକ ଅପହରଣ ଘଟଣାକୁ ବିତିଲାଣି ୯୬ ଘଣ୍ଟା । ଏଯାଏ ଅପରାଧୀଙ୍କ ଟେର ପାଉନି ପୋଲିସ, ପରିବାରଲୋକଙ୍କ ପ୍ରଶ୍ନ କୁଆଡେ ଗଲେ ପ୍ରଦୀପ ?

276

କନକ ବ୍ୟୁରୋ : ରାଉରକେଲା କ୍ରସର ୟୁନିଟ୍ ମାଲିକ ପ୍ରଦୀପ କୁଣ୍ଡୁଙ୍କ ଅପହରଣକୁ ୪ଦିନ ବିତିଯାଇଥିଲେ ମଧ୍ୟ ଅପରାଧୀଙ୍କ ଖୋଜଖବର ପାଉନି ସୁନ୍ଦରଗଡ ପୋଲିସ । ଦୁବୃର୍ତ୍ତଙ୍କ ପାଖରୁ ଫୋନକଲ୍ ଆସୁଥିଲେ ମଧ୍ୟ ସେମାନଙ୍କ ଠିକଣା ପାଇବା ପୋଲିସ ପାଇଁ କାଠିକର ପାଠ ହୋଇଛି । ଏହାରି ଭିତରେ ପ୍ରଦୀପଙ୍କ ପରିବାରଲୋକେ ପ୍ରଦୀପଙ୍କ ଫେରିବା ବାଟକୁ ଅନେଇ ବସିଛନ୍ତି । କିନ୍ତୁ ପ୍ରଦୀପ କେବେ ଫେରିବେ ତାହା ଏବେ ଅସମାହିତ ପ୍ରଶ୍ନ ହୋଇ ରହିଛି ।

କ୍ରସର ମାଲିକଙ୍କ ଅପହରଣକୁ ବିତିଲା ୯୬ ଘଂଟା । ଏବେ ବି ପୋଲିସ ହାତ ଖାଲି, କୁଆଡେ ଗଲେ ପ୍ରଦୀପ କୁଣ୍ଡୁ ? ଅପହରଣର ୪ଦିନ ପରେ ଏହି ପ୍ରଶ୍ନ କେବଳ ଗଣମାଧ୍ୟମର ନୁହେଁ, ସୁନ୍ଦରଗଡ ପୋଲିସକୁ ଏହି ପ୍ରଶ୍ନ ପଚାରୁଛନ୍ତି ପ୍ରଦୀପଙ୍କ ପରିବାର ଲୋକେ । କିଏ ନେଇଛି ପ୍ରଦୀପଙ୍କୁ ଏବଂ କେବେ ଫେରିବେ ପ୍ରଦୀପ । ପୂର୍ବରୁ ସୁନ୍ଦରଗଡ ଏସପି କହିସାରିଛନ୍ତି ଫୋନ କରି ଅପହରଣକାରୀ ଟଙ୍କା ଦାବି କରୁଛନ୍ତି । ଏହି ଫୋନ ନମ୍ବରକୁ ଆଧାର କରି ପୋଲିସ ତନାଘନା ଚଲାଇଥିଲେ ମଧ୍ୟ ଅପରାଧୀଙ୍କ ପାଖରେ ପହଂଚିପାରିନାହିଁ । କିଏ ସେ ଟଙ୍କା ମାଗୁଥିଲା ଏବଂ କେଉଁ ଜାଗାରୁ ମାଗୁଥିଲା କିଛି ବି ଟେର ପାଉନି ପୋଲିସ ।

୮ ତାରିଖ ଶନିବାର । ସନ୍ଧ୍ୟା ୭ଟା ସମୟରେ ଘଟିଲା ଘଟଣା । ଶନିବାର ସନ୍ଧ୍ୟାରେ ପ୍ରଦୀପ କାର ଯୋଗେ ଘରକୁ ଫେରୁଥିଲେ । ସାଥିରେ ମୋଟରସାଇକେଲରେ କିଛି କ୍ରସର ୟୁନିଟର କର୍ମଚାରୀ ମଧ୍ୟ ଆସୁଥିଲେ । ୧୪୩ ନମ୍ବର ଜାତୀୟ ରାଜପଥ କୁଆରମୁଣ୍ଡା ନିକଟରେ ରାସ୍ତା କାମ ଚାଲୁଥିବାରୁ ଗାଡି ଧୀରେ ଧୀରେ ନେଉଥିଲେ ପ୍ରଦୀପ । ଆଉ ଏତିକି ବେଳେ ଆସିଥିଲା ଏକ ଫୋନକଲ ।

ପ୍ରଦୀପ ଫୋନରେ କଥା ହେଉଥିବା ସମୟରେ ସାଥି କର୍ମଚାରୀମାନେ ଆଗକୁ ଚାଲିଯାଇଥିଲେ । ଅଟକି ଯାଇଥିଲେ ପ୍ରଦୀପ । ତାପରେ କଣ ହେଲା କାହାକୁ ଜଣାନାହିଁ । ସେବେଠାରୁ ଆଉ ଘରକୁ ଫେରିନାହାନ୍ତି ପ୍ରଦୀପ । କାର ଓ ଫୋନ ଜବତ କରିଛି ପୋଲିସ । ପୋଲିସର ୬ଟି ଟିମ ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ଅପରାଧୀଙ୍କୁ ଖୋଜୁଛନ୍ତି ।

ଏବେ ପୋଲିସ ପାଇଁ ପ୍ରାଥମିକତା ହେଲା
-ପ୍ରଦୀପଙ୍କୁ ସୁରକ୍ଷିତ ଉଦ୍ଧାର କରିବା
-ଅପହରଣକାରୀଙ୍କ ପାଖରେ ପହଂଚିବା

ଅପହୃତ କ୍ରସର ମାଲିକ ପ୍ରଦୀପ କୁଣ୍ଡୁଙ୍କର କୁମଝରିଆ ପଂଚାୟତର ବିଜାବାହାର ଠାରେ ତାରିଣୀ ଷ୍ଟୋନ କ୍ରସର ୟୁନିଟ ରହିଛି । ରାଉରକେଲା ସ୍ଥିତ ଘରକୁ ଫେରୁଥିବା ବେଳେ ହୋଇଥିଲା ଏହି ଅପହରଣ ।