ସାରା ଦେଶରେ କେତେ ପ୍ରତିଶତ ଶିକ୍ଷକ ଶିକ୍ଷୟିତ୍ରୀ ନେଲେଣି କରୋନା ଟିକା ?

114

କନକ ବ୍ୟୁରୋ : ସାରା ଦେଶରେ ଏବେ ଶିକ୍ଷାନୁଷ୍ଠାନ ଖୋଲୁଛି । ଏହାରି ଭିତରେ ସାରା ଦେଶରେ କେତେ ପ୍ରତିଶତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସ୍କୁଲ ସହିତ ଜଡିତ ଥିବା ଅନ୍ୟାନ୍ୟ କର୍ମଚାରୀ ଟିକା ନେଇଛନ୍ତି ତାର ଏକ ରିପୋର୍ଟ କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି । ସଂସଦରେ ସରକାର କହିଛନ୍ତି, ଦେଶରେ ୯୪ ପ୍ରତିଶତ ଶିକ୍ଷକ, ଶିକ୍ଷୟତ୍ରୀ ଟିକା ନେଇଥିବା ବେଳେ ସ୍କୁଲ ସହିତ ଜଡିତ ଥିବା ଅନ୍ୟାନ୍ୟ କର୍ମଚାରୀ ୮୮ ପ୍ରତିଶତ ଟିକା ନେଇଛନ୍ତି ।

ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଂସଦରେ ଘରୋଇ ଏବଂ ସରକାରୀ ସ୍କୁଲର ତଥ୍ୟକୁ ଆଧାର କରି ଏହି ତଥ୍ୟ ରଖିଛନ୍ତି । ସାରା ଦେଶରେ କରୋନାର ନୂଆ ଭ୍ୟାରିଆଂଟ ଓମିକ୍ରନ ଚିନ୍ତା ବଢାଇଛି । ଏଯାବତ ୨୨ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳରେ ସ୍କୁଲ ଖୋଲି ସାରିଛି । ବିଶେଷଜ୍ଞଙ୍କ ମତ ଅନୁଯାୟୀ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଟିକା ନେବା ପରେ ସ୍କୁଲ ଖୋଲିବା ସୁରକ୍ଷିତ । ଅନ୍ୟପଟେ ଛୋଟ ଛୁଆଙ୍କ ପାଇଁ ଖୁବଶୀଘ୍ର ଟିକା ଦିଆଯିବ ବୋଲି ପ୍ରସ୍ତୁତି ଚାଲିଛି ।

ସ୍କୁଲ ଗୁଡିକରେ କେଉଁ ରାଜ୍ୟରେ କେତେ ଟିକାକରଣ ?

କେନ୍ଦ୍ରର ତଥ୍ୟ ଅନୁଯାୟୀ ମହାରାଷ୍ଟ୍ର ଏବଂ ମେଘାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସ୍କୁଲରେ କାମ କରୁଥିବା ଅନ୍ୟାନ୍ୟ କର୍ମଚାରୀଙ୍କର ଶତ ପ୍ରତିଶତ ଟିକାକରଣ ହୋଇଛି । ଓଡିଶାରେ ୯୫.୬୫ ପ୍ରତିଶତ ଶିକ୍ଷକ ଶିକ୍ଷୟିତ୍ରୀ ଟିକା ନେଇଛନ୍ତି । ସ୍କୁଲ ସହିତ ଜଡିତ ଅନ୍ୟାନ୍ୟ କର୍ମଚାରୀ ୯୩.୨୯ ପ୍ରତିଶତ ଟିକା ନେଇଛନ୍ତି । ସେହିପରି ଉତର ପ୍ରଦେଶ ସ୍କୁଲରେ ୯୧.୯ ପ୍ରତିଶତ ଶିକ୍ଷକ, ଶିକ୍ଷୟିତ୍ରୀଏବଂ ୮୮.୩ ପ୍ରତିଶତ ଅନ୍ୟାନ୍ୟ କର୍ମଚାରୀ ଟିକା ନେଇଛନ୍ତି । ଉତରାଖଣ୍ଡରେ ଟିକାକରଣ ୯୫.୨ ପ୍ରତିଶତ ଏବଂ ୯୫.୨୫ ପ୍ରତିଶତ ରହିଛି ।

କେରଳରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ୯୭.୩୯ ପ୍ରତିଶତ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କର ୯୭,୮୪ ପ୍ରତିଶତ ଟିକାକରଣ ହୋଇଛି । ବିହାରରେ ଯଥାକ୍ରମେ ୯୮.୯ ପ୍ରତିଶତ ଏବଂ ୯୬.୬ ପ୍ରତିଶତ ରହିଛି । ଦିଲ୍ଲୀରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ୯୮.୪୫ ପ୍ରତିଶତ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କର ୯୮.୪୦ ପ୍ରତିଶତ ଟିକାକରଣ ହୋଇଛି । ତେବେ ଆନ୍ଧ୍ର ପ୍ରଦେଶ, ମଣିପୁର, ହରିୟାଣା ଆଦି ରାଜ୍ୟରେ ସ୍କୁଲ ଗୁଡିକରେ ଟିକାକରଣ ୭୦ ପ୍ରତିଶତ ତଳେ ରହିଛି ।