ମଡେର୍ଣ୍ଣା ଟିକାର ସଫଳତା ନେଇ ରିପୋର୍ଟ ପରେ ଭାରତ ସରକାରଙ୍କ ପଦକ୍ଷେପ : ଦ୍ୱିତୀୟ ଓ ତୃତୀୟ ଫେଜ୍ ନୈଦାନିକ ପରୀକ୍ଷଣ ପର୍ଯ୍ୟାୟରେ ଥିବା ସମସ୍ତ ଟିକା କମ୍ପାନି ସହା ଚାଲିଛି ଆଲୋଚନା

କୋଭିଡ ମୁକାବିଲା ପାଇଁ ମିଲିପାରେ ଜରୁରୀକାଳୀନ ଅନୁମତି

113

କନକ ବ୍ୟୁରୋ : କରୋନା ଟିକା ପ୍ରସ୍ତୁତ କରିଥିବା ଆମେରିକୀୟ କମ୍ପାନି ମଡେର୍ଣ୍ଣା ସହିତ ଆଲୋଚନା କରୁଛନ୍ତି ଭାରତ ସରକାର । ମଡେର୍ଣ୍ଣା ଟିକା କରୋନା ବିରୋଧରେ ୯୪ ଦଶମିକ ୫ ପ୍ରତିଶତ ସଫଳ ହେଉଥିବା ନେଇ ଖବର ଆସିବା ପରେ ସରକାରୀ ସୂତ୍ରରୁ ଏହି ସୂଚନା ମିଳିିଛି । ତେବେ କେବଳ ମଡେର୍ଣ୍ଣା କାହିଁକି ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ନୈଦାନୀକ ପରୀକ୍ଷଣ ପର୍ଯ୍ୟାୟରେ ଥିବା ପ୍ରାୟ ସମସ୍ତ କରୋନା ଟିକା ପ୍ରସ୍ତୁତକାରୀ କମ୍ପାନୀ ସହିତ ନିୟମିତ ଯୋଗାଯୋଗରେ ଅଛନ୍ତି ଭାରତ ସରକାର ।

ଫାଇଜର, ସିରମ ଇଷ୍ଟିଚ୍ୟୁଟ୍. ଭାରତ ବାୟୋଟେକ୍ ଏବଂ ଜାଇଡସ କାଡିଲା ଭଳି କମ୍ପାନିର ଟିକା, ସୁରକ୍ଷା ଓ କରୋନା ବିରୋଧରେ ପ୍ରଭାବ ଦୃଷ୍ଟିରୁ କେତେ ସଫଳ ହେଉଛନ୍ତି ତା ଉପରେ ନଜର ରଖାଯାଇଛି । ଆମେରିକୀୟ ଟିକା ପ୍ରସ୍ତୁତକାରୀ କଂପାନୀ ମଡେର୍ଣ୍ଣା କହିଛି, ଏହାର କରୋନା ଟିକା ୯୪ ଦଶମିକ ୫ ପ୍ରତିଶତ ସଫଳ ହୋଇଛି । ୩୦ ହଜାର ଲୋକଙ୍କ ଦେହରେ ଏହାର ପରୀକ୍ଷଣ କରାଯିବା ପରେ କଂପାନୀ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି । ୨୮ଦିନ ବ୍ୟବଧାନରେ ଦୁଇଟି ଡୋଜ ଦିଆଯାଇଥିଲା ।

କଂପାନୀ ପକ୍ଷରୁ କୁହାଯାଇଛି ଏହି ଟିକାକୁ ସାଧାରଣ ରେଫ୍ରିଜେରେଟରରେ ୨ରୁ ୮ ଡିଗ୍ରୀ ସେଲସିୟସ ମଧ୍ୟରେ ୩୦ ଦିନ ପର୍ଯ୍ୟନ୍ତ ରଖାଯାଇ ପାରିବ । ଏବଂ ମାଇନସ ୨୦ ଡିଗ୍ରୀ ସେଲସିୟସରେ ଏହି ଟିକାକୁ ୬ ମାସ ପର୍ଯ୍ୟନ୍ତ ସଂରକ୍ଷିତ ରଖାଯାଇ ପାରିବ । ତେବେ ଫାଇଜର କଂପାନୀର ଟିକାକୁ ମାଇନସ ୭୦ ଡିଗ୍ରୀ ସେଲସିୟସରେ ରଖିବାକୁ ପଡିବ ବୋଲି ପୂର୍ବରୁ ସୂଚନା ଆସିଥିଲା । ଯାହା ଭାରତୀୟ ପରିବେଶରେ ଏକ ପ୍ରକାର ଅସମ୍ଭବ କଥା । କିନ୍ତୁ ମଡେର୍ଣ୍ଣା କ୍ଷେତ୍ରରେ ଏଭଳି ଆବଶ୍ୟକତା ନାହିଁ ।