ଦୁର୍ଗାପୂଜାରେ କରୋନାକୁ ନେଇ ଆସିଲା ଭଲ ଖବର । ଓଡ଼ିଶାରେ ଶହେରୁ ୯୩ ସୁସ୍ଥ, ଦେଶରେ ସୁସ୍ଥ ହାର ୯୦ ପ୍ରତିଶତ । ରାଜ୍ୟରେ କ୍ରମାଗତ ଭାବେ ୨ହଜାର ତଳେ ରହୁଛି ଦୈନିକ ସଂକ୍ରମଣ । ଆଜି ୧୬ ଶହ ୩୩ ନୂଆ ମାମଲା

288

କନକ ବ୍ୟୁରୋ : କରୋନାରେ ଦଶହରାର ଧୁମ ଟିକିଏ କମିଯାଇଥିଲେ ମଧ୍ୟ ଭଲ ଖବର ହେଉଛି, ଏହି ମହାମାରୀରେ ସୁସ୍ଥ ହାର ବଢ଼ିଚାଲିଛି ଓ ସଂକ୍ରମଣ ହାର କମି କମି ଯାଉଛି । ଓଡିଶାରେ ବର୍ତମାନ ସୁସ୍ଥ ହାର ୯୩ ପ୍ରତିଶତ ଉପରେ ପହଁଚିଛି । ଅର୍ଥାତ ଓଡିଶାରେ ପ୍ରତି ଶହେ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୯୩ ଜଣ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଂଟାରେ ରାଜ୍ୟରେ ୧୬୩୩ ନୂଆ ମାମଲା ସାମନାକୁ ଆସିଛି । ସେପଟେ ଦେଶରେ ସୁସ୍ଥ ହାର ମଧ୍ୟ ୯୦ ପ୍ରତିଶତରେ ପହଁଚିଛି । ଯାହା ସମଗ୍ର ବିଶ୍ୱରେ ଏକ ରେକର୍ଡ । ଅର୍ଥାତ ଦେଶରେ ପ୍ରତି ଶହେ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୯୦ ଜଣ ସୁସ୍ଥ ହୋଇଛନ୍ତି ।

ଦେଶରେ ୯୦ ପ୍ରତିଶତ କରୋନା ରୋଗୀ ସୁସ୍ଥ ହୋଇଥିବା ବେଳେ ମାତ୍ର ୮.୫ ପ୍ରତିଶତ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି । ମୋଟ ମାମଲାର ୧.୫୧ ପ୍ରତିଶତ କରୋନା ରୋଗୀ ଦେଶରେ ମୃତ୍ୟୁବରଣ କରିଛନ୍ତି । ଅକ୍ଟୋବର ୨ ତାରିଖରୁ ୧୧ଶହ ତଳେ ରହିଛି ଦୈନିକ ମୃତ୍ୟୁ ସଂଖ୍ୟା । ଗତ ତିନି ଦିନ ହେଲା ସକ୍ରିୟ ମାମଲା ୭ ଲକ୍ଷରୁ କମ ରହିଛି ।

ଓଡ଼ିଶାରେ ଦୈନିକ ସଂକ୍ରମଣ ମଧ୍ୟ ଆଖିଦୃଶିଆ ହ୍ରାସ ପାଇଛି । ସେପ୍ଟେ୍ମ୍ବର ୧୫ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଦୈନିକ ସଂକ୍ରମଣ ୪ ହଜାର ଉପରେ ରହିଥିବା ବେଳେ ଗତ ୭ ଦିନ ହେଲା ୨ ହଜାର ତଳକୁ ଖସିଛି ସଂକ୍ରମଣ ।

ରାଜ୍ୟରେ ମୋଟ ମାମଲା ୨ ଲକ୍ଷ ୮୧ ହଜାର ୨୧୫ ରହିଥିବା ବେଳେ ସକ୍ରିୟ ମାମଲା ୧୭ ହଜାର ୮୮୬ ରହିଛି । ୧୨୪୫ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ସୁସ୍ଥ ହାର ୯୩ ପ୍ରତିଶତ ଉପରେ ରହିଥିବା ବେଳେ ମୃତ୍ୟୁହାର ରହିଛି ୦.୪୪ ପ୍ରତିଶତ ।