ଚାଷୀଙ୍କ ଖାତାକୁ ଗଲା କାଳିଆ କିସ୍ତି ଟଙ୍କା, ୯୨୦ କୋଟି ଟଙ୍କା ପଠାଇଲେ ରାଜ୍ୟ ସରକାର ।

925

କନକ ବ୍ୟୁରୋ : ଚାଷୀଙ୍କ ଖାତାକୁ ଆସିଲା କାଳିଆ କିସ୍ତି । ଅକ୍ଷୟ ତୃତୀୟା ପୂର୍ବରୁ ଚାଷୀଙ୍କ ଖାତାକୁ କାଳିଆ ଟଙ୍କା ପଠାଇଛନ୍ତି ରାଜ୍ୟ ସରକାର । ମୋଟ ୯୨୦ କୋଟି ଟଙ୍କା ପ୍ରଦାନ କରାଯାଇଥିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖରିଫ ଋତୁ ପାଇଁ ଏହି ଟଙ୍କା ପଠାଯାଇଥିବା ବେଳେ ଉପକୃତ ହେବେ ୪୨ ଲକ୍ଷ ଚାଷୀ । ରାଜ୍ୟର ଛୋଟ ଚାଷୀ ,ନାମ ମାତ୍ର ଚାଷୀ ,ଓ ଭୂମି ହୀନ ଚାଷୀ ପରିବାର ସମସ୍ତେ ଏହି କାଳିଆ ଯୋଜନାର ସହାୟତା ପାଇ ଏହାକୁ ଚାଷ କାମରେ ତଥା ଜୀବନ ଜୀବିକାର ଉନ୍ନତିରେ ଲଗେଇବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହାସହ ନବୀନ କହିଛନ୍ତି, ଚାଷୀଙ୍କ ପାଇଁ ସାରା ଦେଶରେ କାଳିଆ ଯୋଜନା ସବୁଠାରୁ ଭଲ ଯୋଜନା । ଏହି ଯୋଜନା ଚାଷୀ ମୁହଁ ରେ ହସ ଆଣିଛି । ଚାଷୀର ଋଣ ଭାର ଲାଘବରେ ମଧ୍ୟ ଏହା ସହାୟକ ହୋଇଛି । “ମୋ ରାଜ୍ୟର ଚାଷୀ ,ଭଲରେ ରହୁ । ତାର ରୋଜଗାର ବଢୁ ତା ପରିବାରରେ ସମୃଦ୍ଧି ଆସୁ । ଏଥିପାଇଁ ମୁଁ କାମ କରୁଛି ଓ କରିଚାଲିବି ।”

ସେହିଭଳି ଚାଷୀଙ୍କର ତ୍ୟାଗକୁ ପ୍ରଂଶସା କରି ନବୀନ କହିଛନ୍ତି, ଚାଷୀ ଆମର ଗର୍ବ ଓ ଗୌରବ । ଦେଶ ଓ ସମାଜ ପାଇଁ ଚାଷୀର ତ୍ୟାଗର ତୁଳନା ନାହିଁ ।ଗତବର୍ଷ କୋଭିଡ଼ ସମୟରେ ଚାଷୀ ହି ଅର୍ଥନୀତିକୁ ସଞ୍ଜିବନୀ ପରି ଶକ୍ତି ଦେଇଥିଲା ।ତେଣୁ ଚାଷୀର ତ୍ୟାଗର ମୂଲ୍ୟ କେହି ଦେଇ ପାରିବ ନାହିଁ ।

କୋଭିଡ଼ ସମ୍ପର୍କରେ ସଚେତନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏବେ ରାଜ୍ୟ କୋଭିଡ ସଂକ୍ରମଣର ଦ୍ୱିତୀୟ ଲହରର ସାମ୍ନା କରୁଛି । ସଂକ୍ରମଣର ବ୍ରେକ ଦେବାକୁ ଲକଡାଉନ ହୋଇଛି । କିନ୍ତୁ କୃଷି କ୍ଷେତ୍ର ପାଇଁ କୌଣସି ଲକଡାଉନ ନାହିଁ । ତେଣୁ ଚାଷୀମାନେ କୋଭିଡ ନିୟମ ମାନି ଚାଷ କାମ ଜାରି ରଖିବା ସହ ସରକାରଙ୍କ ବିଭିନ୍ନ କୃଷି ଯୋଜନାର ସୁଯୋଗ ନେବାକୁ କହିଛନ୍ତି । ଏହାସହ ଚଳିତବର୍ଷ ପାଇଁ ଭଲ ଫସଲ ଓ ଚାଷୀ ପରିବାରର ସମୃଦ୍ଧି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ ।