ଚମ ଧୁଡୁଧୁଡୁ ହାତ, ୯୨ ବର୍ଷରେ ବି ଭାଙ୍ଗିନି ମନୋବଳ । ନଇଁ ପଡିଥିବା ଅଣ୍ଟାରେ ପରିବାରର ବୋଝ ବୋହୁଛନ୍ତି ବୃଦ୍ଧା । ହାରିନାହାଁନ୍ତି ବାଲେଶ୍ୱରର ହରମାଉସୀ ।

218

କନକ ବ୍ୟୁରୋ: ମାଉସୀ ହାତରେ ଜଳୁଥିବା ଏ ଦିଆସିଲର ନିଆଁ ହୁଏତ କିଛି ସମୟ ପରେ ଲିଭିଯିବ । ହେଲେ ସେହି ଲିଭି ଆସୁଥିବା ବୟସରେ କିନ୍ତୁ ମାଉସୀ ଭିତରେ ଜଳୁଛି ଆତ୍ମବିଶ୍ୱାସର ନିଆଁ, ବୟସ୍କ ବହ୍ନି । ରକ୍ତ ଥଣ୍ଡା ହୋଇ ଆସିଲାଣି, ଚମ ଧୁଡୁଧୁଡୁ ହୋଇଗଲାଣି, ଆଖି ଭିତରକୁ ପଶିଗଲାଣି । ତଥାପି ତା ବଳ ନଥିବା ପାଦରେ ଠୁକୁର ଠୁକୁର ବାଟ ଚାଲେ, ନଇଁ ପଡିଥିବା ଅଣ୍ଟାକୁ ସିଧା କରି ଆଗକୁ ଆଗକୁ ଯାଉଛି ଆଉ ତା ଶିରୁଆ ହାତରେ ଜଞ୍ଜାଳ ସହ ଯୁଦ୍ଧ କରି ଜୀବନ ଜିଉଁଛି । ସେଇଥିପାଇଁ ତ ହାରି ନଥିବା ଜଣେ ମହିଳାର ନାଁ ହର ମାଉସୀ, ବୟସର ପଶ୍ଚିମ ତୀରରେ ଉଉଁଥିବା ଗୋଟେ ନୂଆ ଉର୍ଜାର ନାଁ ହରମାଉସୀ, ଆତ୍ମଶକ୍ତି- ଆତ୍ମବିଶ୍ୱାସ- ଆତ୍ମସଙ୍କଳ୍ପର ନାଁ ହର ମାଉସୀ…

ପାନରେ ଚୁନ ମାରି ପରିବାର ଚଳାନ୍ତି ହରପ୍ରିୟା ଦେ ଓରଫ ହରମାଉସୀ । ବୟସ ୯୨ ଡେଇଁଲାଣି । ତଥାପି ବୁଡିଯାଉଥିବା ବୟସକୁ ବେଖାତିର କରି ବାଲେଶ୍ୱର ମାଣିଖମ୍ବ ଅଞ୍ଚଳରୁ ଚାଲି ଚାଲି ଆସି ଟାଉଲ ହଲ ଛକରେ ପାନ ଦୋକାନ କରି ପେଟ ପୋଷୁଛନ୍ତି । ଗରାଖଙ୍କୁ ଭାରି ସରାଗରେ ପାନ ଭାଙ୍ଗିଦିଏ ହରମାଉସୀ । ପାନ ପରି ତା ଜୀବନ । ଯେଉଁଠି ଜଞ୍ଜାଳର ଜର୍ଦ୍ଦା, କଷ୍ଟର କିମାମ, ଧୂସରପଣର ଧଣିଆ ଦେଇ ଦୀର୍ଘ ୯୨ ବର୍ଷ ହେବ ଜୀବନ ବିତାଉଛି ବୁଢୀମାଉସୀ ।

ମାତ୍ର ୯ ବର୍ଷରୁ ବାହା ହୋଇଥିଲେ ହରମାଉସୀ । ଘର ଲୋକେ ବାହା କରିଦେବା ପରେ କଅଁଳ ବୟସରୁ ଆରମ୍ଭ କରିଥିଲେ ସଂସାର । ତାଙ୍କୁ ଯେତେବେଳେ ୨୦ ବର୍ଷ ହୋଇଥିଲା ସେବେଠାରୁ ଏକାକରି ଆରପାରିକୁ ଚାଲିଯାଇଛନ୍ତି ସ୍ୱାମୀ । ଆଉ ତାରି ଭିତରେ ୩ଟି ପୁଅର ମାଆ ବି ହୋଇସାରିଥିଲେ ମାଉସୀ । ବିନା ସ୍ୱାମୀରେ ଜୀବନ, ତାସହ ପୁଣି ତିନି ତିନିଟି ପିଲାଙ୍କୁ ବଡ କରିବା । ବଡ କାଠିକର ପାଠ ଥିଲା କମ ବୟସର ଏ ମାଆ ପାଇଁ । କିନ୍ତୁ ଏବେ ପିଲାଙ୍କୁ ପାଳିପୋଷି ବଡକରିଥିବା ହାତ ପାକଳ ହୋଇଛି । ତଥାପି ଥକି ପଡୁନି ମାଉସୀର ଶକ୍ତିହୀନ ହାତ ।

ପରଘରେ ବାସନ ମାଜି, ମୁଲ ଲାଗି ଚଳୁଥିଲେ ହେଁ ୩ ପୁଅଙ୍କ ପେଟରେ ଦାନା ଦେବାକୁ ଅସମର୍ଥ ଥିଲେ ମାଉସୀ । ତେଣୁ ୨ ପୁଅଙ୍କୁ ବାଳାଶ୍ରମରେ ରଖାଇ ଦଶମ ଯାଏଁ ପଢାଇଥିଲେ । ଏବେ ପୁଅମାନେ ବଡ ହୋଇଛନ୍ତି ସତ ହେଲେ ଜଣେ ପୁଅ କିଡନୀ ରୋଗରେ ପୀଡିତ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ରୋଜଗାର ନାହିଁ । ତେଣୁ ବାଧ୍ୟ ହୋଇ ଏ ପରିଣତ ବୟସରରେ ବି ପାନ ଦୋକାନ କରି ପରିବାର ଚଳାଉଛନ୍ତି ହର ମାଉସୀ ।

ଭାରି କର୍ମଠ ମାଉସୀ , ସକାଳରୁ ସଞ୍ଜ ଏକା ଏକା ନିଜ ପାଇଁ ନିଜେ ଖଟୁଥାଏ, ନିଜେ ଜଳୁଥାଏ । ଯେଉଁଠି ସାଇକେଲ କିମ୍ବା ଗାଡି ବିନା ଆମ ଗୋଡ ପଦାକୁ ବାହାରୁନି ସେଠି ୯୨ ବର୍ଷର ବୁଢୀମାଉସୀ ଏକାଏକା ଦମ୍ଭର ସହ ଦିପଟ ଚପଲରେ ଚାଲିଥାଏ । ତାସହ ହାତରେ ଦୁଇଟି ବ୍ୟାଗ ଧରି ଦୋକାନ ଆସେ । ସକାଳ ୯ରୁ ସନ୍ଧ୍ୟା ୭ଟା ଯାଏଁ ଖୋଲା ଥାଏ ମାଉସୀ ଦୋକାନ । ଆତ୍ମସମ୍ମାନର ସହ ବଞ୍ଚୁଥିବା ମାଉସୀ ଭଙ୍ଗା ଘରେ ରହୁଛନ୍ତି ପଛେ ହେଲେ କାହା ପାଖେ ହାତ ପାତୁ ନାହାନ୍ତି ।

ମାଉସୀ ତା ଥରିଲା ହାତରେ ଭାଙ୍ଗୁଥିବା ଏ ପାନ କେତେ ସୁଆଦିଆ ଜଣାନାହିଁ । କିନ୍ତୁ ଏ ବୟସରେ ପରିବାର ପୋଷିବା ଆଉ ଅନ୍ୟ ଉପରେ ବୋଝ ନହୋଇ ନିଜ ପାଇଁ ନିଜେ ଜଳିବା ସମାଜରେ ବିରଳ । ତେଣୁ ଆପଣ ପାନ ଖାଆନ୍ତୁ କି ନଖାଆନ୍ତୁ ଥରେ ମାଉସୀ ଦୋକାନ ଯାଇ ତା ଫାଙ୍ଗୁଳା ପାଟିର କଥା ଶୁଣନ୍ତୁ ତା ସହ ଦିପଦ କଥା ହୁଅନ୍ତୁ । ହସିହସି ଜୀବନ ଜିଉଁଥିବା ହର ମାଉସୀକୁ ଭଗବାନ ଏମିତି ହସାଉଥାନ୍ତୁ…