କନକ ବ୍ୟୁରୋ: ରାଜସ୍ଥାନ ରାଜନୀତିରେ ହାଇଡ୍ରାମା । ସଚିନ୍ ପାଇଲଟଙ୍କୁ ପରବର୍ତି ମୁଖ୍ୟମନ୍ତ୍ରୀ କରାଯିବା ପ୍ରସ୍ତାବକୁ ବିରୋଧ କରି ୯୨ କଂଗ୍ରେସ ବିଧାୟକ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ବିଧାୟକମାନେ ଦଳର ନିଷ୍ପତିକୁ ବିରୋଧ କରି ସେମାନଙ୍କ ଇସ୍ତଫା ପତ୍ର ବାଚସ୍ପତି ସିପି ଜୋଶୀଙ୍କୁ ଦେଇଥିବା ସୂଚନା ଦେଇଛନ୍ତି ବିଧାୟକ ପ୍ରତାପ ସିଂ । ଦଳ ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ ବେଳେ ସେମାନଙ୍କ କଥାକୁ ଗୁରୁତ୍ୱ ଦେଇନଥିବା ଓ ସେମାନଙ୍କ ସହ ଆଲୋଚନା କରିନଥିବା ଅଭିଯୋଗ ଆଣି ପଦରୁ ଇସ୍ତଫା ଦେଇଛନ୍ତି । କହିଛନ୍ତି, ଅଶୋକ ଗେହଲୋଟ ଏକାସାଂଗରେ ପାର୍ଟି ଅଧ୍ୟକ୍ଷ ଓ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ ସମ୍ଭାଳି ପାରିବେ । ଅଶୋକ ଗେହଲଟ ରାଜସ୍ଥାନରେ ବହୁ ଜନମଂଗଳକାରୀ ଯୋଜନା ପ୍ରଣୟଣ କରିଛନ୍ତି ।
ଆଉ ଏହା ହେଲେ, ଦଳ ପୁଣି ଥରେ ରାଜସ୍ଥାନରେ କ୍ଷମତାକୁ ଫେରିବ । ଏଥିସହ ଆଜି ସନ୍ଧ୍ୟାରେ ବସିଥିବା ବିଧାୟକ ଦଳ ବୈଠକକୁ ରଦ୍ଧ କରି ଦିଆଯାଇଛି । ବୈଠକରେ ଯୋଗ ଦେବା ପାଇଁ ଯାଇଥିବା କେନ୍ଦ୍ରିୟ ପର୍ଯ୍ୟବେକ୍ଷକ ଅଜୟ ମାକନ ଓ ମଲିକାର୍ଜୁନ ଖଡଗେଙ୍କ ସମ୍ମୁଖରେ କଂଗ୍ରେସ ବିଧାୟକମାନେ ସେମାନଙ୍କର ଅସନ୍ତୋଷ ପ୍ରକାଶ କରିଛନ୍ତି । ବିବାଦ ବଢ଼ୁଥିବାବେଳେ ଅଶୋକ ଗେହଲଟଙ୍କ ସହ କଥା ହୋଇଛନ୍ତି ଦଳର ବରିଷ୍ଠ ନେତା କେ.ସି. ବେଣୁଗୋପାଳ । କିନ୍ତୁ ଅଶୋକ ଗେହଲଟ କହିଛନ୍ତି ପରିସ୍ଥିତି ତାଙ୍କ ନିୟନ୍ତ୍ରଣରେ ନାହିଁ ।... କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ଅଶୋକ ଗେହଲଟ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ନିଷ୍ପତି ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କୁହାଯାଇଥିଲା । ଆଉ ତାଙ୍କ ସ୍ଥାନରେ ସଚିନ ପାଇଲଟଙ୍କୁ ପରବର୍ତି ମୁଖ୍ୟମନ୍ତ୍ରୀ କରିବା ପାଇଁ ଦଳ ହାଇକମାଣ୍ଡ ନିଷ୍ପତି ନେଇଥିଲେ । ହେଲେ, ୧୦୭ ଦଳୀୟ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ଗେହଲଟଙ୍କ ସପକ୍ଷରେ ୯୨ ବିଧାୟକ ରିହଥିବାବେଳେ ସଚିନଙ୍କ ସପକ୍ଷରେ ମାତ୍ର ୧୫ ବିଧାୟକ ରହିଛନ୍ତି ।