କନକ ବ୍ୟୁରୋ : ଓମିକ୍ରନ୍ ଆକ୍ରାନ୍ତଙ୍କୁ ନେଇ ଆସିଲା ନୂଆ ତଥ୍ୟ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଦେଶରେ ଏବେ ୩୫୮ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୪ ଜଣ ସୁସ୍ଥ ହୋଇଛନ୍ତି । ଓମିକ୍ରନ୍ ମାମଲା ଦେଢ ଦିନରୁ ୩ ଦିନ ମଧ୍ୟରେ ଦ୍ୱିଗୁଣିତ ହେଉଥିବା କହିଛନ୍ତି ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ତେବେ ଓମିକ୍ରନକୁ ନେଇ ଯେଉଁ ତଥ୍ୟ ସ୍ୱାସ୍ଥ୍ୟ ବିଭାଗ ଦେଇଛି ତାହା ଅନେକଙ୍କ ଚିନ୍ତାକୁ ବଢାଇ ଦେଇଛି । ୧୮୩ ଓମିକ୍ରନ୍ ମାମଲାର ବିଶ୍ଲେଷଣ ପରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ସେଥିରେ ଦର୍ଶାଯାଇଛି, ଚିହ୍ନଟ ହୋଇଥିବା ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୯୧% ଟିକାର ଦୁଇଟି ଡୋଜ ନେଇଛନ୍ତି । ଏପରିକି ୩ ଜଣ ବୁଷ୍ଟର ଡୋଜ ମଧ୍ୟ ନେଇଛନ୍ତି । ତେଣୁ ଟିକାକରଣ ପରେ ମଧ୍ୟ ଓମିକ୍ରନରେ ଆକ୍ରାନ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ପୂର୍ବରୁ ମଧ୍ୟ ଏନେଇ ସତର୍କ କରାଯାଇଛି । ଟିକା ନେଇଥିଲେ ମଧ୍ୟ କରୋନା ଗାଇଡଲାଇନ ମାନିବାକୁ ଲୋକମାନଙ୍କୁ କୁହାଯାଉଛି ।

Advertisment

ଏହାଛଡା ୭୦% ମାମଲାରେ ଓମିକ୍ରନର ଲକ୍ଷଣ ଦେଖାଯାଉନାହିଁ । ଆକ୍ରାନ୍ତଙ୍କ ମଧ୍ୟରୁ ୬୧% ପ୍ରତିଶତ ପୁରୁଷ ଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ଏହାପୂର୍ବରୁ ଓମିକ୍ରନକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଥିଲେ, ଦୁଇଟି ଅଧ୍ୟୟନ କହୁଛି ଓମିକ୍ରନର ବିଶେଷ ପ୍ରଭାବ ପଡିନପାରେ ।  କିନ୍ତୁ ପୂର୍ବପରି ଆମକୁ ସଜାଗ ରହିବାକୁ ପଡିବ । ଭିଡ ନିୟନ୍ତ୍ରଣ ହେଉଛି ସୁବୁଠୁ ଗୁରୁତ୍ୱପୂର୍ଣ୍ଣ । ପ୍ରଧାନମନ୍ତ୍ରୀଙ୍କ ବୈଠକରେ ସର୍ଭିଲାନ୍ସ, ଟିକାକରଣ, କୋଭିଡ ନିୟମ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି । ଯେତେ ପଜିଟିଭ୍ ଚିହ୍ନଟ ହେବେ ସେମାନଙ୍କର ଜିନମ ସିକ୍ୟୁଏନ୍ସିଂ ପାଇଁ ପଠାଯିବ ବୋଲି ସେ କହିଛନ୍ତିି । ଏପଟେ ସଂକ୍ରମଣ ରୋକିବା ପାଇଁ ଟିକାକରଣ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ।