ରାଜ୍ୟରେ ଆଉ ୯୧ ନୂଆ ପଜିଟିଭ୍ ଚିହ୍ନଟ । ଭଦ୍ରକରେ ସର୍ବାଧିକ ୨୮, ବାଲେଶ୍ୱରରେ ୧୭ ଆକ୍ରାନ୍ତ ଠାବ । ସମ୍ବଲପୁରରେ ପ୍ରଥମ କରୋନା ରୋଗୀ ଚିହ୍ନଟ । ଗଂଜାମରେ ପୁଣି ୨ ସଂକ୍ରମିତଙ୍କ ମୃତ୍ୟୁ

ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୮୨୮କୁ ବୃଦ୍ଧି

1,963

କନକ ବ୍ୟୁରୋ: ରାଜ୍ୟରେ ଆଜି ଆଉ ୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ୧୧ଟି ଜିଲ୍ଲାରେ ୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟର ମୋଟ ୨୨ ଜିଲ୍ଲାକୁ କବଳିତ କରିନେଇଛି କରୋନା । ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ଭଦ୍ରକ, ବାଲେଶ୍ୱର , ଗଞ୍ଜାମ, କଟକ , ପୁରୀ , କେନ୍ଦୁଝର, ଖୋର୍ଦ୍ଧା, ବଲାଙ୍ଗୀର, କେନ୍ଦ୍ରାପଡା, ସମ୍ବଲପୁର ଏବଂ ସୁନ୍ଦରଗଡ ଜିଲ୍ଲାର ହୋଇଥିବା ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ସେହିଭଳି ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଭଦ୍ରକ – ୨୮, ବାଲେଶ୍ୱର – ୧୭, ଗଞ୍ଜାମ – ୧୫, କଟକ – ୧୨, ପୁରୀ – ୭, କେନ୍ଦୁଝର – ୪, ଖୋର୍ଦ୍ଧା – ୩, ବଲାଙ୍ଗୀର – ୨, କେନ୍ଦ୍ରାପଡା – ୧, ସମ୍ବଲପୁର – ୧, ସୁନ୍ଦରଗଡ – ୧ ଜଣ କରୋନା ସଂକ୍ରମିତ ଠାବ ହୋଇଛନ୍ତି । ବଡ କଥା ହେଉଛି ଆଜି ସମ୍ବଲପୁର ଜିଲ୍ଲାରେ ପ୍ରଥମ ଥର ପାଇଁ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ କରୋନା ।କ୍ରାନ୍ତ ତାଲିକାରେ ସମ୍ବଲପୁର ଜିଲ୍ଲା ସାମିଲ ହୋଇଯାଇଛି । ତେବେ ନୂଆ ଆକ୍ରାନ୍ତଙ୍କ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଖ୍ୟା ବର୍ତ୍ତମାନ ୮୨୮କୁ ବୃଦ୍ଧି ପାଇଛି ।

୧୫ ନୂଆ ଆକ୍ରାନ୍ତଙ୍କ ସହିତ ଗଂଜାମରେ କରୋନା ଆକ୍ରାନ୍ତ ସଂଖ୍ୟା ୨୯୨ କୁ ବୃଦ୍ଧି ହୋଇଛି । ସେହିପରି ଯାଜପୁର ୧୨୧, ବାଲେଶ୍ୱର ୧୧୯ , ଭଦ୍ରକ ୭୪, ଖୋର୍ଧା ୫୯ , ପୁରୀ ୨୫ , କଟକରେ ଆକ୍ରାନ୍ତ ସଂଖ୍ୟା ୨୨କୁ ବୃଦ୍ଧି ହୋଇଛି । ସେପଟେ ଗତ ୨୪ ଘଂଟାରେ ରାଜ୍ୟରେ ରେକର୍ଡ ସଂଖ୍ୟାରେ ନମୂନା ପରୀକ୍ଷା ହୋଇଛି । ଗତ ୨୪ ଘଂଟାରେ ରାଜ୍ୟରେ ୫ ହଜାର ୮୩ ଜଣଙ୍କ ନମୂନା ପରୀକ୍ଷା ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ନମୂନା ପରୀକ୍ଷା ସଂଖ୍ୟା ୯୧ ହଜାର ୨୨୩କୁ ବୃଦ୍ଧି ହୋଇଛି । ଏହା ମଧ୍ୟରୁ ୮୨୮ ଜଣ କରୋନା ପଜିଟିଭ୍ ଆସିଛନ୍ତି ।

ସେପଟେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଆଜି ଆଉ ଦୁଇ କରୋନା ସକଂମିତଙ୍କ ମୃତ୍ୟୁ ହୋଇଛି । ମୃତକ ଗଂଜାମ ଜିଲ୍ଲାର ହୋଇଥିବା ବେଳେ ଉଭୟେ ସୁରତ ଫେରନ୍ତା ବୋଲି ସ୍ପଷ୍ଟ କରିଛନ୍ତି ସରକାର । ତେବେ ସେମାନଙ୍କ ବୟସ ଜଣଙ୍କର ୩୮ବର୍ଷ ବୟସ ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୟସ ୪୫ ବର୍ଷ ଥିବା ନେଇ ସୂଚନା ମିଳିଛି । ପୂର୍ବରୁ ଜିଲ୍ଲାରେ ଜଣଙ୍କର ମୃତ୍ୟୁ ଘଟିଥିଲା । ଫଳରେ ଗଂଜାମରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି ।