ଇଚ୍ଛା ଆଗରେ ହାର ମାନିନାହିଁ ବାର୍ଦ୍ଧକ୍ୟ ! ୯୦ ବର୍ଷ ବୟସରେ ବି ନୀତିଦିନ ଦୌଡୁଛନ୍ତି ୫ କିମି ବାଟ

Advertisment
ଇଚ୍ଛା ଆଗରେ ହାର ମାନିନାହିଁ ବାର୍ଦ୍ଧକ୍ୟ ! ୯୦ ବର୍ଷ ବୟସରେ ବି ନୀତିଦିନ ଦୌଡୁଛନ୍ତି ୫ କିମି ବାଟ

କନକ ବ୍ୟୁରୋ : ମାରାଥନ୍ ଖେଳାଳି ଦେବାନନ୍ଦ ପାତ୍ର। ବୟସ ୯୦ ଛୁଇଁଲାଣି। ତଥାପି ପରିଣତ ବୟସରେ ସେ ଖେଳ ପ୍ରତି ମୋହକୁ ଛାଡ଼ି ପାରିନାହାନ୍ତି। ପ୍ରତିଦିନ ୫ କିଲୋମିଟର ଦୌଡ଼ିବା ସହ ଯୋଗ ଓ ବ୍ୟାୟାମ ଜାରି ରଖିଛନ୍ତି। ଗଂଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଳକ ପାଦ୍ରିପଲ୍ଲୀ ଗାଁର ଦେବାନନ୍ଦ ୧୯୩୧ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ଗାଁ ସ୍କୁଲରୁ ପାଠପଢା ଶେଷ ହେବା ପରେ ପୁଲିସ କନେଷ୍ଟବଳ ଚାକିରି ପାଇଥିଲେ। ମାସକୁ ଦରମା ଥିଲା ମାତ୍ର ୨୮ ଟଙ୍କା। ଅନ୍ୟମାନଙ୍କ ଭଳି ଦେବାନନ୍ଦ ପ୍ରଶିକ୍ଷଣ ନିମନ୍ତେ ଅନୁଗୁଳର ପୁଲିସ ପ୍ରଶିକ୍ଷଣ କେନ୍ଦ୍ରକୁ ଯାଇଥିଲେ। ସେଠାରେ ପ୍ରଶିକ୍ଷଣ ଚାଲିଥିବା ବେଳେ କମ୍ ସମୟରେ ଖାଲି ପାଦରେ ଦୌଡ଼ି ସମସ୍ତଙ୍କୁ ଚକିତ କରି ଦେଇଥିଲେ।

ଏହା ପରଠାରୁ ଦେବାନନ୍ଦ ଆଉ ପଛକୁ ଚାହିଁ ନାହାନ୍ତି। ଖେଳୁଆଡ଼ ମନୋଭାବ ହିଁ ଆଜି ତାଙ୍କୁ ଜଣେ ପରିଚିତ ମାରାଥାନ୍ ଦୌଡ଼ାଳି ଭାବେ ପରିଚିତ କରାଇ ପାରିଛି। କ୍ରମଶଃ ସେ ମାରାଥନ୍ ସହ ଫୁଟବଲ ଓ ହକି ଖେଳ ପ୍ରତି ଆକର୍ଷିତ ବି ହୋଇଥିଲେ। ୧୯୫୪ରେ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ମାରାଥନରେ ପ୍ରତିନିଧିତ୍ବ କରିଥିଲେ। ସେଠାରୁ ସଫଳତା ପାଇବା ପରେ ପୁଲିସ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ତାଙ୍କ ଉପରେ ଖୁସି ହୋଇ ହାବିଲଦାର ଭାବେ ପଦୋନ୍ନତି ଦେଇଥିଲେ। ବିଭିନ୍ନ ଜିଲ୍ଲାରେ କାମ କରିବା ପରେ ଦେବାନନ୍ଦଙ୍କୁ ୧୯୬୨ ମସିହାରେ ଫୁଲବାଣୀକୁ ବଦଳି ହେଲା। ସେ ଏଠାରେ ବହୁ ଦିନ ଚାକିରି କରିବା ପରେ ୧୯୮୯ରେ ଡ୍ରିଲ ସବ୍ ଇନସପେକ୍ଟର ଭାବେ ଅବସର ଗ୍ରହଣ କରିଥିଲେ। ଚାକିରି ସମୟରେ ଖେଳ ପାଇଁ ସମୟ ଦେଇ ପାରୁ ନଥିଲେ। ଅବସର ଗ୍ରହଣ ପରେ ଦେବାନନ୍ଦଙ୍କୁ ସୁଯୋଗ ମିଳିଥିଲା। ଅନ୍ୟ ଖେଳକୁ ସେତେଟା ଗୁରୁତ୍ବ ନ ଦେଇ ସେ ପ୍ରଥମ ପସନ୍ଦ ମାରାଥନକୁ ବେଶି ଭଲ ପାଇଲେ।

ଦେବାନନ୍ଦ ବେଙ୍ଗାଲୁରୁ, ପୁଣେ, ଚଣ୍ଡିଗଡ଼, ମୁମ୍ବାଇ, ହ୍ରାଇଦ୍ରାବାଦ, ଆସାମ, ମଣିପୁରରେ ଅନୁଷ୍ଠିତ ଜାତୀୟସ୍ତରର ପ୍ରତିଯୋଗିତାରେ ଭାଗ ନେଇ ବେଶ ସଫଳତା ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ତାଙ୍କୁ ବ୍ରାଜିଲ ଓ ମାଲେସିଆକୁ ଡକରା ଆସିଥିଲେ ବି ପରିଣତ ବୟସରେ ଯିବାକୁ ଇଚ୍ଛା ପ୍ରକାଶ କରି ନାହାନ୍ତି । ସଂପ୍ରତି ସେ ଫୁଲବାଣୀ ସହର ଗୋପବନ୍ଧୁ ମାର୍ଗରେ ଥିବା ନିଜ ଘରେ ସପରିବାର ରହୁଛନ୍ତି।

ମାରାଥନ ଦୌଡ଼ରେ ଦେବାନନ୍ଦ ସମୁଦାୟ ୧୩ଟି ସ୍ବର୍ଣ୍ଣ ପଦକ, ୧୭ଟି ରୌପ୍ୟ ଓ ୧୫ଟି କାସ୍ୟଂ ପଦକ ହାସଲ କରିଛନ୍ତି। ଯୁବଗୋଷ୍ଠୀ ଏବେ କ୍ରୀଡ଼ାକୁ ଭଲ ପାଉ ନାହାନ୍ତି। ଆଉ ସରକାରଙ୍କର କ୍ରୀଡ଼ା ପାଇଁ ବି ସେମିତି କିଛି ଖାସ ଯୋଜନା ନାହିଁ। ଯାହା ଫଳରେ ଓଡ଼ିଶାରୁ ଅଧିକ ପ୍ରତିଭା ସୃଷ୍ଟି ହୋଇ ପାରୁ ନାହାନ୍ତି ବୋଲି ସେ କହନ୍ତି। ବର୍ତମାନ ପରିଣତ ବୟସରେ ବି ଦେବାନନ୍ଦ ଭୋର୍ ୪ଟାରେ ଉଠନ୍ତି। ଏହାପରେ ୫ କିଲୋମିଟର ଦୌଡ଼ିବା ସହ ଯୋଗ ଓ ବ୍ୟାୟାମ କରନ୍ତି। ସବୁଜ ପରିବା ଓ ସୁଷମ ଖାଦ୍ୟ ଖାଉଥିବା ଦେବାନନ୍ଦ ସମ୍ପୂର୍ଣ୍ଣ ନିରୋଗ ମଧ୍ୟ ରହିଛନ୍ତି। ଦେବାନନ୍ଦ ଆଜିର ଯୁବ ଗୋଷ୍ଠୀ ପାଇଁ ପ୍ରେରଣାର ଉତ୍ସ ବୋଲି କହିଲେ ଅତ୍ୟୁକ୍ତି ହେବନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe