କାଳିଆର ସେବା ଆଗରେ ହାର ମାନିଛି ବୟସ । ସୂତା ତିଆରି କରୁଛନ୍ତି ୯୦ ବର୍ଷିୟ ବୃଦ୍ଧା । ଗୀତ ଗୋବିନ୍ଦ ପାଟ ବୁଣୁଛନ୍ତି ଦିବ୍ୟାଙ୍ଗ ବୁଣାକାର

147

କନକ ବ୍ୟୁରୋ: କାଳିଆର ଲିଳା ଅପାର । ତା ସେବା କରିବା ଭାଗ୍ୟରେ ଥିଲେ ମିଳେ । ସେ ଦିବ୍ୟାଙ୍ଗ ହୁଅନ୍ତୁ କି ବୃଦ୍ଧା । ତା ସେବା କରିବାକୁ ଯେମିତି ଦେହରେ ଆସିଯାଏ ଅନେକ ବଳ । ଥକି ପଡ଼ନ୍ତିନି ବରଂ ସେମାନଙ୍କ ମୁହଁରେ ଥାଏ ବଡ ସାଆନ୍ତର ସେବା କଲେ ସେମାନଙ୍କୁ ମିଳୁଛି ଅପୂର୍ବ ଆନନ୍ଦ ।

ଘୁରିଛି ଅରଟ, ଚାଲିଛି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ବସ୍ତ୍ର ତିଆରି । କାଳିଆ ଠାକୁର ସେବାରେ ପୁରା ପରିବାର । ଏହି ସେବା କରି ଏମାନଙ୍କୁ ମିଳିଥାଏ ଅପୂର୍ବ ଆନନ୍ଦ । ପିଲାରୁ ବୃଦ୍ଧା ସମସ୍ତେ ଲାଗିଛନ୍ତି କାଳିଆ ସେବାରେ । ଆଉ ଭାଗ୍ୟରେ ଥିଲେ ମିଳେ ମହାପ୍ରଭୁଙ୍କ ସେବା । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ରାଉତପଡ଼ା ଗାଁରେ ୨୦ରୁ ୨୫ ପରିବାର ଲାଗିଛନ୍ତି ଏହି ବୁଣାକାର କାମରେ ।

କାଳିଆ ସାଆନ୍ତ ପାଇଁ ଗୀତା ଗୋବିନ୍ଦ ପାଟ ବୁଣୁଛନ୍ତି ରାଉତପଡ଼ାର କାର୍ତ୍ତିକେଶ୍ୱର ପାତ୍ର । । ଜନ୍ମରୁ ସେ ଦିବ୍ୟାଙ୍ଗ ତଥାପି ଥକି ଯାଇ ନାହାନ୍ତି । ଭଗବାନଙ୍କ ସେବା କରିବାରେ ଅହେତୁକ ଆନନ୍ଦ ମିଳୁଥିବା ବେଳେ ବଡ ଠାକୁରଙ୍କୁ ଦର୍ଶନ କରିବାକୁ ଆଶା ରଖିଛନ୍ତି । ଖାଲି କାର୍ତିକଶ୍ୱେର ନୁହେଁ ଭଗବାନଙ୍କ ବସ୍ତ୍ର ବୁଣା କାମରେ ନିୟୋଜିତ ହୋଇଛନ୍ତି ଜଣେ ୯୦ ବର୍ଷିଅ ବୃଦ୍ଧା । ପରିଣତ ବୟସରେ ହାତରେ ଅହରହ ଘୁରାଉଛନ୍ତି ଅରଟର ଚକ, ଆଉ ପ୍ରସ୍ତୁତ କରୁଛନ୍ତି ନଳୀ ଆଉ ବବିନି । ଯାହା ବସ୍ତ୍ର ପାଇଁ ତନ୍ତ ବୁଣାରେ ବ୍ୟବହାର ହୁଏ ।